ଚୋରକୁ କାବୁ କଲା ୮ ବର୍ଷର ଝିଅ

ରାଉରକେଲା: ୮ ବର୍ଷର ସାହସୀ ବାଳିକା ଅଦ୍ଭୁତ ଉପାୟରେ ଜଣେ ଚୋରକୁ କାବୁ କରିଛି। ଏହି ବୟସରେ ତା’ର ଏତେ ବଡ଼ ସାହସିକତାକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି। ଆଜି ସକାଳେ ଏହି ଘଟିଛି ରାଉରକେଲା ସେକ୍ଟର-୧ ଏନ୍‌ଆଇଟି ରୋଡ଼ରେ। ସିଆଇଏସ୍‌ଏଫ୍‌ ଅଧିକାରୀ ଶୁଭ ନାରାୟଣ ଦାସ ପରିବାର ସହ ସେକ୍ଟର-୧ର ଏକ କ୍ବାର୍ଟର୍ସରେ ରହନ୍ତି। ଶୁଭ ନାରାୟଣ ଓ ତାଙ୍କ ବଡ଼ ଝିଅ ସକାଳେ ମଣ୍ଣିଂ ଓ୍ବାର୍କ କରିବା ପାଇଁ ଘର ସାମନାରେ ଥିବା ଏକ ପାର୍କକୁ ଯାଇଥିଲେ।

ଏହାର ସୁଯୋଗ ନେଇ ସକାଳ ପ୍ରାୟ ସାଢ଼େ ୯ ବେଳେ ଅଭିଯୁକ୍ତ ସନ୍ତୋଷ ତ୍ରିପାଠୀ ମୁଖ୍ୟ ଗେଟ୍ ଖୋଲି ତାଙ୍କ ଘର ପରିସର ଭିତରରେ ପଶିଥିଲା। ଘର ସମ୍ମୁଖରେ ଥିବା ଏକ ଲେଡ଼ିଜ ସାଇକଲକୁ ସେ ଚୋରି କରି ନେଉଥିଲା। ସେହି ସମୟରେ ଘରେ ଥିବା ଶ୍ରୀ ଦାସଙ୍କ ସାନ ଝିଅ ଆଲିସା ଜଣେ ଅଚିହ୍ନା ଲୋକ ସାଇକଲ ନେଇ ଯାଉଥିବାର ଦେଖି ‘‘ଆମ ସାଇକଲ କାଇଁ ନଉଛ?’’ ବୋଲି ପାଟି କରିଥିଲେ। ପାଟି ଶୁଣି ଅଭିଯୁକ୍ତ ସାଇକଲ ଧରି ପଳାଇ ଯିବାଲାଗି ଉଦ୍ୟମ କରିଥିଲା। ତାହା ଦେଖି ଆଲିସା ଧାଇଁ ଯାଇ ସେ ଚୋରକୁ ଜୋର୍‌ରେ ଜାବୁଡ଼ି ଧରି ‘‘ଆମ ସାଇକଲ ନେଇ ଯାଉଛି…’’ କହି ଚିତ୍କାର କରିଥିଲେ। ସେହି ରାସ୍ତା ଦେଇ ଯା’ଆସ କରୁଥିବା ଲୋକେ ରୁଣ୍ଡ ହୋଇ ଯାଇ ଚୋରକୁ କାବୁ କରିଥିଲେ। ଲୋକେ ଆଲିସାଙ୍କୁ ଉଦ୍ଧାର କରି ସେକ୍ଟର-୩ ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରୁ ଚୋରକୁ ନେଇ ଥାନାରେ ରଖିଛି।

ସମ୍ବନ୍ଧିତ ଖବର