ଫସିଲେ ଅମୃତିଆ ସରପଞ୍ଚ

ରଦ୍ଦ ହେବ ସଭ୍ୟପଦ!

କୋରେଇ : କୋରେଇ ବ୍ଲକ ଅମୃତିଆ ପଞ୍ଚାୟତ ସରପଞ୍ଚଙ୍କୁ ଜୋରଦାର ଝଟକା ଲାଗିଛି। ଜାଲ ଜାତିଗତ ପ୍ରମାଣପତ୍ର ଦେଇଥିବା ଧରାପଡ଼ିଛନ୍ତି। ଯାଞ୍ଚ ପରେ ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ ଏହା ଜାଲ୍‌ ବୋଲି ଦର୍ଶାଇଛନ୍ତି।

ସୂଚନା ଅନୁଯାୟୀ, କୋରେଇ ବ୍ଲକ୍‌ ଅନ୍ତର୍ଗତ ଅମୃତିଆ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାମଲ ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଅଭିଯୋଗ ହୋଇଥିଲା । ଆଜି ବ୍ୟାସନଗର ତହସିଲ୍‌ଦାର ସପନ କୁମାର ନନ୍ଦଅଭିଯୋଗର ଯାଞ୍ଚ୍‌ କରିଛନ୍ତି । ଅମୃତିଆ ସରପଞ୍ଚ ଜୟନ୍ତୀ ସାମଲ ଗତ ପଞ୍ଚାୟତ ନିର୍ବାଚନରେ ଦାଖଲ କରିଥିବା ଜାତିଗତ ପମାଣ ପତ୍ରକୁ ବ୍ୟାସନଗର ତହସିଲଦାର ଓ ଯାଜପୁର ଉପଜିଲ୍ଲାପାଳ ଯାଞ୍ଚ କରି ରଦ୍ଦ କରିଛନ୍ତି। ସେ ତଫସିଲଭୁକ୍ତ ଉପଜାତି ନୁହନ୍ତି ବୋଲି ଦର୍ଶାଇଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ଅମୃତିଆ ପଞ୍ଚାୟତର ସରପଞ୍ଚ ପଦବି ତଫସିଲଭକ୍ତ ଉପଜାତି ପାଇଁ ସଂରକ୍ଷିତ ଥିଲା। ଏହି ପଞ୍ଚାୟତ ରଙ୍ଗରଙ୍ଗା ଗ୍ରାମର ସଦାନନ୍ଦ ସାମଲଙ୍କ ସ୍ତ୍ରୀ ଜୟନ୍ତୀ ସାମଲ ତାଙ୍କ ବାପଘର ଯୁଗଳକଣା ଓ ପିତାଙ୍କ ନାମ ପଦନ ଜେନା ଦର୍ଶାଇ ତଫସିଲଭୁକ୍ତ ଉପଜାତିର ବୋଲି ପ୍ରମାଣପତ୍ର ଦାଖଲ କରି ସରପଞ୍ଚ ନିର୍ବାଚନ ଲଢି ନିର୍ବାଚିତ ହୋଇଥିଲେ । ମାତ୍ର ସେ ଦାଖଲ କରିଥିବା ଜାତିଗତ ପ୍ରମାଣପତ୍ର ଭୁଲ ବୋଲି ପଞ୍ଚାୟତର ହେମନ୍ତ କୁମାର ମହାପାତ୍ର ବ୍ୟାସନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ବ୍ୟାସନଗର ତହସିଲଦାର ସପନ କୁମାର ନନ୍ଦ ଏହାକୁ ଯାଞ୍ଚ କରି ଏହା ଭୁଲ୍‌ ଜାତିଗତ ପ୍ରମାଣପତ୍ର ବୋଲି ସ୍ପଷ୍ଟ କରଛନ୍ତି ।

ଜୟନ୍ତୀଙ୍କ ବାପଘର ରଙ୍ଗରଙ୍ଗା ଏବଂ ସେ ଶତନ ଜେନାଙ୍କ ଝିଅ ହୋଇଥିବା ବେଳେ ମିଥ୍ୟା ତଥ୍ୟ ଦେଇ ସେ ଯୁଗଳକଣା ଗ୍ରାମର ପଦନ ଯେନାଙ୍କ ଝିଅ ଓ ଜାତିରେ ଶବର ବୋଲି ପ୍ରମାଣପ୍ରତ୍ର ଦାଖଲ କରିଥିଲେ । ତହସିଲଦାରଙ୍କ ଦ୍ୱାରା ଏହି ଜାତିଗତ ପ୍ରମାଣପତ୍ର ଭୁଲ ପ୍ରମାଣିତ ହେବା ପରେ ତହସିଲଦାର୍‌ଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଜପୁର ଉପଜିଲ୍ଲାପାଳଙ୍କ ନିକଟରେ ଜୟନ୍ତୀ ଏକ ମିସ୍‌ କେଶ୍‌ ୯/୨୦୧୭ ଦାୟର କରିଥିଲେ । ମାତ୍ର ଉପଜିଲ୍ଲାପାଳ ମଧ୍ୟ ଏହାର ତଦନ୍ତ କରି ବ୍ୟାସନଗର ତହସିଲଦାରଙ୍କ ରାୟକୁ କାଏମ ରଖିବା ସହ ଜାତିଗତ ପ୍ରମାଣପତ୍ର କେଶ ନମ୍ବର ୧୬୫/୧୭ ଅନୁଯାୟୀ ତହସିଲଦାର ଆସନ୍ତା ଅକ୍ଟୋବର ୨୩ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମେମୋ ନମ୍ବର ୯୩୧୦ରେ ଆଦେଶ ଦେଇଛନ୍ତି । ଭୁଲ ଜାତିଗତ ପ୍ରମାଣପତ୍ର ଦେଇ ସରପଞ୍ଚ ହୋଇଥିବାରୁ ଓ ଏହା ପ୍ରମାଣିତ ହେବା ପରେ ସରପଞ୍ଚ ପଦବିକୁ ରଦ୍ଦ କରିବା ପାଇଁ ଦାବି ହେଉଛି ।

ଏସଂପର୍କରେ ତହସିଲଦାର ସପନିକୁମାର ନନ୍ଦଙ୍କୁ ପଚାରିବାରୁ ସେ କହିଲେ ଯେ ଉପଜିଲ୍ଲାପାଳଙ୍କ ଚିଠି ମିଳିଛି। ଏବେ ଛୁଟି ରହିଛି। ଜାଲ ଜାତିଗତ ପ୍ରମାଣପତ୍ର ଦେଇ ସରପଞ୍ଚ ପଦ ଲଢ଼ିଥିବାରୁ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଛୁଟି ପରେ ଯାହା କିଛି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର