ଭୁବନେଶ୍ବର: ତୁହାକୁ ତୁହା ବର୍ଷା ଲାଗି ରହିଥିଲା। କେଉଁଠି ଶହେ, ଆଉ କେଉଁଠି ଦୁଇଶହ ମିଲିମିଟରରୁ ଅଧିକ। ପୁଣି କେଉଁଠି ପବନ ଘର ଛପର ଉଡ଼ାଇ ନେଇଥିଲା ତ ଆଉ କେଉଁଠି ବିଶାଳ ଦ୍ରୁମ ଭଳି ଗଛକୁ ମୋଡ଼ି ଫିଙ୍ଗିଦେଇଥିଲା। ବିଦ୍ୟୁତ ଖୁଣ୍ଟ ବଙ୍କା କରିଦେଇଥିଲା, କିଛି ସ୍ଥାନରେ ଟ୍ରାନ୍‌ସଫର୍ମର ବି। ସାଇନ ବୋର୍ଡ, ପାଚେରିକୁ ଠେଲି ଦେଇଥିଲା ଗୋଟିଏ ଗୋଟିଏ ଧକ୍କାରେ। କ୍ଷୟକ୍ଷତିର ବିଶଦ ରିପୋର୍ଟ ହାତରେ ଲାଗିନଥିଲେ ହେଁ, ସୁ ସୁ କରି ମାଡ଼ି ଆସି ମହାବାତ୍ୟା ‘ଅମ୍ଫାନ’ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଉପକୂଳବର୍ତୀ ଅଞ୍ଚଳରେ ଆଜି ସକାଳୁ ପାଖାପାଖି ୧୨ ଘଣ୍ଟା ଧରି ଏଭଳି ବିତ୍ପାତ ରଚିଛି। ଉପକୂଳବର୍ତୀ ଗଞ୍ଜାମ, ପୁରୀ, ଖୋର୍ଧା, କଟକ, ଯାଜପୁର, ମୟୂରଭଂଜ ଅଞ୍ଚଳରେ ମଧ୍ୟ ଅଳ୍ପବହୁତେ ବାତ୍ୟା ପ୍ରଭାବ ଦେଖିବାକୁ ମିଳିଥିଲା। ହେଲେ ବାତ୍ୟା କ୍ରମଶଃ ଦୁର୍ବଳ ହୋଇଥିବା କାରଣରୁ ତାର ପ୍ରକୋପ ହ୍ରାସ ପାଇଥିଲା ଓ ଉତ୍ତର ଓଡ଼ିଶା ଏକ ବଡ଼ ଧରଣର ବିପର୍ଯ୍ୟୟରୁ ବର୍ତ୍ତିଯାଇଥିଲା।

Advertisment

ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସ୍‌ଆର୍‌ସି

ଏପଟେ ପାରାଦୀପରେ ସର୍ବାଧିକ ୨୦୦ ମିଲିମିଟରରୁ ଢେର୍ ଅଧିକ ବର୍ଷା ହୋଇଥିଲା। ବାଲେଶ୍ବର, ଚାନ୍ଦବାଲି, ଭୁବନେଶ୍ବର, ପୁରୀ ଆଦି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଥିବା ପାଣିପାଗ ପକ୍ଷରୁ କୁହାଯାଇଥିଲା। ଘଣ୍ଟା ପ୍ରତି ୧୦୬ କିଲୋମିଟର ବେଗରେ ପବନ ବହିଥିଲା। ବାଲେଶ୍ବରରେ ୯୧ ଓ ଚାନ୍ଦବାଲିେର ୭୪ କିଲୋମିଟର ବେଗରେ ପବନ ବହିଥିଲା। ରାଜଧାନୀରେ ସର୍ବାଧିକ ୫୬ କିଲୋମିଟର ବେଗରେ ପବନ ହୋଇଥିଲା। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଶହ ଶହ େହକ୍ଟର ଜମିରେ ପଡ଼ି ପାଚିଲା ଧାନ ଗଛ ଶୋଇଯାଇଥିବା ଜଣାପଡ଼ିଛି। ବାତ୍ୟା ସତର୍କତା ମୋଟ ୧୨ଟି ଜିଲ୍ଲାକୁ ଜାରି କରାଯାଇଥିଲା। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ୪୮ ଘଣ୍ଟା ମଧ୍ୟରେ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ସେମାନେ ରିପୋର୍ଟ ଦେବା ପରେ କେଉଁ ଜିଲ୍ଲାରେ କେତେ କ୍ଷତି ଘଟିଛି, ତାହା ଜଣାପଡିବ। ତେବେ ମୋଟ ୧ଲକ୍ଷ ୬୨ ହଜାର ୯୯୧ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ୩୨୨୮ଟି ଆଶ୍ରୟସ୍ଥଳୀରେ ଏମାନେ ରହିଥିଲେ। ଏନଡିଆରଏଫର ୨୦ଟି ୟୁନିଟ୍, ଓଡ୍ରାଫର ୧୬ଟି ଓ ଅଗ୍ନିଶମ ସଂସ୍ଥାର ୨୧୭ଟି ଟିମ୍ କାର୍ଯ୍ୟ କରିଥିଲେ। ୧୧୫ଟି ଫିଡ଼ର ଓ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଂଜ, ଜଗତସିଂହପୁର, ଗଞ୍ଜାମ ଜିଲ୍ଲାରେ ୧୯ ଲକ୍ଷ ୩୮ ହଜାର ୩୮୨ ଉପଭୋକ୍ତା ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟାରେ ୩୩କେଭି ଲାଇନର ୮୩ କିଲୋମିଟର, ୧୧ କେଭି ଲାଇନ ୩୯୬ କିଲୋମିଟର, ୮୫୫ କିଲୋମିଟର ଏଲଟି ଲାଇନ୍ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଆସନ୍ତାକାଲି ସୁଦ୍ଧା ସବୁ ପ୍ରଭାବିତ ଜିଲ୍ଲାରେ ବିଦ୍ୟୁତ ସେବାରେ ସୁଧାର ଅଣାଯିବ ବୋଲି ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଗଣମାଧ୍ୟମକୁ କହିଛନ୍ତି। ୯୦ ପ୍ରତିଶତ ଟେଲିଫୋନ୍ ଟାଵାର ସୁରକ୍ଷିତ ଅଛି। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆମେ ଯେମିତି ଆକଳନ କରିଥିଲୁ, ବାତ୍ୟା ସେମିତି ଗତି କରିଛି। ସୁନ୍ଦରବନ ଅଞ୍ଚଳରେ ହିଁ ବାତ୍ୟା ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁଛି। ପରେ ଏହା କୋଲକାତା ଆଡ଼କୁ ମୁହାଁଇଛି। ଓଡ଼ିଶା ଉପରୁ ଅମ୍ଫାନ୍‌ର ବିପଦ ଟଳିଯାଇଛି। ଆସନ୍ତାକାଲିଠାରୁ ଓଡ଼ିଶାରେ ଆଉ ବର୍ଷା େହବନାହିଁ।

ଆଜି ସକାଳେ ମହାବାତ୍ୟା ଅମ୍ଫାନର ପ୍ରଭାବ କମି ଭୀଷଣ ବାତ୍ୟା ରୂପ ନେବା ସହ ଆଗକୁ ବଢ଼ିଥିଲା। ପୂର୍ବାହ୍ନ ୯ଟାରେ ବାତ୍ୟାର ଗତି ବଢି ୨୨କିଲୋମିଟର ଛୁଇଁଥିଲା, ଯେତେବେଳେ ସେ ପାରାଦୀପଠାରୁ ୧୨୦ କିଲୋମିଟର ଦୂରରେ ଗତି କରୁଥିଲା। ଧୀରେ ଧୀରେ ପବନର ବେଗ ବଢ଼ିଥିଲା। ବାତ୍ୟା ଯେତିକି ଆଗକୁ ବଢୁଥିଲା, ପବନର ଗତି ସେତିକି କମିଯାଉଥିଲା ଓ େକଇ ଘଣ୍ଟା ମଧ୍ୟରେ ପାଗରେ ବଡ଼ ଧରଣର ପରିବର୍ତନ ଲକ୍ଷ୍ୟ କରାଯାଇଥିଲା। ତେବେ ବାତ୍ୟାର ଆଖି ପାଖାପାଖି ୪୦ କିଲୋମିଟର ଥିଲା ଓ ଆଇ ଵାଲ ୧୨୦ କିଲୋମିଟର ଦୀର୍ଘ ଥିଲା। ଏଣୁ ଅପରାହ୍ନ ୨ଟା ୩୦ ବେଳକୁ ବାତ୍ୟା ସ୍ଥଳଭାଗକୁ ସ୍ପର୍ଶ କରିଥିଲେ ହେଁ, ପୂର୍ଣ୍ଣ ଭାବେ ପ୍ରବେଶ କରିବା ଲାଗି ପ୍ରାୟ ସାଢେ ତିନି ଘଣ୍ଟା ଲାଗିଯାଇଥିଲା। ବଙ୍ଗୋପସାଗରରେ ଏହି ବାତ୍ୟା ସଂପର୍କରେ ‘ସମ୍ବାଦ’ ପ୍ରଥମେ ତାର ୪ ତାରିଖ ସଂସ୍କରଣରେ ରିପୋର୍ଟ ପ୍ରକାଶ କରିଥିଲା ଓ ୮ ତାରିଖରେ ସ୍ପଷ୍ଟ କରିଦେଇଥିଲା ଯେ ବାତ୍ୟା ଓ଼ଡ଼ିଶାରେ ମାଡ଼ ହେବାର ନାହିଁ।