ଆଠଗଡ଼: କଟକ ଜିଲ୍ଲା ତିଗିରିଆ ବ୍ଲକ୍ କଣ୍ଠିପୁର ଗ୍ରାମର ଏକ ନାଳରେ ଜାଲରେ କିଛି ଲୋକ ମାଛ ଧରୁଥିବା ସମୟରେ ଗୋଟିଏ ଅଜଗର ସାପ ମାଛଜାଲରେ ପଡିଯାଇଥିଲା। ସାପକୁ ଦେଖି ଲୋକେ ସ୍ନେକ ହେଲ୍ପଲାଇନର ସଦସ୍ୟ ଅସିତ ପ୍ରଧାନଙ୍କୁ ଖବର ଦେଇଥିଲେ ।
ସେ ଘଟଣା ସ୍ଥଳରେ ପହଞ୍ଚି ଏକ ଘଣ୍ଟାର ପରିଶ୍ରମ ପରେ ମାଛ ଜାଲକୁ କାଟି ୮ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିଥିଲେ। ସାପଟିର ବୟସ ୪ ବର୍ଷ ହୋଇଥିବା ବେଳେ ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସେ ସୂଚନା ଦେଇଥିଲେ ।
ପରେ ସେ ସାପକୁ ନେଇ ନୁଆସଡକ ନିକଟସ୍ଥ ତାର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଥିଲେ। ପ୍ରବଳ ବର୍ଷା ଯୋଗୁ ସାପଟି ଜଙ୍ଗଲରୁ ବର୍ଷାଜଳରେ ଭାସି ଆସିଥିବା କୁହାଯାଉଛି।