କଟକ : ସହରବାସୀଙ୍କ ଜୀବନ ପାଇଁ ମାଟିତଳ ଅମୃତ ଯୋଜନା ପାଣି ପାଇପ୍‌ ଏବେ ବିପଦ ସାଜିଛି। ବାରମ୍ବାର ଅଘଟଣକୁ ଏଡ଼ାଇବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୁଚାଛପାରେ ରାତିରେ ପାଣିସଂଯୋଗର ପରୀକ୍ଷା କରାଯାଉଛି। ଗତକାଲି ରାତି ସାଢେ୧୦ଟାରେ କ୍ୟାଣ୍ଟନମେଣ୍ଟ୍‌ ରୋଡ୍‌ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଏହିଭଳି ପରୀକ୍ଷା କରାଯାଇଥିଲା। ମାତ୍ର, ପୁଣିଥରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାଣି ପାଇପ୍‌ ଫାଟି ଯାଇଥିଲା। ପୂର୍ବରୁ ଘଟିଥିବା ରାଜାବଗିଚା ଓ ବାଦାମବାଡ଼ି ଘଟଣାକୁ ମିଶାଇଲେ ଏହା ହେଉଛି ତୃତୀୟ ଘଟଣା। ରାଜାବଗିଚା ଓ ବାଦାମବାଡ଼ିଠାରେ ଦିନରେ ଘଟିଥିବା ଘଟଣାର ଜଳଫୁଆରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Advertisment

ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଦେବା ପାଇଁ ସହରରେ ଆରମ୍ଭ ହୋଇଛି ଅମୃତ ଯୋଜନା। ରାସ୍ତା ତଳେ ପାଣିପାଇପ୍‌ ବିଛାଯାଇ ପାଣିଟାଙ୍କିରୁ ଲୋକଙ୍କ ଘରକୁ ପାଣି ସଂଯୋଗ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସିଡିଏରେ ନିର୍ମାଣ ହୋଇଥିବା ନଦୀଜଳ ବିଶୋଧନ ପ୍ଲାଣ୍ଟ୍‌ରୁ ସହରର ବିଭିନ୍ନ ପାଣିଟାଙ୍କିକୁ ପାଣି ପଠାଯାଉଛି। ଏଥିପାଇଁ ମହାନଦୀ ଓ କାଠଯୋଡି ରିଂ-ବନ୍ଧ ଦେଇ ଯାଇଥିବା ବଡ଼ ପାଇପ୍‌ ସହାଯ୍ୟରେ ବିଭିନ୍ନ ପାଣିଟାଙ୍କିକୁ ପାଣି ଛଡ଼ାଯାଉଛି। ଏହାର ପରୀକ୍ଷା କାମ ଚାଲିଥିବା ସମୟରେ ଚଳିତମାସ ୬ ତାରିଖରେ କାଠଯୋଡି ରିଂ-ବନ୍ଧର ନେତାଜୀ ସିଟି କଲେଜ ଆଗରେ ଓ ୧୦ ତାରିଖରେ ବାଦାମବାଡି ଟ୍ରାଫିକ୍‌ ଛକରେ ପାଣି ପାଇପ୍‌ ଫାଟିଥିଲା। ଏଥିରେ କେହି ଆହତ ହୋଇ ନଥିଲେ ବି ରାସ୍ତା ଉପରେ ୨୫ରୁ ୩୦ ଫୁଟ ଉଚ୍ଚର ପାଣି ଫୁଆରା ଉଠିଥିଲା। ସହର ମଧ୍ୟରେ ଅମୃତ ଯୋଜନାରେ ନିମ୍ନମାନର କାମ ହୋଇଥିବାର ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଥିଲା। ଏଭଳି ଘଟିବାକୁ ନେଇ ସେତେବେଳେ ବିଭାଗୀୟ ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।

ତେବେ ନିମ୍ନମାନର କାମ ଯୋଗୁଁ ହେଉଥିବା ଅଘଟଣକୁ ଲୁଚେଇବା ପାଇଁ ଏବେ ବିଭାଗ ବିଳମ୍ବିତ ରାତିରେ ଟେଷ୍ଟିଂ କାମ କରୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଗତକାଲି ରାତି ସାଢେ ୧୦ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁଣି ପାଣିପାଇପ୍‌ ଫାଟିଥିଲା। ରାତି‌ ସମୟରେ ଦୁର୍ଘଟଣା ଘଟିଥିବାରୁ ଏ ବିଷୟରେ କେହି ସୂଚନା ପାଇ ନଥିଲେ। ଅନ୍ୟପଟେ ଆଜି ବିଭାଗ ପକ୍ଷରୁ ଏହାର ମରାମତି କାମ କରାଯାଇଥିବା ଦେଖାଯାଇଛି। ତେବେ, ବାରମ୍ବାର ଏଭଳି ଅମୃତ ପାଣି ପାଇପ୍‌ ଫାଟୁଥିବାରୁ ଏହାର ସ୍ଥାୟିତ୍ବକୁ ନେଇ ଲୋକଙ୍କ ମନରେ ସନ୍ଦେହ ପ୍ରକାଶ ପାଇଲାଣି।