ଭୁବନେଶ୍ବର : ଆସନ୍ତା ୧୮ ଓ ୧୯ ତାରିଖରେ ରାଉରକେଲାରେ ଏବଂ ୨୪ ଓ ୨୫ ତାରିଖରେ ପୁରୀରେ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହେବାକୁ ଯାଉଛି। ଏଥିରେ ଉଭୟ ଓଡ଼ିଆ ଏବଂ ଅଣ-ଓଡ଼ିଆ ଭାଷାର ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ଆଜି ଭୁବନେଶ୍ବରରେ ଆୟୋଜିତ ଏହାର ଉଦ୍ଘାଟନୀ ସମାରୋହରେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ ଏଥର ମହୋତ୍ସବ ପାଇଁ ନଗଦ ପୁରସ୍କାର ରାଶି ବୃଦ୍ଧି କରାଯାଇଥିବା ସଂପର୍କରେ ସୂଚନା ଦେଇଥିଲେ।
ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଲକ୍ଷେ ଟଙ୍କା ପୁରସ୍କାର
ପ୍ରଥମ ରନର୍ସ ଅପ୍ ୮୦ ହଜାର, ଦ୍ୱିତୀୟ ୬୦ ହଜାର ଟଙ୍କା
ରାଉରକେଲା ଓ ପୁରୀରେ ୪ ଦିନ ବ୍ୟାପୀ ହେବ ମହୋତ୍ସବ
ଶ୍ରୀ ସେଠୀ କହିଥିଲେ, ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ-୨୦୨୨ରେ ଚଳଚ୍ଚିତ୍ର ନିର୍ମାତାଙ୍କୁ ଉତ୍ସାହିତ କରିବା ପାଇଁ ଏଥର ଉଭୟ ଓଡ଼ିଆ ଏବଂ ଅଣ-ଓଡ଼ିଆ ଭାଷାର ଚଳଚ୍ଚିତ୍ର ପାଇଁ ପୁରସ୍କାର ରାଶି ବୃଦ୍ଧି କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ରାଶି ୫୦ ହଜାରରୁ ଲକ୍ଷେ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ପ୍ରଥମ ରନର୍ସ-ଅପ୍ ପୁରସ୍କାର ୪୦ ହଜାରରୁ ୮୦ ହଜାର ଟଙ୍କା ଏବଂ ଦ୍ୱିତୀୟ ରନର୍ସ ଅପ୍ ପାଇଁ ନଗଦ ପୁରସ୍କାର ୬୦ ହଜାର ଟଙ୍କା ରଖାଯାଇଛି। ସଡ଼କ ଦୁର୍ଘଟଣା ଏବଂ ମୃତାହତକୁ ହ୍ରାସ କରିବା ପାଇଁ ଓଡ଼ିଶା ତଥା ସମଗ୍ର ଦେଶରେ ସଡ଼କ ସୁରକ୍ଷା ସହଯୋଗରେ ଯୋଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଉତ୍ସବର ଲକ୍ଷ୍ୟ ରହିଛି ବୋଲି କହିଥିଲେ।
ବିଚାରକ ଭାବେ ଉଦ୍ୟୋଗୀ ତଥା ହମାରା ବଚପନ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ, ‘ସମ୍ବାଦ’ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ଜାତୀୟ ପୁରସ୍କାର ବିଜେତା ତଥା ଚଳଚ୍ଚିତ୍ର ନିର୍ମାତା ମନୀଷ ମୁନ୍ଦ୍ରା, ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ରାଜେଶ ଟଚ୍ରିଭର, ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ‘ସ୍ବାଭିମାନ’ର ମୁଖ୍ୟ ଶ୍ରୁତି ମହାପାତ୍ର, ‘ବକୁଲ ଫାଉଣ୍ଡେସନ’ର ସଚିବ ଲେଖକ ସୁଜିତ ମହାପାତ୍ରଙ୍କୁ ଚୟନ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଶାସକ ଅରୁଣ ବୋଥ୍ରାଙ୍କ ସହ ମନୋନୀତ ବିଚାରକମାନେ ଉପସ୍ଥିତ ରହିଥିଲେ।
ସୂଚନାନୁସାରେ, ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବା ପାଇଁ ଉତ୍ସାହୀ ଚଳଚ୍ଚିତ୍ର ନିର୍ମାତା ଏବଂ ଛାତ୍ରଛାତ୍ରୀମାନେ ଜୁନ୍ ୩ ସୁଦ୍ଧା ଆବେଦନ କରିପାରିବେ। ଚଳଚ୍ଚିତ୍ରଟି ଏକ ଡକ୍ୟୁମେଣ୍ଟାରି, ପରୀକ୍ଷାମୂଳକ, କାହାଣୀ, କଳ୍ପନା, ଅଣ-କାଳ୍ପନିକ କିମ୍ବା ଆନିମେସନ୍ ଭାବେ କରିପାରିବେ। ମୂଳ ଚଳଚ୍ଚିତ୍ରଟି ଫୁଲ୍ ଏଚ୍ଡି (୧୯୨୦ x ୧୦୮୦) ଫର୍ମାଟ୍ରେ କିମ୍ବା ତା’ଠାରୁ ଅଧିକ ହେବା ଆବଶ୍ୟକ। ଚଳଚ୍ଚିତ୍ରର ସମୁଦାୟ ଅବଧି ସର୍ବାଧିକ ୧୨୦ ସେକେଣ୍ଡ (୨ ମିନିଟ୍) ଲମ୍ବ ହେବା ଜରୁରି, ଯେଉଁଥିରେ ଫ୍ରଣ୍ଟ୍ ଏବଂ ଶେଷ କ୍ରେଡିଟ୍ ଅନ୍ତର୍ଭୁକ୍ତ ରହିବା ଆବଶ୍ୟକ ବୋଲି କୁହାଯାଇଛି। ଏଥିସହ ବିଭିନ୍ନ ବର୍ଗରେ ପୁରସ୍କାର ରାଶି ବାବଦକୁ, ଓଡ଼ିଆ ବର୍ଗରେ ସର୍ବୋତ୍ତମ ଚଳଚ୍ଚିତ୍ର ୧ ଲକ୍ଷ, ପ୍ରଥମ ରନର୍ସ ଅପ୍ ୮୦ ଜହାର, ଦ୍ୱିତୀୟ ରନର୍ସ ଅପ୍ ୬୦ ହଜାର, ଶ୍ରେଷ୍ଠ ନିର୍ଦ୍ଦେଶକ ୨୫ ହଜାର, ଶ୍ରେଷ୍ଠ ସ୍କ୍ରିନ-ପ୍ଲେ ପାଇଁ ୨୫ ହଜାର, ଶ୍ରେଷ୍ଠ ସିନେମାଟୋଗ୍ରାଫି ୨୫ ହଜାର, ଶ୍ରେଷ୍ଠ ଅଭିନେତା /ଅଭିନେତ୍ରୀ ପାଇଁ ୨୫ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଛି। ସେହିପରି ଅଣ-ଓଡିଆ ବର୍ଗରେ ଉପରୋକ୍ତ ସମସ୍ତ ବିଭାଗ ପାଇଁ ସମାନ ପୁରସ୍କାର ଅର୍ଥ ରାଶି ଘୋଷଣା କରାଯାଇଛି। ଓଡ଼ିଆ ଭାଷା ଏବଂ ଅଣ-ଓଡ଼ିଆ ଭାଷା, ସମସ୍ତ ଏଣ୍ଟ୍ରି ପାଇଁ ଇଂରାଜୀରେ ସବ୍-ଟାଇଟେଲ ଜରୁରି। ଅଂଶଗ୍ରହଣକାରୀମାନେ ଗୁଗୁଲ୍ ଡ୍ରାଇଭ୍ କିମ୍ବା ସଡ଼କ ସୁରକ୍ଷା- [email protected] ଏବଂ [email protected]କୁ ଲିଙ୍କ୍ ସ୍ଥାନାନ୍ତର କରିପାରିବେ। ସମସ୍ତ ବିବରଣୀ http://odishatransport.gov.in/ ରେ ଉପଲବ୍ଧ ରହିଛି।