କଟକ: ୫୦ ବର୍ଷରୁ ଅଧିକ ସମୟ ଧରି ଅମୃତମଣୋହି ସମ୍ପତ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ଦଖଲ କରିଥିଲେ ମଧ୍ୟ ବେଆଇନ ଜବର ଦଖଲକାରୀଙ୍କ ନାଁରେ ଏହାକୁ କରାଯାଇ ପାରିବ ନାହିଁ। ଏପରି ଦଖଲରେ ଥିବା ବ୍ୟକ୍ତି ଭୋଟର ପରିଚୟପତ୍ର, ଆଧାର କାର୍ଡ, ରାସନ କାର୍ଡ, ବିଦ୍ୟୁତ ବିଲ୍ ହାସଲ କରିଥିଲେ ମଧ୍ୟ ଅମୃତମଣୋହି ଜମି ଉପରେ ସେମାନଙ୍କ ଦଖଲ ଅଧିକୃତ ନୁହେଁ। ଏପରି ପରିଚୟପତ୍ର, କାର୍ଡ ଇତ୍ୟାଦି ନଥିପତ୍ର ଏପରି ବ୍ୟକ୍ତିଙ୍କ ନିବାସ ସ୍ଥାନ ଦର୍ଶାଇଥାଏ, ଜମି ଉପରେ ଆଇନଗତ ଅଧିକାର ପ୍ରଦାନ କରି ନଥାଏ ବୋଲି ହାଇକୋର୍ଟ କହିଛନ୍ତି।
ଏଥି ସହିତ କଟକ ସଦର ତହସିଲ ଅନ୍ତର୍ଗତ ହାଟସାହି ମୌଜାରେ ରହିଥିବା ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସଂପତ୍ତିରୁ ଜବର ଦଖଲ ଉଚ୍ଛେଦ ପାଇଁ ଜାରି ନୋଟିସ ବିରୋଧରେ ଦାଏର ତିନୋଟି ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି।
ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବଷ୍ଣୁଚରଣ ସାହୁ ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନ ଗୁଡ଼ିକୁ ଖାରଜ କରିଛନ୍ତି। ଏଥି ସହିତ ଆବେଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ରୋକ ଲଗାଇ ପୂର୍ବରୁ ପ୍ରଦାନ କରାଯାଇଥିବା ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି।
ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଏହି ଜମି ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସଂପତ୍ତି ଓ ମହାପ୍ରଭୁଙ୍କ ନାଁରେ ରେକର୍ଡ ହୋଇରହିଛି। ଆବେଦନକାରୀମାନେ ବେଆଇନ ଭାବେ ଏହି ଜମି ଦଖଲରେ ରହିଥିବା ବେଳେ ସେମାନଙ୍କୁ ଉଚ୍ଛେଦ ପାଇଁ କଟକ ସଦର ଅତିରିକ୍ତ ତହସିଲଦାର ୨୦୨୪, ଜାନୁଆରି ୧୨ରେ ଜାରି କରିଥିବା ନୋଟିସ୍ ବୈଧ।
ଏଥି ସହିତ ଏହି ଜମି ଉପଯୁକ୍ତ ମୂଲ୍ୟ ନେଇ ଆବେଦନକାରୀଙ୍କ ନାଁରେ କରିବା ପାଇଁ ଦାଖଲ ଦରଖାସ୍ତକୁ ଖାରଜ କରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ(ରାଜସ୍ବ) ୨୦୨୪, ଫେବ୍ରୁଆରି ୨୧ରେ ଦେଇଥିବା ନିର୍ଦ୍ଦେଶ ଆଇନ ସମ୍ମତ, ବୈଧ ଓ ଆଇନ ଅନୁସାରେ ଗ୍ରହଣୀୟ ବୋଲି ହାଇକୋର୍ଟ କହିଛନ୍ତି।
ଶ୍ରୀଜଗନ୍ନାଥଙ୍କ ସଂପତ୍ତିରୁ ଜବରଦଖଲ ଉଚ୍ଛେଦ ପାଇଁ ଓପିଏଲଇ (ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ) ଆଇନ, ୧୯୭୨ ଅନୁସାରେ ତହସିଲଦାର ଉଚ୍ଛେଦ ପ୍ରକ୍ରିୟା କରି ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ର ଧାରା ୧୬-କ ଅନୁସାରେ ମହାପ୍ରଭୁଙ୍କ ଜମି ବେଆଇନ ଭାବେ ଦଖଲ କରାଯାଇଥିଲେ ଓପିଏଲଇ ଆଇନ ଲାଗୁ କରାଯାଇ ପାରିବ। ସରକାରଙ୍କ ଜମି ଭଳି ଶ୍ରୀଜଗନ୍ନାଥ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଓପିଏଲଇ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ହାଟସାହି ମୌଜାରେ ରହିଥିବା ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମିରେ ଆବେଦନକାରୀଙ୍କ ସମେତ ଶହେରୁ ଅଧିକ ପରିବାର ୫୦ ବର୍ଷରୁ ଅଧିକ ସମୟ ଧରି ଘର କରି ରହି ଆସୁଛନ୍ତି। ଏହି ଜମିରେ ଘର କରିବା ସହିତ ସେମାନେ ବିଦ୍ୟୁତ ସଂଯୋଗ ନେଇଛନ୍ତି। ଭୋଟର ପରିଚୟପତ୍ର, ଆଧାର କାର୍ଡ, ରାସନ କାର୍ଡ ହାସଲ କରିଛନ୍ତି। ତହସିଲ କାର୍ଯ୍ୟାଳୟରେ ଖଜଣା ଜମା କରୁଛନ୍ତି। ଏହି ଜମିରେ ସରକାରୀ ସ୍କୁଲ ରହିଥିବା ମଧ୍ୟ ଦର୍ଶାଯାଇଥିଲା।
୨୦୨୪, ଜାନୁଆରି ୧୨ରେ ଅତିରିକ୍ତ ତହସିଲଦାର ଏହି ଜମିରୁ ଉଚ୍ଛେଦ ପାଇଁ ଆବେଦନକାରୀଙ୍କୁ ନୋଟିସ୍ ଜାରି କରିଥିଲେ। ଆବେଦନକାରୀ ଏହି ଜମିକୁ କିଣିବାକୁ ଆଗ୍ରହୀ ତେଣୁ ଉପଯୁକ୍ତ ମୂଲ୍ୟ ନେଇ ଏହି ଜମିକୁ ସେମାନଙ୍କ ନାଁରେ ରେକର୍ଡ କରାଯାଉ ବୋଲି ଦର୍ଶାଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିକଟରେ ଦରଖାସ୍ତ ଦାଖଲ କରିଥିଲେ।
ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ଜମି ବିକ୍ରି ସମ୍ବନ୍ଧିୟ ସମାନ ନୀତି' ଅନୁସାରେ ଆବେଦନକାରୀଙ୍କୁ ଏହି ଜମି ପ୍ରଦାନ କରାଯାଉ ବୋଲି ଦର୍ଶାଯାଇ ଦାଖଲ ଦରଖାସ୍ତ ଖାରଜ ହୋଇଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୪, ଅଗଷ୍ଟ ୧୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ଉଚ୍ଛେଦ ନୋଟିସ୍ ଆଧାରରେ ଆବେଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ।