ବାଲେଶ୍ବରରେ ଅମ୍ଫାନ କ୍ଷୟକ୍ଷତି ଆକଳନ

ନଷ୍ଟ ହୋଇଛି ୩୨.୩୧କୋଟି ଟଙ୍କାର ଚାଷ, ବାସଗୃହ ଓ ବିଦ୍ୟୁତ୍‌ ଭିତ୍ତିଭୂମି

ବାଲେଶ୍ବର: ସାମୁଦ୍ରିକ ମହାବାତ୍ୟା ଅମ୍ଫାନରେ ବାଲେଶ୍ବର ଜିଲ୍ଲାର କ୍ଷୟକ୍ଷତିକୁ ନେଇ ରିପୋର୍ଟ ଆସିଛି। ବର୍ଷା ପବନରେ ଜିଲ୍ଲାର ୧୨ ବ୍ଲକ ଏବଂ ୪ ସହରାଞ୍ଚଳର ପ୍ରଭାବିତ ହୋଇଥିବାବେଳେ ୪କୋଟି ୩ଲକ୍ଷ ୨୦, ୭୧୦ଟଙ୍କାର କୃଷିକ୍ଷେତ୍ର, ୮୩ହଜାର ଟଙ୍କାର ପଶୁସମ୍ପଦ, ୬୯ଲକ୍ଷ ୬୭ ହଜାର ଟଙ୍କାର ବାସଗୃହ, ୩୮ହଜାର ୩ଶହ ଟଙ୍କାର ବୋଟ ଓ ୨୮.୨୮କୋଟି ଟଙ୍କାର ବିଦ୍ୟୁତ୍ ଭିତ୍ତିଭୂମି ନଷ୍ଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।ବାତ୍ୟା ଅମ୍ଫାନରେ ୨୮୪୬.୫ ହେକ୍ଟର ଚାଷ ପ୍ରଭାବିତ ହୋଇଥିବା ବେଳେ ୧୭୩୮ଟି କଚାଘର ଆଂଶିକ, ୧୧୮ଟି ଚାଳଘର, ୧୮ଟି ପକ୍କାଘର, ୮ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ସେହିପରି ୨ଟି ଗୃହପାଳିତ ପଶୁ ଓ ୫୦୦ କୁକୁଡ଼ାବତକ ପ୍ରାଣ ହରାଇଛନ୍ତି।

ଚଳିତ ବାତ୍ୟାରେ ‌କୌଣସି ବ୍ୟକ୍ତି ପ୍ରାଣ ହରାଇନାହାନ୍ତି। ୧୨ବ୍ଲକରେ ୬୦ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ବାତ୍ୟା ଆସିବା ପୂର୍ବରୁ ୪୯ହଜାର ୫୬୪ ଲୋକଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଅଞ୍ଚଳରେ ଥିବା ଆଶ୍ରୟସ୍ଥଳୀଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। ମିଳିଥିବା ତଥ୍ୟ ଅନୁଯାୟୀ, ଭୋଗରାଇ ବ୍ଲକରେ ସର୍ବାଧିକ କୃଷିକ୍ଷେତ୍ର ଓ ବାସଗୃହ ପ୍ରଭାବିତ ହୋଇଛି।

କୃଷିକ୍ଷେତ୍ରରେ ୨୩୩୦ ହେକ୍ଟର ପନିପରିବା, ଧାନ ଓ ପାନ ଚାଷ ନଷ୍ଟ ହୋଇଥିବାବେଳେ ୪୪୨ଟି ବାସଗୃହ କ୍ଷତି ହୋଇଛି। ଜଳେଶ୍ବରରେ ୩୨୪ ହେକ୍ଟର ଚାଷ ଓ ୩୦୬ ଘର, ବାଲିଆପାଳରେ ୧୩.୯ହେକ୍ଟର ଚାଷ ଓ ୧୮୪ ଘର, ରେମୁଣାରେ ୧୪୦ ହେକ୍ଟର ଚାଷ ଓ ୩୧ ଘର, ନୀଳଗିରିରେ ୨୫.୫ ହେକ୍ଟର ଚାଷ ଓ ୧୩୦ ଘର, ବାହାନଗାରେ ୧୧.୭ହେକ୍ଟର ଚାଷ ଓ ୧୩୪ ଘର, ସୋରରେ ୧.୪ ହେକ୍ଟର ଚାଷ ଓ ୧୮୨ ଘର ନଷ୍ଟ ହୋଇଛି। ସେହିପରି ବାଲେଶ୍ବରରେ ୧୬୬, ବସ୍ତାରେ ୧୪୨, ସିମୁଳିଆରେ ୨୧, ଖଇରାରେ ୧୦୮, ଔପଦାରେ ୩୫ଟି ଘର ନଷ୍ଟ ହୋଇଥିବାବେଳେ ‌କୃଷିକ୍ଷେତ୍ରରେ କୌଣସି କ୍ଷୟକ୍ଷତି ହୋଇନଥିବା ଦର୍ଶାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ଏହି ରିପୋର୍ଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପଠାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର