ଅସୁସ୍ଥ ଛାତ୍ରଙ୍କୁ ଦେଖିବାକୁ ୬୦ କିମି ଛୁଟିଆସିଲେ ୮୦ ବର୍ଷୀୟ ଶିକ୍ଷକ

କଳାବାଡ଼ିଆ : ଭାରତୀୟ ପରମ୍ପରାରେ ଗୁରୁ-ଶିଷ୍ୟର ସମ୍ପର୍କ ନିଆରା। ଉଭୟେ ଉଭୟଙ୍କୁ ସାରା ଜୀବନ ମନେରଖନ୍ତି। ଗୁରୁଙ୍କ ପ୍ରତି ଶିଷ୍ୟ ମନରେ ସମ୍ମାନ ଓ ଶିଷ୍ୟ ପ୍ରତି ଗୁରୁଙ୍କ ମନରେ ଶ୍ରଦ୍ଧା ଆମ ପୂଜ୍ୟପୂଜା ପରମ୍ପରାର ଅନନ୍ୟ ନିଦର୍ଶନ। ଏମିତି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ କଳାବାଡ଼ିଆ ପଞ୍ଚାୟତର କେନ୍ଦୁଡ଼ିହା ଗ୍ରାମରେ। ବାରିପଦା କୋର୍ଟରୁ ମୁଖ୍ୟ କିରାଣି ଭାବେ ଅବସର ନେଇଥିବା ଏହି ଗ୍ରାମର ଶୋଭାକର ସିଂ (୬୯) ଜଗନ୍ନାଥଖୁଣ୍ଟା ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିଥିଲେ। ଏହି ସମୟରେ ତାଙ୍କର ଶିକ୍ଷକ ଥିଲେ ବେତନଟୀ ଅଞ୍ଚଳର ଭାସ୍କର ଦ୍ବିବେଦୀ। ଯିଏ ଏବେ ୮୦ ବର୍ଷରେ ଉପନୀତ। ୧୯୬୮ରୁ ୧୯୭୩ ମସିହା ଯାଏ ଶ୍ରୀ ଦ୍ବିବେଦୀ ଏଠାରେ ଶିକ୍ଷାଦାନ କରିଥିଲେ। ଏହି ୫ ବର୍ଷ ମଧ୍ୟରେ ଅନେକ ଛାତ୍ରଛାତ୍ରୀଙ୍କୁ ମଣିଷ କରିଥିଲେ ଶ୍ରୀ ଦ୍ବିବେଦୀ।

ନିକଟରେ ତାଙ୍କ ଛାତ୍ର ଶୋଭାକର ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଖବର ପାଇଥିଲେ ଦ୍ବିବେଦୀ ସାର୍‌। ନିଜର ପ୍ରିୟ ଛାତ୍ରର ଅସୁସ୍ଥତା ଖବର ତାଙ୍କୁ ବିଚଳିତ କରି ପକାଇଥିଲା। ସମ୍ପୂର୍ଣ୍ଣ ଶରୀରକୁ ଜରା ଗ୍ରାସ କରିଥିଲେ ସୁଦ୍ଧା ଶ୍ରୀ ଦ୍ବିବେଦୀ ଗତକାଲି ଟ୍ରେନ୍‌ ଧରି ୬୦ କିମି ଦୂର ଶୋଭାକରଙ୍କ ଘରେ ପହଞ୍ଚି ଯାଇଥିଲେ।
ଶୋଭାକରଙ୍କ ଅବସ୍ଥା ଦେଖି ତାଙ୍କୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦିଥିଲେ। ଏଭଳି ଭାବପୂର୍ଣ୍ଣ ଦୃଶ୍ୟ ଦେଖି ଅନ୍ୟମାନଙ୍କ ଆଖିରେ ବି ଲୁହ ଆସିଯାଇଥିଲା। ଶୋଭାକର ମଧ୍ୟ ନିଜ ପ୍ରିୟ ଶିକ୍ଷକଙ୍କୁ ପାଖରେ ପାଇ ଭାବପ୍ରବଣ ହୋଇ ପଡ଼ିଥିଲେ ଓ ନିଜ ଦୁଃଖସୁଖ କଥା କହିଥିଲେ। ଦ୍ବିବେଦୀ ସାର୍‌ ଗାଁକୁ ଆସିଥିବା ଖବର ପାଇ ଶଙ୍କର ଦାସ, ସାଗର କର, ଅରବିନ୍ଦ ମିଶ୍ର, ଜୀବନ ଷଡ଼ଙ୍ଗୀ ପ୍ରମୁଖ ଅନେକ ପୁରାତନ ଛାତ୍ର ପହଞ୍ଚି ତାଙ୍କୁ ମୁଣ୍ଡିଆ ମାରିଥିଲେ। ସେମିତି ସାରଙ୍କ ପାଖରୁ ପାଠ ପଢ଼ିଥିବା ଅବସରପ୍ରାପ୍ତ ଶିକ୍ଷକ ଈଶ୍ବର ବେହେରା (୬୯) ମଧ୍ୟ ନିଜ ଗୁରୁଙ୍କୁ ଗାଁ ଛକରେ ଦେଖି ପାଦଧୂଳି ନେଇ ମୁଣ୍ଡରେ ମାରିଥିଲେ।

ବିଡ଼ମ୍ବନା ହେଲା, ଗୁରୁଶିଷ୍ୟର ଏହି ମହାନ୍ ପରମ୍ପରା ଆଜି ଭୁଲୁଣ୍ଠିତ ହେବାକୁ ବସିଛି। ବର୍ତ୍ତମାନ ଅନ୍‌ଲାଇନ୍‌ ପାଠପଢ଼ା ଯୁଗରେ ଗୁରୁଶିଷ୍ୟ ପରସ୍ପରଙ୍କର ନାଁ ବି ମନେ ରଖୁନାହାନ୍ତି। ହେଲେ ୫୦ ବର୍ଷ ପୂର୍ବେ ପାଠ ପଢ଼ାଇଥିବା ଜଣେ ଗୁରୁଙ୍କ ପ୍ରତି ଶିଷ୍ୟମାନଙ୍କ ମନରେ ଭକ୍ତି ଓ ଶିଷ୍ୟଙ୍କ ପ୍ରତି ଗୁରୁଙ୍କ ମନରେ ଥିବା ଅନାବିଳ ଭଲ ପାଇବା ଆଜି ବି ସେ ଦିନର ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରି ରଖିଛି।

ସମ୍ବନ୍ଧିତ ଖବର