ଆଖି ବୁଜିଲେ ଅମ୍ରିତ ପ୍ରଧାନ, ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

ଭୁବନେଶ୍ୱର: ସଫଳତାର ସହ ଫୁସଫୁସ ପ୍ରତିରୋପଣ ପରେ ବି ଶେଷରେ ଆଖି ବୁଜିଦେଇଛନ୍ତି ଚେନ୍ନାଇରେ ଚିକିତ୍ସାଧୀନ ଥିବା ଓଡ଼ିଆ ଯୁବକ ଅମ୍ରିତ ପ୍ରଧାନ | ଆଜି ତାଙ୍କର ଦେହାନ୍ତ ହୋଇଯାଇଥିବା ନେଇ ତାଙ୍କ ଭଉଣୀ ସୂଚନା ଦେଇଛନ୍ତି | କିଛିଦିନ ତଳେ ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ ହୋଇଥିଲା | ସୂଚନା ଥାଉ କି କରୋନାରେ ଆକ୍ରାନ୍ତ ହେବା ପରେ ଅମ୍ରିତ ଗୁରୁତର ହୋଇପଡିଥିଲେ | ଏହା ପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯାଇଥିଲା | କରୋନାରେ ପୀଡ଼ିତ ହୋଇ ଅମ୍ରିତଙ୍କ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥିଲା।

ତାଙ୍କୁ ଏକ୍‌ମୋରେ ଚିକିତ୍ସା କରାଇବା ଜରୁରୀ ହୋଇପଡ଼ିବାରୁ ପରିବାରଲୋକ ଜୁନ୍ ୩ ତାରିଖ ଦିନ ଅମ୍ରିତଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଭୁବନେଶ୍ବର ଏମ୍‌ସରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯାଇଥିଲା। ସେଠାରେ ଦୀର୍ଘ ଦିନ ଧରି ତାଙ୍କର ଏକ୍‌ମୋ ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଅମ୍ରିତଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଥିଲା।

ଏହା ପରେ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା। ଫଳରେ ସେ ଠାର ମାଧ୍ୟମରେ କଥାବାର୍ତ୍ତା କରିପାରୁଥିଲେ। କିନ୍ତୁ ଫୁସଫୁସ୍‌ରେ କୌଣସି ପ୍ରକାର ଉନ୍ନତି ଦେଖା ନଦେବାରୁ ହସ୍ପିଟାଲ ପକ୍ଷରୁ ଫୁସ୍‌ଫୁସ୍ ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଫୁସଫୁସ ପ୍ରତିରୋପଣ ହୋଇଥିଲା | ଉଲ୍ଲେଖଯୋଗ୍ୟ ଯେ ଅମ୍ରିତଙ୍କ ଉନ୍ନତ ଚିକିତ୍ସା ପାଇଁ ତାଙ୍କ ଭଉଣୀ ମନୀଷା ଓ ସାଙ୍ଗମାନେ ମିଲାପ ଫଣ୍ଡ ରେଜର୍ ଜରିଆରେ ଅର୍ଥ ଯୋଗାଡ଼ କରିବାରେ ଲାଗି ପଡ଼ିଥି‌ଲେ। ସମ୍ବାଦ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଲୋକଙ୍କ ସହାୟତାର ହାତ ଲମ୍ବିଥିଲା।

ସମ୍ବନ୍ଧିତ ଖବର