ଅମୃତସର ଟ୍ରେନ୍‌ ଟ୍ରାଜେଡି ପରେ ଚେତିଲା ବିଭାଗ

ପ୍ରସ୍ତୁତ ହେଲା ଆକ୍ସନ ପ୍ଲାନ୍‌, ଅନଧିକାର ପ୍ରବେଶରେ କଠୋର କାର୍ଯ୍ୟାନୁଷ୍ଠାନ, ସବୁ ଷ୍ଟେସନ୍‌ରେ ହେବ ଫୁଟ୍‌ ଓଭର ବ୍ରିଜ୍‌

ଭୁବନେଶ୍ବର :ଅମୃତସରରେ ଘଟିଥିବା ଟ୍ରେନ୍‌ ଟ୍ରାଜେଡି ପରେ ରେଳ ବିଭାଗ ଚେଇଁଛି। ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପୂର୍ବତଟ ରେଳପଥ ଏକ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି। ରେଳ ଧାରଣାରେ ଅନଧିକାର ପ୍ରବେଶକୁ ଶତପ୍ରତିଶତ ରୋକିବା ପାଇଁ ପ୍ରସ୍ତୁତ ହୋଇଥିବା ଆକ୍ସନ ପ୍ଲାନ୍ ମୁତାବକ ରେଳବାଇ ସମ୍ପତ୍ତିରୁ ଅନଧିକାର ପ୍ରବେଶକୁ ରୋକିବା, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପାଚେରି ନିର୍ମାଣ, ଅପରାଧ ପ୍ରବଣ ଅଞ୍ଚଳ ଭାବେ ଚିହ୍ନିତ ସ୍ଥାନଗୁଡ଼ିକରେ ସିସିଟିଭି କ୍ୟାମେରା ସ୍ଥାପନ, ଷ୍ଟେସନ୍‌ ଟ୍ରାକ୍ ଅଞ୍ଚଳକୁ ଅନଧିକାର ପ୍ରବେଶ ରୋକିବା, ଅନଧିକାର ପ୍ରବେଶ ହେଉଥିବା ଅଞ୍ଚଳର ଚିହ୍ନଟକରଣ, ରେଳ ଧାରଣା ପାଖରେ ଯିବା ଆସିବା ସମୟରେ କିମ୍ବା ଟ୍ରେନ୍‌ରେ ଚଢ଼ିବା ଓ ଓହ୍ଲାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର ନ କରିବା, ରେଳ ଟ୍ରାକ୍ ପାର୍ଶ୍ୱ ଅଞ୍ଚଳରେ ରୁଣ୍ଡ ନ ହେବାକୁ ସଚେତନ କରାଇବା, ରେଳ ଟ୍ରାକ୍ ପାର୍ଶ୍ୱରେ ସେଲ୍ଫି ନ ନେବା, ଫୁଟ୍ ବୋର୍ଡ କିମ୍ବା ପ୍ଲାଟଫର୍ମ ଧାରରେ ଛିଡ଼ା ନ ହେବା, ବିପରୀତ ଦିଗରେ ଟ୍ରେନ୍‌ରୁ ଓହ୍ଲାଇବା ଓ ଚଢ଼ିବାକୁ ବାରଣ କରିବା, ଗତିଶୀଳ ଟ୍ରେନ୍‌ରେ ନ ଚଢ଼ିବା, ଟ୍ରେନ୍ କୋଚ୍‌ର ଦ୍ୱାର ପାଖରେ ଗହଳି ନ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଦିଗରେ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହୋଇଛି।

ଅନଧିକାର ପ୍ରବେଶକୁ ରୋକିବା ପାଇଁ ସମସ୍ତ ଛୋଟ ଷ୍ଟେସନ୍‌ ଏବଂ ପାସେଞ୍ଜର ହଲ୍ଟଗୁଡ଼ିକରେ ଫୁଟ୍ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ସମଗ୍ର ରେଳବାଇ ଜୋନ୍‌ଗୁଡ଼ିକରେ ସ୍ବଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ ସହ ଜଗୁଆଳି ବିହୀନ ଲେଭେଲ କ୍ରସିଙ୍ଗ୍‌ଗୁଡ଼ିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି। ଏନେଇ ନିୟମିତ ଭାବେ ସଚେତନତା ଅଭିଯାନ ଚାଲୁ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ରେଳ ଧାରଣାରେ ଦୁର୍ଘଟଣାଜନିତ ମୃତାହତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପୂର୍ବତଟ ରେଳପଥ ଦୁର୍ଘଟଣାଗୁଡ଼ିକର କାରଣ ବିଶ୍ଳେଷଣ କରାଯାଇଛି। ଅଧିକାଂଶ ଦୁର୍ଘଟଣାଗୁଡ଼ିକ ରେଲ୍‌ୱେ ଷ୍ଟେସନ ବିହୀନ ଅଞ୍ଚଳରେ ସଂଗଠିତ ହେଉଥିବା ଏହି ବିଶ୍ଳେଷଣରୁ ଜଣାପଡ଼ିଛି। ଏଣୁ ଅନଧିକାର ପ୍ରବେଶ ଉପରେ ବିଭାଗ ଫୋକସ୍‌ କରିଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ସ୍ଥିର ହୋଇଛି। ପୂର୍ବତଟ ରେଳପଥ ପରିସୀମା ଅଧୀନରେ ଅନଧିକାର ପ୍ରବେଶକୁ ନେଇ ୨୦୧୬ ମସିହାରେ ହୋଇଥିବା ୨୩୮୪ ମାମଲାରେ ୨୩୮୭ ଗିରଫ ହୋଇଥିବା ବେଳେ ୨୦୧୭ ମସିହାରେ ୩୩୭୫ ମାମଲାରେ ୩୩୭୮ ଓ ୨୦୧୮ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ୨୨୮୮ ମାମଲାରେ ୨୨୯୩ ଗିରଫ ହୋଇଥିବା ବିଭାଗ ସୂଚନା ଦେଇଛି। ଏହି ସବୁ କାର୍ଯ୍ୟାନୁଷ୍ଠାନ ଉପରେ ଆଗକୁ ଅଧିକ ଗୁରୁତ୍ବ ଦେବା ପାଇଁ ଆକ୍ସନ ପ୍ଲାନ୍‌ରେ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର