ରାଜନଗର: ବାତ୍ୟା ଅମ୍ଫାନ ରାଜନଗର ଅଂଚଳରେ ବ୍ୟାପକ କ୍ଷତି ଘଟାଇବା ସହିତ ଭିତରକନିକା ଜାତୀୟ ଉଦ୍ୟାନରେ ତାଣ୍ତବ ରଚିଛି। ଜାତୀୟ ଉଦ୍ୟାନରେ ଶହ ଶହ ଗଛ ଭାଙ୍ଗିଥିବାବେଳେ ସମୁଦ୍ର କୂଳରେ ଥିବା ହଜାର ହଜାର ଗଛ ଉପୁଡ଼ି ପଡିଛି। ବନବିଭାଗର ଜେଠି, କୋଠାଘର ଓ ରେଷ୍ଟସେଡ ଭାଙ୍ଗିଯାଇଛି। ବାତ୍ୟା ବଂଗୋପସାଗର ଦେଇ ଉପକୂଳ ଅତିକ୍ରମ କଲାବେଳେ ଭିତରକନିକାରେ ତାଣ୍ତବ ରଚିଛି। ସମୁଦ୍ର କୂଳରେ ଥିବା ବରୁଣେଇ, ଦୋବନ୍ଧି, ସାତଭାୟା, ହବାଳିଖଟି, ଏକକୂଳା, ବାବୁବାଲି ଅଂଚଳରେ ଅଧିକ କ୍ଷୟକ୍ଷତି ହୋଇଛି।
ବନବିଭାଗ ସୂଚନା ମୁତାବକ ରାଜନଗର ରେଂଜର ବରୁଣେଇ, ଦୋବନ୍ଧିରେ ୩ଶହରୁ ଅଧିକ ଝାଉଁଗଛ ଭାଙ୍ଗି ପଡ଼ିଛି। ଗଛ ଗୁଡିକ ଭାଙ୍ଗିଯିବା ପରେ ସମୁଦ୍ର ଜୁଆର ଗଛଗୁଡିକୁ ଭସାଇ ନେଇଛି। ଏଥିସହ ବରୁଣେଇରୁ ସମୁଦ୍ର କୂଳେ କୂଳେ ସାତଭାୟା, ବାଲିସାହି, କାଦୁଆନାସି, ହବାଳିଖଟି ନିକଟରେ ପ୍ରାୟ ୫ଶହ ଝାଉଁଗଛ ଭାଙ୍ଗିବା ସହ ଉପୁଡ଼ି ପଡ଼ିଛି। ଗତକାଲି ସମୁଦ୍ରରେ ଉଚ୍ଚ ଜୁଆର ଆସିଥିବାରୁ ଗଛ ଗୁଡିକ ଭାଙ୍ଗିବା ଓ ଉପୁଡ଼ିବା ପରେ ସେଗୁଡିକୁ ଭସାଇ ନେଇଥିବା ସୂଚନା ମିଳିଛି। ବରୁଣେଇରୁ ଏକକୂଳା ଯାଏଁ ସମୁଦ୍ର କୂଳେ କୂଳେ ବାଲିମେଦ ସହ ଝାଉଁ ଜଙ୍ଗଲ ଭିତରକନିକା ଜାତୀୟ ଉଦ୍ୟାନର ଲୁଣା ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିଲା। ଦୀର୍ଘବର୍ଷ ଧରି ଏହି ଝାଉଁ ଜଙ୍ଗଲ ରାଜନଗର ଅଂଚଳକୁ ସୁରକ୍ଷା ଦେଇ ଆସୁଥିଲା। ୧୫୦ କିମିରୁ ଅଧିକ ବେଗରେ ପବନ ଝାଉଁ ଜଙ୍ଗଲକୁ ଉଜାଡିବା ପରେ ସମୁଦ୍ର ଜୁଆର ଜଙ୍ଗଲ ଭିତରକୁ ପ୍ରବେଶ କରିଛି। ହବାଳି ଖଟି ଠାରେ ଥିବା ପୁରୁଣା କୋଠାଟି ବାତ୍ୟା ମାଡରେ ଭାଙ୍ଗି ଯାଇଛି। ସମୁଦ୍ର ଜୁଆର କୋଠାର ତଳୁ ଇଟା ଖଣ୍ତ ଧୋଇ ନେଇଥିବା ବେଳେ କୋଠାର କିଛି ଅଂଶ ପବନ ମାଡ଼ରେ ଭାଙ୍ଗିଯାଇଛି। ଏଠାରେ ଥିବା ଅନ୍ୟ ଏକ କୋଠା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ନୂତନ ଭାବେ ତିଆରି ହୋଇଥିବା ଡଲଫିନ ହାଉସରେ ପାଣି ପଶିଛି। ଏକକୂଳା ନିକଟରେ ଥିବା ବନବିଭାଗର ଜେଠି ପବନ ମାଡ଼ରେ ଭାଙ୍ଗି ଯାଇଛି। ଜେଠିର କିଛି ଖୁଣ୍ଟ ଓ ଖୁଣ୍ଟ ଉପରେ ଲାଗି ଥିବା କାଠପଟା ଭାଙ୍ଗି ଯାଇଛି। ହବାଳି ଖଟିରେ ଥିବା ଏକ ନଳକୂପ ଭାଙ୍ଗି ଯାଇଥିବାବେଳେ ସୋଲାର ପ୍ଲେଟକୁ ଉଡାଇ ନେଇଛି। ଏକକୂଳା ନିକଟରେ ଥିବା ୫ଟି ରେଷ୍ଟସେଡର ଛପର ଉଡି ଯାଇଛି। ରାଜନଗର ଅଂଚଳ ସହିତ କନିକା ଓ ଗହୀରମଥା ରେଂଜ ଅଂଚଳରେ ମଧ୍ୟ ବାତ୍ୟା ବ୍ୟାପକ କ୍ଷତି ଘଟାଇଛି। ଝାଉଁ ଜଙ୍ଗଲ ସହିତ କିଛି ସ୍ଥାନରେ ଲୁଣା ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଛି। ଆଜି ବନ କର୍ମଚାରୀମାନେ ଜଙ୍ଗଲ ଭିତରେ ବୁଲି ତଥ୍ୟ ସଂଗ୍ରହ କରୁଥିବା ବେଳେ ଆସନ୍ତାକାଲି ଡିଏଫଓଙ୍କୁ ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି। ବାତ୍ୟା ଓ ପବନରେ ଭିତରକନିକାରେ ଥିବା ଜୀବଜନ୍ତୁଙ୍କ ମୃତାହତ ସଂପର୍କରେ କୌଣସି ସୂଚନା ମିଳିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/85sfh798sfh7s98fh7sf98sf465hsfffffffffffffff.jpg)