ଭୁବନେଶ୍ବର: ୧୦୦ କୋଟିରୁ ଉର୍ଦ୍ଧ୍ବ ଠକେଇ ଅଭିଯୋଗରେ ଦିଆ ଡାଏରୀ ଏଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡ଼ର ଏମଡି ଅମ୍ରିତା କିଣ୍ଡୋଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଭୁବନେଶ୍ୱରରୁ ଅମ୍ରିତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ ଲିମିଟେଡର ଅଭିଯୋଗ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ ଲିମିଟେଡର ଅଭିଯୋଗ ମୁତାବକ, ସମ୍ବନ୍ଧ ଫାଇନାନ୍ସ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କିଣ୍ଡୋ ଜାଲ କ‌ାଗଜପତ୍ର ଦେଖାଇ ୫କୋଟି ଟଙ୍କା ଋଣ ଆଣିଥିଲେ, ଯାହାକୁ ସେ ପରେ ଫେରାଇ ନଥିଲେ। ଦୀପକ କିଣ୍ଡୋ ୨୦୨୦ ମସିହାରେ ଋଣ ପାଇଁ ଅନ୍ନପୂର୍ଣ୍ଣା ପ୍ରାଇଭେଟ ଲିମିଟେଡ଼କୁ ଆବେଦନ କରିଥିଲେ। ସ୍ବୟଂ ସହାୟକ ଗୋଷ୍ଠୀକୁୁ ଋଣ ଦେବା ପାଇଁ ସେ ଏହି ଋଣ ପାଇଁ ଆବେଦନ କରୁଥିବା କହିଥିଲେ। କିନ୍ତୁ ୫କୋଟି ନେବାପରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ନଦେଇ ସେ ଏହି ଟଙ୍କାକୁ ଆତ୍ମସାତ କରିଥିଲେ ଏବଂ ପରେ ଅନ୍ନପୂର୍ଣ୍ଣା ଫାଇନାନ୍ସକୁ ଟଙ୍କା ଫେରାଇ ନଥିଲେ।

ତେବେ କେବଳ ଅନ୍ନପୂର୍ଣ୍ଣା  ଫାଇନାନ୍ସ ନୁହେଁ ସମ୍ବନ୍ଧ ଫାଇନାନ୍ସ;  ଡିସିବି ବ୍ୟାଙ୍କ, ଏସଆଇଡିବିଆଇ, ବିଓପିଏ ପିଟିଇ ଲିମିଟେଡ ଏବଂ ଡିଆଇଏ ବିକାଶ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡଠାରୁ ପ୍ରାୟ ୧୦୦କୋଟି ଟଙ୍କା ଠକିଥିବା ଇଓଡବ୍ଲୁ କରିଥିବା ତଦନ୍ତରୁ ଜଣାପଡ଼ିଛି। କୋଟି କୋଟି ଟଙ୍କା ଠକିବା ପରେ ଦୀପକ ପ୍ରାୟ ୨୨.୭୨‌କୋଟି ଟଙ୍କା ଦିଆ ଡାଏରୀ ଏଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡ଼ର ଆକାଉଣ୍ଟକୁ ପଠାଇଥିବା ମଧ୍ୟ ସାମ୍ନାକୁ ଆସିଛି। ତେବେ ଏହା ଜଣାପଡ଼ିବା ପରେ ଏବେ ଅମ୍ରିତା କିଣ୍ଡୋଙ୍କୁ ଗିରଫ କରାଯାଇଛି। ଅମ୍ରିତା କିଣ୍ଡୋ ହେଉଛନ୍ତି ଦୀପକ କିଣ୍ଡୋଙ୍କ ପତ୍ନୀ।