ଭୁବନେଶ୍ବର : ଚଳିତ ୨୦୨୩-୨୪ ଓଡ଼ିଶା ବଜେଟ୍‌ରେ ଜଳ ସଂପଦ ବିଭାଗ ସଂପର୍କିତ ବ୍ୟୟ ବରାଦ ସଂପର୍କରେ ଆଜି ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ମନ୍ତ୍ରୀ ଟୁକୁନି ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ।

Advertisment

ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ ଆସନ୍ତା ୫ବର୍ଷ ମଧ୍ୟରେ ଜଳ ସଂପଦର ବିକାଶ ଓ ଜଳସେଚନ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ପାଇଁ ୭୫ହଜାର କୋଟି ଟଙ୍କା ବିନିଯୋଗ କରାଯିବାକୁ ଲକ୍ଷ୍ୟ ରହିଛି। ଏଥିରେ ଜଳସେଚନ ପ୍ରକଳ୍ପର ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ, ଜଳ ସଂରକ୍ଷଣ, ଭୂତଳ ଜଳ ବିକାଶ, ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତିକରଣ, ସେଚାଞ୍ଚଳର ବିକାଶ, ଶିଳ୍ପ ପାଇଁ ଜଳ ବଣ୍ଟନ ପ୍ରଭୃତି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ବିଭାଗର ବଜେଟର ୧୧,୬୫୫ କୋଟିକୁ ବୃଦ୍ଧି ପାଇଛି। ୨୦୧୧-୧୨ ମସିହାରେ ଏହା ୩୨୫୮.୪୫ କୋଟି ଟଙ୍କା ରହିଥିଲା।

 ୨୦ହଜାର ଡିପ୍ ବୋର ୱେଲ, ୧୫ଶହ ଗୋଷ୍ଠୀ ଏଲଆଇ ପ୍ରକଳ୍ପ ପାଇଁ ୩ଶହ କୋଟି
ଜଳସେଚନ ପରିଚାଳନା ପାଇଁ ଗୋ-ୱାଟର ଜଳ ଉଦ୍ୟୋଗ ପାଇଁ ୩୦ କୋଟି

୨୦୨୩-୨୪ ଆର୍ଥିକ ବର୍ଷରେ ୨.୩୩ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରାଯିବ। ୨୦୨୧-୨୨ବର୍ଷ ସୁଦ୍ଧା ୬୬.୮୮ଲକ୍ଷ ହେକ୍ଟର ଜମିକୁ ଜଳସେଚନ କ୍ଷମତା ବୃଦ୍ଧି ପାଇଛି। ୧୯୯୯-୨୦୦୦ ମସିହାରେ ରାଜ୍ୟରେ ଜଳସେଚନ କ୍ଷମତା ୩୫.୯୧ ‌ଲକ୍ଷ ହେକ୍ଟର ରହିଥିଲା। ଚଳିତ ଆର୍ଥିକ ବର୍ଷରେ ନବରଙ୍ଗପୁର ଉଠା ଜଳସେଚନ, ବଲାଙ୍ଗୀରର ଅପରଲାନ୍ଥ, ନୟାଗଡ଼ରେ ବୃତ୍ତଙ୍ଗ, ଅନୁଗୁଳରେ ସମାକୋଇ, ଗଞ୍ଜାମର ପିପଳପଙ୍ଖ ଓ ମୟୂରଭଞ୍ଜର ଖଇରବନ୍ଧନ। ବୃହତ୍ତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ନିର୍ମାଣ ପାଇଁ ୩୩୫୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଚଳିତବର୍ଷ ବଲାଙ୍ଗୀରର ଲୋୟର ସୁକତେଲ ବୃହତ୍ତ ଜଳସେଚନ ପ୍ରକଳ୍ପ ତଥା କେନ୍ଦୁଝର ଜିଲ୍ଲା କା‌ନୁପୁର ଜଳସେଚନ ପ୍ରକଳ୍ପରେ ଜଳଭଣ୍ଡାରରେ ଜଳ ସଞ୍ଚୟ କାର୍ଯ୍ୟ ଆରମ୍ଭ ହେବ। ଉଚ୍ଚଭୂମି ଅଞ୍ଚଳର କୃଷକମାନଙ୍କ ପାଇଁ ପାର୍ବତୀ ଗିରି ବୃହତ୍ତ ଉଠା ଜଳସେଚନ ଯୋଜନାରେ ୧୭୦ ଟି ନୂତନ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିପାଇଁ ୫ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ଚାଷୀଙ୍କ ଚାହିଦାକୁ ନଜରରେ ରଖି ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ୧ଲକ୍ଷ ନୂଆ ‌ଡିପ୍ ବୋର ୱେଲ ସ୍ଥାପନ କରାଯିବ। ୨୦୨୩-୨୪ ଆର୍ଥିକ ବର୍ଷରେ ୨୦ହଜାର ଡିପ୍ ବୋର ୱେଲ ଓ ୧୫ଶହଟି ଗୋଷ୍ଠୀ ଏଲଆଇ(ଉଠା ଜଳସେଚନ) ପ୍ରକଳ୍ପ ପାଇଁ ୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାସହ ଅଚଳ ଏଲଆଇ ପଏଣ୍ଟର ପୁନରୁଦ୍ଧାର ପାଇଁ ୧୯୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ମିସନ୍ ମୋଡରେ ଅଚଳ ଏଲଆଇ ପଏଣ୍ଟକୁ ମରାମତି କରାଯିବ। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ପ୍ରାୟ ୨ଶହ କି.ମି ଲୁଣା ବନ୍ଧକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରତିରୋଧ ଲୁଣା ବନ୍ଧ ପ୍ରକଳ୍ପ ପାଇଁ ୭୬୩ କୋଟି ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା ଅଧୀନରେ ୫ଶହଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଜଳ ସଂପଦର ଠିକ୍ ଆକଳନ, ବାତ୍ୟା ପୂର୍ବାନୁମାନ, ଜଳସେଚନ ପରିଚାଳନାର ତଦାରଖ ପାଇଁ ବୈଷୟିକ ଜ୍ଞାନକୌଶଳର ଉପଯୋଗକୁ ସୁଗମ କରିବା ପାଇଁ ଗୋ-ୱାଟର ଜଳ ଉଦ୍ୟୋଗ ସମ୍ବଳ ଯୋଜନା ୱାଟର ଇଆରପି ଭଳି ପ୍ରଯୁକ୍ତିବିଦ୍ୟାର ବ୍ୟବହାର ପାଇଁ ୩୦କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ସେ କହିଥିଲେ। ଲୋକସଂପର୍କ ବିଭାଗର ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏହାକୁ ସଂଯୋଜନା କରିଥିଲେ।