ଅମ୍ଫାନ କ୍ଷତି: ୪ ଜିଲ୍ଲା ଭୀଷଣ, ୬ ଆଂଶିକ ପ୍ରଭାବିତ

ସରକାରଙ୍କ ପ୍ରାଥମିକ କ୍ଷୟକ୍ଷତି ଆକଳନ, ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍‌ମାର୍‌ ହେଲା ୫୦୦ ଘର

ଭୁବନେଶ୍ବର: ମହାବାତ୍ୟା ଅମ୍ଫାନ୍‌ ପ୍ରଭାବରେ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆଉ ୬ଟି ଜିଲ୍ଲାରେ ବି ଅମ୍ଫାନ ତା’ର ପ୍ରକୋପ ଦେଖାଇଛି। ପୁରୀ, ମୟୂରଭଞ୍ଜ, କଟକ, ଯାଜପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ଆଂଶିକ କ୍ଷୟକ୍ଷତି ଘଟାଇଛି। ଏସବୁ ଜିଲ୍ଲାରେ ୪୪ ଲକ୍ଷ ୪୪ ହଜାର ୮୯୬ ଜଣ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି। ପ୍ରାୟ ୧ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ମହାବାତ୍ୟାରେ କୌଣସି ବ୍ୟକ୍ତି ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ଆଜି ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ କ୍ଷୟକ୍ଷତି ନେଇ ଏମିତି ପ୍ରାଥମିକ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଗତ ୨୦ ତାରିଖ ସନ୍ଧ୍ୟାରେ ଅମ୍ଫାନ୍‌ ଯୋଗୁଁ ୧୦ଟି ଜିଲ୍ଲାର ୯୨ଟି ବ୍ଲକ୍‌, ୧୫୫୮ ଗ୍ରାମ ପଞ୍ଚାୟତ ଓ ୯୮୩୩ଟି ଗାଁ ପ୍ରଭାବିତ ହୋଇଛି। ଏହା ସହିତ ୨୨ଟି ସହରାଞ୍ଚଳର ୨୭୨ଟି ଵାର୍ଡରେ କ୍ଷୟକ୍ଷତି ହୋଇଛି। ଏସବୁ ଜିଲ୍ଲାରେ ୫୦୦ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୫ ହଜାର ଘର ଆଂଶିକ ନଷ୍ଟ ହୋଇଛି। ୩୭ଟି ଛୋଟବଡ଼ ପ୍ରାଣୀଙ୍କ ସମେତ ୩ ହଜାର ୬୮୦ କୁକୁଡ଼ା ମରିଛନ୍ତି। ସେହିପରି ୮ ଲକ୍ଷ ୭୨ ହଜାର ୪୯ଟି ଗୋରୁଗାଈ ପ୍ରଭାବିତ ହୋଇଛନ୍ତି। ମହାବାତ୍ୟାର ପ୍ରଭାବରେ ୧୫୧.୦୫ କିଲୋମିଟର ରାସ୍ତା ଓ ୪୨ଟି ଛୋଟ ବ୍ରିଜ୍‌ କ୍ଷତିଗ୍ରସ୍ତ ହୋଇଛି। ୬୪୬ଟି ଅଙ୍ଗନବାଡ଼ି କେନ୍ଦ୍ର, ୧୫୫୨ଟି ପ୍ରାଥମିକ ବିଦ୍ୟାଳୟ, ୨୯୮ଟି ଗ୍ରାମ ପଞ୍ଚାୟତ କୋଠାଘର, ୩୪ କିଲୋମିଟର ପର୍ଯ୍ୟନ୍ତ ୩୩ କେ.ଭି ବିଦ୍ୟୁତ ଲାଇନ, ୪୫୩ କିଲୋମିଟର ପର୍ଯ୍ୟନ୍ତ ୧୧ କେ.ଭି, ୬୮୦ କିଲୋମିଟର ପର୍ଯ୍ୟନ୍ତ ଏଲ୍‌ଟି ସଂଯୋଗ ଓ ୨ ହଜାର ୪୩୯ଟି ଟ୍ରାନ୍‌ସ୍‌ଫର୍‌ମର୍‌ ନଷ୍ଟ ହୋଇଛି। ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ୪ ହଜାର ୯୩୦ଟି ଟେଲିକମ୍‌ ଟାୱାର ନଷ୍ଟ ହୋଇଛି। ସେହିପରି ପ୍ରାଥମିକ ତଥ୍ୟ ଅନୁଯାୟୀ, ମହାବାତ୍ୟାରେ ୧୪ଟି ବୋଟ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୪୧ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ମତ୍ସ୍ୟଜୀବୀମାନଙ୍କର ୪୧ଟି ମାଛଧରା ଜାଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କଟକ ଓ ବାଲେଶ୍ବର ଜଙ୍ଗଲ ଡିଭିଜନ୍‌ରେ ୪ ହଜାର ବଡ଼ ଗଛ ସମ୍ପୂର୍ଣ୍ଣ ଉପୁଡ଼ି ପଡ଼ିଥିବାବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ରେଞ୍ଜରେ ୨ ହଜାର ଝାଉଁଗଛ ସମ୍ପୂର୍ଣ୍ଣ ଉପୁଡ଼ି ପଡ଼ିଛି।

ବାତ୍ୟା ପୂର୍ବରୁ ଆଗୁଆ ସତର୍କତା ସ୍ବରୂପ ରାଜ୍ୟ ସରକାର ୨ ଲକ୍ଷ ୩୪୬ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ୨୧୦ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍‌, ୭୫ଟି ପ୍ରାଣୀ ଚିକିତ୍ସା ଦଳ, ୭୯ ଜଣ ପ୍ରାଣୀ ଚିକିତ୍ସକ ଓ ୩୧୦ ଜଣ ପାରା ଭେଟେରିନାରି କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ପ୍ରଭାବିତ ଅଞ୍ଚଳରେ ୩୨ଟି ଅସ୍ଥାୟୀ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ୧୨୪୨ଟି ପ୍ରାଣୀଙ୍କର ଚିକିତ୍ସା କରାଯାଇ ୯୦୦ଟି ପଶୁଙ୍କୁ ଟିକାକରଣ କରାଯାଇଛି। ବାତ୍ୟାରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପାଇଁ ୧୯ଟି ଏନ୍‌ଡିଆର୍‌ଏଫ୍‌, ୧୨ଟି ଓଡ୍ରାଫ୍‌, ୧୫୬ଟି ଅଗ୍ନିଶମବାହିନୀ ଟିମ୍‌ ଓ ୨ଟି ଓଏଫ୍‌ଡିସି ଟିମ୍‌ ମୁତୟନ କରାଯାଇଥିଲା।

ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ନେଇ ସରକାର ଦର୍ଶାଇଛନ୍ତି, ପ୍ରଭାବିତ ଜିଲ୍ଲାରେ ୮୫% ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ପୁନଃଅବସ୍ଥାପିତ କରାଯାଇଥିବା ବେଳେ ଆସନ୍ତା ଦିନେ ଦୁଇଦିନ ଭିତରେ ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ୯୦% ଟେଲିକମ୍‌ ଟା​​ଵାର୍‌ କାର୍ଯ୍ୟକ୍ଷମ ହୋଇଛି। ଗଛପଡ଼ି ଅବରୋଧ ହୋଇଥିବା ୨୯୦ଟି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଫା କରାଯାଇଛି। ଆସନ୍ତା ୨୬ ତାରିଖ ସୁଦ୍ଧା ଚୂଡ଼ାନ୍ତ ଫସଲ କ୍ଷୟକ୍ଷତି ରିପୋର୍ଟ ମିଳିବ। ସେହିପରି ଘର ଭଙ୍ଗା ରିପୋର୍ଟ ପ୍ରସ୍ତୁତ ପାଇଁ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଯେ ପର୍ଯ୍ୟନ୍ତ ସମସ୍ତ କ୍ଷତିଗ୍ରସ୍ତଙ୍କ ଘର ଭଙ୍ଗା ରିପୋର୍ଟ ପ୍ରସ୍ତୁତ ହୋଇନି ସେ ପର୍ଯ୍ୟନ୍ତ ଛୁଟି ଦିନରେ ବି ସେମାନେ କାର୍ଯ୍ୟ କରିବେ। ଆସନ୍ତା ୨୬ ତାରିଖ ସୁଦ୍ଧା ଚୂଡ଼ାନ୍ତ ଘର ଭଙ୍ଗା ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଜିଲ୍ଲାରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଯୋଗୁ ପାଇପ ଜଳ ଯୋଗାଣ ବ୍ୟାହତ ହୋଇଥିଲା। କିନ୍ତୁ ବିଦ୍ୟୁତ ସଂଯୋଗ ପୁନରୁଦ୍ଧାର ହେବାରୁ ଗ୍ରାମାଞ୍ଚଳରେ ଏବେସୁଦ୍ଧା ୯୩% ପାଇପ ଜଳ ଯୋଗାଣ ପୁଣି ଥରେ ଉପଲବ୍ଧ କରାଯାଇପାରିଛି। ତଥାପି ପ୍ରଭାବିତ ଅଞ୍ଚଳରେ ପିଇବା ପାଣି ଯୋଗାଇବା ପାଇଁ ୮୧ଟି ଓ୍ବାଟର୍‌ ଟ୍ୟାଙ୍କର ନିୟୋଜିତ କରାଯାଇଛି। ସହରାଞ୍ଚଳରେ ୪୦୧ଟି ପମ୍ପ୍‌ ହାଉସରୁ ୩୭୬ଟିକୁ ପୁଣିଥରେ କାର୍ଯ୍ୟକ୍ଷମ କରାଯାଇପାରିଛି। ବିଦ୍ୟୁତ ସଂଯୋଗ ନଥିବା ସ୍ଥାନରେ ଥିବା ପମ୍ପ୍‌ ହାଉସ୍‌ ଚାଲୁ ରଖିବା ପାଇଁ ୨୫ଟି ଡିଜେଲ୍‌ ଜେନେରେଟର୍‌ ସେଟ୍‌ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର