ଆନନ୍ଦବଜାରରେ ଅମୁଣିଆ ମହାପ୍ରସାଦ!

କୋଠଭୋଗ ସୁଆର ଗଦୁ ଦୀକ୍ଷିତ ନିଲମ୍ବିତ

ପୁରୀରେ ଚର୍ଚ୍ଚା, ଭକ୍ତ ମହଲରେ ଆଲୋଡ଼ନ

ପୁରୀ : ପୁଣି ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ଶ୍ରୀଜିଉଙ୍କ ନିକଟରେ ମଣୋହୀ ନ କରି ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରିବା ବେଳେ ଧରାପଡ଼ିଛନ୍ତି ଜଣେ କୋଠଭୋଗ ସୁଆର। ଏହି ଘଟଣା ପୁରୀରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଭକ୍ତଙ୍କ ମହଲରେ ବି ଆଲୋଡ଼ନ ସୃଷ୍ଟି କରିଛି।

ଆନନ୍ଦ ବଜାରରେ ଭକ୍ତଙ୍କୁ ଅମୁଣିଆ ପ୍ରସାଦ ବିକି ଧରା ପଡ଼ିଥିବା ଏହି କୋଠଭୋଗ ସୁଆର ହେଲେ ଗଦୁ ଦୀକ୍ଷିତ। ଏଭଳି ଅପକର୍ମ କରିଥିବା ସ୍ୱୀକାର କରିବା ପରେ ତାଙ୍କୁ ରୋଷ ବାସନ୍ଦ କରାଯାଇଛି। ଆଜି ସୁଆର ମହାସୁଆର ନିଯୋଗର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତାଙ୍କୁ ରୋଷଘର ମନା କରାଯାଇଛି। ଶ୍ରୀଜଗନ୍ନାଥ ଓ ମହାପ୍ରସାଦ ପ୍ରତି ଥିବା ଭକ୍ତି ଓ ବିଶ୍ୱାସରେ ବିଷ ଦେଇଥିବାରୁ ସେ ରୋଷ ଘରେ ପ୍ରବେଶ କରିପାରିବେ ନାହିଁ ବୋଲି ତାଙ୍କୁ ଦିଆଯାଇଥିବା ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। ରୋଷଘର କାନ୍ଥରେ ବି ଏହି ନୋଟିସ୍‌ ଲଗାଯାଇଛି। ତେବେ ତାଙ୍କ ବିରୋଧରେ ଅନ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ କି ନା ତାହା ଜଣାପଡ଼ିନାହିଁ।

ଠିକ୍‌ ବର୍ଷେ ତଳେ ଏହି ସେବକଙ୍କର ପାଦ କଟି ରକ୍ତ ବୋହିବାରୁ ଗର୍ଭଗୃହରେ ରକ୍ତ ପଡ଼ିଥିଲା। ଏହି ସମୟରେ କୋଠଭୋଗ ପୂଜା ବସିବାକୁ ଯାଉଥିବାରୁ ସମଗ୍ର କୋଠଭୋଗ ପୋତା ଯାଇଥିଲା। ଏହି ଅଘଟଣର ଠିକ୍‌ ବର୍ଷେ ପରେ ଏହି ଅଘଟଣ ଘଟିଛି। ଗତକାଲି ତାଙ୍କର ପାଳି ଥିଲା। କୋଠ ଭୋଗ ପାଇଁ ସୁଭଦ୍ରାଙ୍କ ବାଡ଼ରେ ବିଡ଼ୁଆ ଥାଳି ବଢ଼ା ଯାଇଥିଲା। ସବୁ ଭୋଗ ବଢ଼ା ଯାଇଥିବା ବେଳେ କେବଳ ଏକ ଡାଲି ଆସିବାକୁ ଥିଲା। ତରବରରେ ଗଦୁ ଏହି ଡାଲି ନେଇ ଆସିବା ବେଳକୁ ଟେରା ପଡ଼ି ଯାଇଥିଲା। ଏଣୁ ଏହା ମହାପ୍ରଭୁଙ୍କୁ ଲାଗି ହୋଇ ପାରିଲା ନାହିଁ। ମଣୋହୀ ହୋଇ ନ ପାରିଲେ ଏହି ଅମୁଣିଆକୁ ବିକ୍ରି କରାଯାଏ ନାହିଁ ବା କାହାକୁ ପରଷା ଯାଏ ନାହିଁ। ସର୍ବ ପୁରାତନ ପରମ୍ପରା ମୁତାବକ ଏହି କୋଠ ଭୋଗକୁ ପୋତା ଯାଏ।

କିନ୍ତୁ ଗଦୁ ଟେରା ପଡ଼ିଥିବା ଦେଖି ଡାଲିକୁ ନ ପୋତି ସିଧା ଆନନ୍ଦ ବଜାରକୁ ନେଇ ଯାଇଥିଲେ। ସେଠାରେ ବିକି୍ର ଆରମ୍ଭ କରିଥିଲେ। ଭକ୍ତମାନେ ମହାପ୍ରସାଦ ଭାବି ବିଶ୍ୱାସରେ ନେଇଥିବା ବେଳେ କେତେକ ଆନନ୍ଦ ବଜାରରେ ବସି ଏହି ଅମୁଣିଆ ଡାଲିକୁ ପାଇଥିଲେ।

ଭକ୍ତଙ୍କ ଅଜାଣତରେ ଗଦୁ ସେମାନଙ୍କୁ ଧୋକା ଦେଇଥିଲେ। ତେବେ କେବଳ ଭକ୍ତଙ୍କୁ ଧୋକା ନୁହେଁ; ବରଂ ମହାପ୍ରସାଦର ପବିତ୍ରତାକୁ ଅସମ୍ମାନ କରିଥିଲେ। ଏହି ଘଟଣା ଲୁଚି ରହି ନ ଥିଲା। ଗଦୁଙ୍କର ଏକ ଡାଲି ଅମୁଣିଆ ହୋଇଥିବା ଜଣାପଡ଼ିଥିଲା। ଏହାକୁ ପୋତା ଯିବା ପାଇଁ ଖୋଜା ପଡ଼ିଥିଲା। କିନ୍ତୁ ଏହା ମିଳିନଥିଲା। ଖୋଜାଖୋଜି ପରେ ସେ ବିକ୍ରି କରୁଥିବା ନେଇ ସନ୍ଦେହ ହୋଇଥିଲା। ଆନନ୍ଦ ବଜାରରେ ସୁପର ଭାଇଜର ଓ କମାଣ୍ଡର ପହଞ୍ଚି ଦେଖିବା ପରେ ଜଣାପଡ଼ିଥିଲା। ଏ ସଂପର୍କରେ କମାଣ୍ଡର ସମ୍ପୃକ୍ତ ନିଯୋଗକୁ ଖବର ଦେବା ପରେ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଗଦୁଙ୍କୁ ଡକାଇ ପ୍ରତିକ୍ରିୟା ରଖିବାକୁ ସୁଯୋଗ ଦିଆଯାଇଥିଲା। କିଛି ସମୟ ପରେ ଗଦୁ ଏହି ଅକ୍ଷମଣୀୟ ଅପରାଧକୁ ସ୍ୱୀକାର କରିଥିଲେ। ଏଣୁ ତାଙ୍କୁ ବାସନ୍ଦ କରାଯାଇଥିଲା।

ତେବେ ବାସନ୍ଦ ପରେ ସେବକଙ୍କୁ ପୁଣି ଥରେ ସେବାକୁ ଫେରିବା ପାଇଁ ବିଧିବ୍ୟବସ୍ଥା ରହିଛି। କିନ୍ତୁ ସେଥିପାଇଁ ବର୍ତ୍ତମାନ ଚିନ୍ତା କରାଯାଇ ନାହିଁ ବୋଲି ନିଯୋଗ କହିଛି।

ସମ୍ବନ୍ଧିତ ଖବର