ଆବଶ୍ୟକ ହେଲେ ଫୁସ୍ଫୁସ୍ ପ୍ରତିରୋପଣ ବି ହୋଇପାରେ
ଭଉଣୀ, ସାଙ୍ଗ ଓ ବନ୍ଧୁବାନ୍ଧବ ମିଶି ସଂଗ୍ରହ କରିଛନ୍ତି ୫୮ ଲକ୍ଷ ଟଙ୍କା
ଭୁବନେଶ୍ବର : କରୋନାରେ ପୀଡ଼ିତ ହୋଇ ପ୍ରାୟ ମାସେ ହେଲା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଇଞ୍ଜିନିୟର ଅମ୍ରିତ ପ୍ରଧାନ। ତେବେ ଏମିତି ଏକ ସଂକଟ ସମୟରେ ଅମ୍ରିତ ଏକା ନାହାନ୍ତି। ତାଙ୍କ ଜୀବନ ପଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି, ସାଙ୍ଗସାଥୀ, ଭଉଣୀ ମନୀଷା ଓ ବନ୍ଧୁବାନ୍ଧବ। ଚିକିତ୍ସା ପାଇଁ ପ୍ରାୟ କୋଟିଏ ଟଙ୍କାର ଆବଶ୍ୟକତା ଥିବା ବେଳେ ଏଯାଏ ସମସ୍ତେ ମିଶି ସଂଗ୍ରହ କରିଛନ୍ତି ୫୮ ଲକ୍ଷ ଟଙ୍କା। ଆଉ ଗୁରୁବାର ଦିନ ଉନ୍ନତ ଚିକିତ୍ସା ପାଇଁ ଅମ୍ରିତ୍ଙ୍କୁ ଏୟାର୍ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଏମ୍ସରୁ ଚେନ୍ନାଇ ଆପୋଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଚେନ୍ନାଇ ଆପୋଲୋ ହସ୍ପିଟାଲର ଏକ ୬ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ଏଠାରୁ ସାଙ୍ଗରେ ନେଇ ଯାଇଛନ୍ତି।
ଗତ ଏପ୍ରିଲ ମାସରେ ଅମ୍ରିତଙ୍କ ବାପାମା' କରୋନାରେ ଆକ୍ରାନ୍ତ ହେବାରୁ ସେମାନଙ୍କୁ ଚିକିତ୍ସା ଲାଗି ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅମ୍ରିତ ସେମାନଙ୍କ ଯତ୍ନ ନେଉଥିବା ବେଳେ କରୋନାରେ ସଂକ୍ରମିତ ହୋଇ ଯାଇଥିଲେ। ସେ ବ୍ରହ୍ମପୁର ସ୍ଥିତ ନିଜ ଘରେ ରହି ଚିକିତ୍ସିତ ହେଉଥିଲେ। ତେବେ କରୋନାରୁ ତାଙ୍କ ବାପାମା' ସୁସ୍ଥ ହୋଇଗଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମେ' ୨ ତାରିଖରେ ତାଙ୍କୁଏମ୍ସରେ ଅଣାଯାଇଥିଲା ଏବଂ ମେ' ୧୨ ପରେ ତାଙ୍କୁ ଭେଣ୍ଟିଲେଟର୍ରେ ରଖା ଯାଇଥିଲା। ପରୀକ୍ଷାରୁ ତାଙ୍କ ଫୁସଫୁସ୍ ବହୁ ପରିମାଣରେ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। କ୍ରମେ ସେ ସେପ୍ଟିସେମିଆରେ ପୀଡ଼ିତ ଥିବା ମଧ୍ୟ ଜଣାପଡ଼ିଥିଲା। ତେଣୁ ତାଙ୍କୁ ଆଇସିୟୁ ସହ ଏକ୍ମୋ ମେସିନ୍ ଦ୍ବାରା ଚିକିତ୍ସା କରିବା ଦରକାର ବୋଲି ଡାକ୍ତରମାନେ କହିଥିଲେ। ଏହା ଜାଣିବା ପରେ ଭଉଣୀ ମନୀଷା ଚେନ୍ନାଇ ଆପୋଲୋ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ। ଏଭଳି ଚିକିତ୍ସା ଲାଗି କୋଟିଏ ଟଙ୍କା ଆବଶ୍ୟକ ପଡ଼ିବ ବୋଲି ଜାଣିବା ପରେ ବି ସେ ଆଶା ଛାଡ଼ି ନଥିଲେ।
ମୋବାଇଲ୍ ଫୋନ୍ରେ ସେ ନିଜର ଓ ଅମ୍ରିତଙ୍କ ସାଙ୍ଗମାନଙ୍କୁ ଯୋଡ଼ି ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଥିଲେ। ଅର୍ଥ ଯୋଗାଡ଼ ହୋଇଯିବା ପରେ ଗତକାଲି ସନ୍ଧ୍ୟାରେ ଏକ ଡାକ୍ତରୀ ଟିମ ଚେନ୍ନାଇରୁ ଆସି ଭୁବନେଶ୍ବରରେ ପହଞ୍ଚି ରାତି ୧୧ଟାରୁ ଅମ୍ରିତକୁ ଏକମୋ ଇନିସିଏସନ ଆରମ୍ଭ କରିଥିଲେ। ଗୁରୁବାର ଅପରାହ୍ଣ ୩ଟାରେ ଆଉ ଏକ ଡାକ୍ତରୀ ଦଳ ଏୟାର୍ ଆମ୍ବୁଲାନ୍ସ ସହ ଆସି ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ଅମ୍ରିତଙ୍କୁ ଏମ୍ସରୁ ନେଇ ବିମାନବନ୍ଦରରେ ପହଞ୍ଚାଇ ଦିଆଯାଇଥିଲା। ବିମାନବନ୍ଦର ଯାଏ ଯାତ୍ରାକୁ ସୁଗମ କରିବା ପାଇଁ ସରକାରୀ ବ୍ୟବସ୍ଥା ଅନୁସାରେଏମ୍ସରୁ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ୍ କରିଡର କରାଯାଇଥିଲା। ଏହି ରାସ୍ତାରେ ସେତେବେଳେ ସବୁଯାକ ଗାଡ଼ି ଚଳାଚଳ ବନ୍ଦ ରଖା ଯାଇଥିଲା। ଫଳରେ ଆମ୍ବୁଲାନ୍ସକୁ ମାତ୍ର ୧୩ ମିନିଟ୍ ସମୟ ଲାଗିଥିଲା। ଏୟାର ଆମ୍ବୂଲାନ୍ସ ମଧ୍ୟ ନିର୍ଦ୍ଧାରିତ ସମୟରେ ବିମାନବନ୍ଦର ଛାଡ଼ିଥିଲା। ଏୟାର ଆମ୍ବୁଲାନ୍ସଟି ଚେନ୍ନାଇରେ ରାତି ୮ଟାରେ ପହଞ୍ଚିବା ପରେ ଅମ୍ରିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ଜଣାପଡ଼ିଛି।
ମନୀଷାଙ୍କ କହିବାନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସବୁ କିଛି ଭଗବାନଙ୍କ ଦୟାରୁ ଠିକ୍ ଚାଲିଛି। ଭୁବନେଶ୍ବର ଏମ୍ସର ଡାକ୍ତରମାନେ ଆଜି ଯାଏଁ ଅମ୍ରିତକୁ ଯେଉଁ ସମସ୍ତ ଚିକିତ୍ସା ଏବଂ ସହଯୋଗ କରିଛନ୍ତି, ସେଥିପାଇଁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ। ଅମ୍ରିତର ଚିକିତ୍ସା ପାଇଁ ମିଲାପ ଫଣ୍ଡରେଜର୍ରେ ପ୍ରାୟ ୫୮ଲକ୍ଷ ଟଙ୍କା ଯୋଗାଡ଼ ହୋଇଥିବା ବେଳେ ଆହୁରି ଅର୍ଥର ଦରକାର ଅଛି। ତେଣୁ ସାହାଯ୍ୟ କରିବାକୁ ଚାହୁଥିବା ବ୍ୟକ୍ତି ବା ଅନୁଷ୍ଠାନ ମୋବାଇଲ ନମ୍ବର ୭୭୧୦୦୨୮୦୧୫ରେ ଯୋଗାଯୋଗ କରିବା ପାଇଁ ମନିଷା ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅମ୍ରିତଙ୍କୁ କରୋନାରୁ ବଞ୍ଚାଇବା ଲଢ଼େଇରେ 'ସମ୍ବାଦ' ମଧ୍ୟ ସାମିଲ ହୋଇଥିଲା। ଅମ୍ରିତଙ୍କ ଚିକିତ୍ସା ଲାଗି ଅର୍ଥର ଆବଶ୍ୟକତା ଅଛି ବୋଲି କିଛିଦିନ ତଳେ 'ସମ୍ବାଦ'ରେ ଖବର ପ୍ରକାଶ ପାଇବା ପରେ ଅନେକ ଲୋକ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ।