ଅମ୍ଫାନ୍ ପାଇଁ ଅଗ୍ନିଶମ ବିଭାଗ ସଜାଗ: ଗଞ୍ଜାମ ଜିଲ୍ଲାରେ ୫୦ ଟିମ୍ ପ୍ରସ୍ତୁତ

ବ୍ରହ୍ମପୁର (ଜ୍ଞାନଚାନ୍ଦ୍ ଜଗନ୍ନାଥ): ଆସୁଛି ବାତ୍ୟା ‘ଅମ୍ଫାନ୍’। ସ୍ଥଳଭାଗ ଛୁଇଁବା ପୂର୍ବରୁ ଆଜିଠୁ ବର୍ଷା ଆରମ୍ଭ ହୋଇଗଲାଣି। ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ଅଗ୍ନଶିମ ବିଭାଗ ଅଣ୍ଟା ଭିଡ଼ିଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାକୁ ବାତ୍ୟା ବିପଦ ନଥିଲେ ହେଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ କେଉଁଠି ଗଛ ଭାଙ୍ଗିବା ସହ ରାସ୍ତା ଅବ‌ରୋଧ ଓ ବନ୍ୟା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି। ଏଥିପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଗଞ୍ଜାମ ଜିଲ୍ଲା ବନ୍ୟା ଓ ବାତ୍ୟାପ୍ରବଣ ଜିଲ୍ଲା ଅଟେ। ପୂର୍ବରୁ ଜିଲ୍ଲାବାସୀ ୧୯୯୯ ମହାବାତ୍ୟା, ଫାଇଲିନ୍ ଓ ହୁଡ଼୍‌ହୁଡ଼୍ ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟର କରାଳ ରୂପକୁ ଅଙ୍ଗେ ନିଭାଇଛନ୍ତି। ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ଅଗ୍ନିଶମ ବିଭାଗ ସୁଚାରୂ ରୂପେ ନିଜ ଦାୟିତ୍ବ ସଂପନ୍ନ କରିଆସିଛି।
ଗଞ୍ଜାମ ଜିଲ୍ଲାରେ ମୋଟ ୨୪ଟି ଅଗ୍ନିଶମ କେନ୍ଦ୍ର ରହିଥିବା ବେଳେ ୨୨ଟି ବ୍ଲକରେ ୨୨ଟି କେନ୍ଦ୍ର, ବ୍ରହ୍ମପୁର ମହାନଗର ନିଗମରେ ଗୋଟିଏ ଓ ବଡ଼ ମେଡ଼ିକାଲରେ ଗୋଟିଏ କେନ୍ଦ୍ର ରହିଛି। ଅମ୍ଫାନ୍‌ ମୁକାବିଲା ପାଇଁ ଜିଲ୍ଲାରେ ପାଖାପାଖି ୫୦ଟି ଟିମ୍ ଗଠନ ହୋଇଛି। ଜିଲ୍ଲାର ୨୨ଟି ବ୍ଲକରେ ୨ଟି ଲେଖାଏଁ ମୋଟ ୪୪ଟି ଟିମ୍ ପ୍ରସ୍ତୁତ ରହିଛନ୍ତି। ଗୋଟିଏ ଟିମ୍‌ରେ ୭ଜଣ ଲେଖାଏଁ କର୍ମଚାରୀ ରହିଛନ୍ତି। ଏଥିସହ ବଡ଼ମେଡିକାଲରେ ଗୋଟିଏ ଟିମ୍ ରହିଥିବା ବେଳେ ବ୍ରହ୍ମପୁର ମହାନଗରରେ ଥିବା କେନ୍ଦ୍ରରେ ୫ଟି ଟିମ୍ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି। ସେହିପରି ୫ଟି ଟିମ୍ ମଧ୍ୟରୁ ରାୟଗଡ଼ା ଓ କୋରାପୁଟ ଜିଲ୍ଲାରୁ ୨ଟିମ୍ ଆସିଛନ୍ତି। ଉକ୍ତ ଦୁଇଟି ଟିମ୍ ସ୍ଥାନୀୟ ଚାଚା ନେହରୁ ବିଦ୍ୟାଳୟରେ ଅଛନ୍ତି।

ଏଥିସହ ଜିଲ୍ଲାର ସମସ୍ତ ଟିମ୍ ପାଇଁ ଗୋଟିଏ ଲେଖାଏଁ ଅଗ୍ନିଶମ ଗାଡ଼ି ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ପ୍ରତିଟି କେନ୍ଦ୍ରରେ ମେକାନିକାଲ୍ କରତ, କଟର ମେସିନ୍, ଆସ୍କା ଲାଇଟ୍, ପାୱାର ବୋଟ୍, ଦଉଡ଼ି, ଲାଇଫ୍ ବଏ ଓ ଲାଇଫ୍ ଜ୍ୟାକେଟ୍ ମଧ୍ୟ ରଖାଯାଇଛି। ବ୍ରହ୍ମପୁର ମହାନଗରରେ ଥିବା କେନ୍ଦ୍ରରେ ୩୫ ଜଣ ଅଗ୍ନିଶମ କର୍ମଚାରୀ ଏଥିପାଇଁ ପ୍ରସ୍ତୁତ ରହିଥିବା ବେଳେ ୫ଟି ଟିମ୍‌ ପାଇଁ ୫ଟି ଗାଡ଼ି, ‌୧୫ଟି ମେକାନିକାଲ୍ କରତ, ୮ଟି ଆସ୍କା ଲାଇଟ୍, ୧୫ଟି ଲାଇଫ୍ ବୟ, ୩୦ଟି ଲାଇଫ୍ ଜ୍ୟାକେଟ୍, ୫ଟି ଦଉଡ଼ି ଓ ଗୋଟିଏ ଲେଖାଏଁ ପାୱାର ବୋଟ୍, ହାଇଡ଼୍ରୋଲିକ୍ କଟର, ହାଇଡ଼୍ରୋଲିକ୍ ସ୍ପ୍ରେଡ଼ର୍, କମ୍ବିଟୁର୍ କଟର ଓ ରାମ ଜ୍ୟାକ୍ ରହିଛି ବୋଲି ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ରର ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ପ୍ରକାଶ କରିଛନ୍ତି।

ସେ କହିବାନୁଯାୟୀ, ବାତ୍ୟା ହେବାର ପୂର୍ବାନୁମାନ ମିଳିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛୁ। ଯେଉଁଠି ଗଛ, ହୋର୍ଡ଼ିଂ କିମ୍ବା ଖୁଣ୍ଟ କୌଣସି ପୋଲ ଭାଙ୍ଗି ରାସ୍ତା ଉପରେ ପଡ଼ିବ ସେଠାରେ ଟିମ୍ ପହଞ୍ଚି ତୁରନ୍ତ ହଟାଇବେ। ଏଥିପାଇଁ ଉନ୍ନତମାନର କଟର୍‌ ପ୍ରସ୍ତୁତ ରଖାଯାଇଛି। ପାଣି ନିଷ୍କାସନ ପାଇଁ ମୋଟର ପ୍ରସ୍ତୁତ ରହିଛି। ବନ୍ୟା ପରିସ୍ଥିତି ଉପୁଜିଲେ ବୋଟ୍ ସାହାଯ୍ୟରେ ସେଠାରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନିଆଯିବ। ଏଥିସହ ପ୍ରଶାସନର ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ରିଲିଫ୍ ବଣ୍ଟନ ମଧ୍ୟ କରାଯିବ। ଏଥିସହ ପ୍ରତ୍ୟେକ ବ୍ଲକରେ ଥିବା କେନ୍ଦ୍ରରେ ସମସ୍ତ ଟିମ୍ ଗୁଡ଼ିକ ପ୍ରସ୍ତୁତ ହୋଇ ରହିଥିବା ନେଇ କହିଛନ୍ତି।

ସମ୍ବନ୍ଧିତ ଖବର