ଭୁବନେଶ୍ବର : ଚଳିତମାସରେ ରାଜ୍ୟକୁ ଅତିରିକ୍ତ ୧୪ଲକ୍ଷ ଡୋଜ୍ ଟିକା କେନ୍ଦ୍ର ପକ୍ଷରୁ ଦିଆଯାଇଛି। ଏଥିରେ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ରହିଛି। ଜୁଲାଇ ମାସ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୦.୫ଲକ୍ଷ ଡୋଜ୍ ଟିକା ଆବଣ୍ଟିତ କରାଯାଇଥିବା ବେଳେ ବ୍ୟବହାର ଅନୁଯାୟୀ ଅଧିକ ପରିମାଣର ଟିକା ରାଜ୍ୟକୁ ଦିଆଯାଇଛି। ଫଳରେ ସମୁଦାୟ ଡୋଜ୍ ସଂଖ୍ୟା ୪୪ଲକ୍ଷକୁ ବୃଦ୍ଧି ପାଇଛି।
ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଚଳିତମାସରେ ସମୁଦାୟ ୪୪ଲକ୍ଷ ଡୋଜ୍ ଟିକା ଆସିଛି। ପୂର୍ବରୁ କେନ୍ଦ୍ର ସରକାର ଆବଣ୍ଟିତ କରିଥିବା ପରିମାଣଠାରୁ ୧୪ଲକ୍ଷ ଅଧିକ। ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ଅଗଷ୍ଟ ମାସ ପାଇଁ କେତେ ଟିକା ଦିଆଯିବ ତାହାର ତାଲିକା ମଧ୍ୟ ଦିଆଯାଉଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ରାଜ୍ୟରେ ଆଜି ୧୧୫୯ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୧ଲକ୍ଷ ୭୩ହଜାର ୨୫ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ୧କୋଟି ୫୯ଲକ୍ଷ ୫୯ହଜାର ୨୦୧ ଡୋଜ୍ ଟିକା ଦିଆଗଲାଣି।
ସେହିପରି ଚଳିତମାସ ୧୬ତାରିଖରୁ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩୦,୨୧୩ଜଣ ଗର୍ଭବତୀ ଟିକା ନେଇ ସାରିଲେଣି। ରାଜ୍ୟରେ ଏବେ ପ୍ରାୟ ୧୦ଲକ୍ଷ କୋଭିସିଲ୍ଡ ଓ ୧.୬ଲକ୍ଷରୁ ଅଧିକ କୋଭାକ୍ସିନ୍ ଟିକା ମଜହୁଦ ରହିଛି।