‘ଅମ୍ଫାନ୍‌’: ପ୍ରକୋପ କମିଲା; ତଥାପି ଶଙ୍କାମୁକ୍ତ ନୁହେଁ ଓଡ଼ିଶା ଉପକୂଳ

ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗର ମଧ୍ୟରେ ଗତକାଲି ଭୟଙ୍କର ରୂପ ଧାରଣ କରିଥିବା ମହାବାତ୍ୟା ‘ଅମ୍ଫାନ’ର ପ୍ରକୋପ ଏବେ ଟିକିଏ କମିଛି। ଆଜି ଅପରାହ୍ଣ ୫ଟା ବେଳକୁ ଏହା ‘ସୁପର ସାଇକ୍ଲୋନ୍‌ ବା ମହାବାତ୍ୟା’ରୁ ‘ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନ୍‌ ବା ଅତି ଭୀଷଣ ବାତ୍ୟା’କୁ ଖସି ଆସିଛି। ଅମ୍ଫାନ ଏବେ ପାରାଦୀପ ଠାରୁ ଦକ୍ଷିଣରେ ପ୍ରାୟ ୪୦୦ କିମି ଦୂରରେ ରହି ଉତ୍ତର ଉତ୍ତର-ପୂର୍ବ ଦିଗରେ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି। ଏବେ ଅମ୍ଫାନର କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୨୦୦ରୁ ୨୪୦ କିଲୋମିଟର ପର୍ଯ୍ୟନ୍ତ ରହିଛି ବୋଲି ଅମ୍ଫାନ ସଂପର୍କରେ ତାହା ସୂଚନା ଦେବାକୁ ଯାଇ କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଆଜି ଅପରାହ୍ଣରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ଅମ୍ଫାନ୍‌ ଆସନ୍ତାକାଲି ଅର୍ଥାତ୍‌ ମେ ୨୦ ତାରିଖ ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ଏହା ଅତି-ଭୀଷଣ ସାମୁଦ୍ରିକ ବାତ୍ୟା ଭାବରେ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ସ୍ଥଳ ଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୮୫ ରୁ ୧୯୫ କିମି ସହ ଗଷ୍ଟିଙ୍ଗ ୨୧୦ କିମି ରହିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳରେ ୪ରୁ ୬ ମିଟର ଉଚ୍ଚତାରେ ଜୁଆର ମଧ୍ୟ ଉଠି ସ୍ଥଳଭାଗ ଆଡ଼କୁ ମାଡ଼ି ଆସିପାରେ ବୋଲି ମଧ୍ୟ ସେ କହିଛନ୍ତି।

ଅମ୍ଫାନର ପ୍ରଭାବରେ ପଶ୍ଚିମବଙ୍ଗର ବ୍ୟାପକ ଅଞ୍ଚଳରେ ପ୍ରଭୂତ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ତେବେ, ଓଡ଼ିଶା ଉପକୂଳରେ ଅମ୍ଫାନ ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷାହେବା ସହ ପବନ ମଧ୍ୟ ବହିବ। ଜଗତସିଂହପୁର ଠାରୁ ବାଲେଶ୍ୱର ଉପକୂଳ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୯୫ କିମି ଓ ଗଷ୍ଟିଙ୍ଗର ବେଗ ୧୧୦ କିମି ପର୍ଯ୍ୟନ୍ତ ରହିବ। ସେହିପରି ଗଞ୍ଜାମ ଠାରୁ ପୁରୀ ପର୍ଯ୍ୟନ୍ତ ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିବ। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଜି ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବା ସହ ଆସନ୍ତାକାଲି ସକାଳୁ ପବନ ବହିବା ଆରମ୍ଭ ହୋଇଯିବ ଏବଂ ବର୍ଷା ଓ ପବନର ବେଗ ଧୀରେଧୀରେ ବଢିବ ବୋଲି ସତର୍କ କରାଇ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ରାଜ୍ୟର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାଗୁଡ଼ିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହି ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’କୁ ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗ ଡୋପଲର୍‌ ରାଡାର ଦ୍ୱାରା ନିରନ୍ତର ଟ୍ରାକିଂ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର