ଅମୁହାଁ ଦେଉଳ ସ୍ଥିତି ଗମ୍ଭୀର, ଥରକୁ ଥର ଖସୁଛି ପ୍ଲାଷ୍ଟର, କରାଯାଉନି ମରାମତି

ପୁରୀ ଶ୍ରୀମନ୍ଦିର ଭିତରେ ରହିଛି ଅମୁହାଁ ଦେଉଳ। ଏହି ଦେଉଳର ଦ୍ବାର ନାହିଁ। ଦେଖିବାକୁ ଅବିକଳ ବଡ଼ ଦେଉଳ ପରି। ଏହି ଦେଉଳ ପଛରେ ରହିଛି ଅନେକ କିମ୍ବଦନ୍ତୀ। ଏବେ ସେହି ଦେଉଳ ଦୁର୍ବଳ ହେବାରେ ଲାଗିଛି। ବାରମ୍ବାର ପ୍ଲାଷ୍ଟର ଖସୁଥିଲେ ମଧ୍ୟ ମରାମତି କରିବାକୁ ପଛାଉଛି ଏଏସ୍‌ଆଇ। ଫଳରେ ମନ୍ଦିର ପ୍ରତି ଦିନକୁ ଦିନ ବିପଦ ଘନେଇବାରେ ଲାଗିଛି।

ବଡ଼ ଦେଉଳର ଉତ୍ତର ପଟକୁ ରହିଛି ଅମୁହାଁ ଦେଉଳ। ଏହି ଦେଉଳର ଦ୍ବାର ନଥିବାରୁ ଏହାର ସମ୍ପର୍କ ଶ୍ରୀମନ୍ଦିର ଭିତରେ ଥିବା ଭଣ୍ଡାର ଘର ସହ ରହିଥିବା କୁହାଯାଏ। ଭଣ୍ଡାର ଘର ମାଟି ତଳେ ତଳେ ସେହି ଅମୁହାଁ ଦେଉଳ ପର୍ଯ୍ୟନ୍ତ ଲାଗିଥିବା ବି କେତେକ ମତବ୍ୟକ୍ତ କରିଥାନ୍ତି। କେହି କେହି ଏହାକୁ ଶୂନ୍ୟ ମନ୍ଦିର ବୋଲି କହିଥାନ୍ତି। ଭକ୍ତଟିଏ ଅମୁହାଁ ଦେଉଳ ପାଖରେ ଛିଡ଼ା ହୋଇ ନୀଳଚକ୍ରଙ୍କୁ ଦର୍ଶନ କଲେ ଶ୍ରୀବିଗ୍ରହଙ୍କ ଦର୍ଶନ ସହ ସମାନ ବୋଲି ବି‌ବେଚନା କରାଯାଏ। ସୁତରାଂ ଭକ୍ତର ଭାବନା ସହ ଏହି ମନ୍ଦିର ଓତଃପ୍ରୋତଃ ଭାବେ ଜଡ଼ିତ। ତେବେ ଏହି ମନ୍ଦିରରୁ ଭଣ୍ଡାର ଘରକୁ ସମ୍ପର୍କ ରହିଛି କି ନାହିଁ, ତାହାର ଢ଼ାଞ୍ଚାଗତ ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ। ତଥାପି ଲୋକଙ୍କ ମଧ୍ୟରେ ଗଭୀର ବିଶ୍ବାସ ରହିଛି। ବିଶେଷ କରି ପୁରୁଖା ସେବକମାନେ ଏହି କଥା ତାଙ୍କ ବାପା ଅଜାଙ୍କଠାରୁ ଶୁଣିଥିବା କୁହନ୍ତି।

ଏବେ ମନ୍ଦିର ସ୍ଥିତି ଗମ୍ଭୀର। ‘ଫନି’ ମାଡ଼ରେ ମନ୍ଦିରର ଏକ ବିରାଟ ସ୍ଥାନରୁ ମୋଟା ବହଳର ପ୍ଲାଷ୍ଟର ଖସିଯାଇଛି। ପ୍ଲାଷ୍ଟର ଛାଡ଼ିବା ପରେ ପଥର ଫୁଟି ଦିଶୁଛି। ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ପ୍ଲାଷ୍ଟର ଖସିଥିଲା। ତଥାପି ଏଏସ୍‌ଆଇ ଏହାକୁ ଆଜି ପର୍ଯ୍ୟନ୍ତ ଗୁରୁତ୍ବ ଦେଇନାହିଁ, ବୋଧହୁଏ ଅପେକ୍ଷା କରିଛି କେତେ ବେଳେ ଏହା ଭୁଶୁଡିବ। ମନ୍ଦିରରୁ ବାରମ୍ବାର ପ୍ଲାଷ୍ଟର ଖସୁଥିଲେ ମଧ୍ୟ ମରାମତି ଦିଗରେ ତତ୍ପରତା ପ୍ରକାଶ କରାନଯିବା ଅସନ୍ତୋଷର କାରଣ ହେଲାଣି। ଏଥିରୁ ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ବ ଦେବଦେବୀ ଓ ମନ୍ଦିର ସୁରକ୍ଷା ପ୍ରତି ଏଏସ୍‌ଆଇ କେତେ ତତ୍ପର ତାହା ବେଶ ସ୍ପଷ୍ଟ।

ସମ୍ବନ୍ଧିତ ଖବର