୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯,୮୩୩ କୋଟିର ଅତିରିକ୍ତ ବଜେଟ୍

ପଞ୍ଚାୟତିରାଜ ବିଭାଗକୁ ସର୍ବାଧିକ ବ୍ୟୟବରାଦ, ସ୍ୱାସ୍ଥ୍ୟ, ଶକ୍ତି, ବିପର୍ଯ୍ୟୟ ପ୍ରଶମନକୁ ବି ଗୁରୁତ୍ୱ

ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରଥମ ଅତିରିକ୍ତ ବଜେଟ୍‌ ଆଣିଛନ୍ତି। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ଅପରାହ୍ନରେ ବିଧାନସଭାରେ ଏହି ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଥିଲେ। ଏଥିରେ ମୋଟ୍ ୧୯,୮୩୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଅତିରିକ୍ତ ବଜେଟ୍‌ରେ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି। ୨୦୨୧-୨୨ ଆର୍ଥିକ ବର୍ଷର ମୂଳ ବଜେଟ ୧.୭୦ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଅତିରିକ୍ତ ବଜେଟର ଆକାର ତା’ର ୧୧.୬୭%।

ବଜେଟରେ ପ୍ରଶାସନିକ ବ୍ୟୟ-୪୫୭୭କୋଟି, କାର୍ଯ୍ୟକ୍ରମ ବ୍ୟୟ ୧୩୫୬୮କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି-୧୬୮୨କୋଟି ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ୬କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ପ୍ରଶାସନିକ ବ୍ୟୟ ବାବଦରେ ଥିବା ୪୫୭୭ କୋଟି ଟଙ୍କା ମୂଳ ବଜେଟରେ ଆଡଜଷ୍ଟ ଓ ସରେଣ୍ଡରରୁ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ରଖିଯାଇଛି। କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଥିବା ୧୩,୫୬୮କୋଟି ଟଙ୍କା ମଧ୍ୟରୁ ୬,୧୩୭ କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ଓ ୭,୪୩୧ କୋଟି ଟଙ୍କା ଅତିରିକ୍ତ ନିଜ ରାଜସ୍ବରୁ ହାସଲ କରିବା ପାଇଁ ସରକରା ଲକ୍ଷ୍ୟ ରଖିଛନ୍ତି। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷ ଶେଷରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିର ଥିବା ବଳକା ଅର୍ଥ ବାବଦକୁ ୨୦୨୧-୨୨ ଅତିରିକ୍ତ ବଜେଟ୍‌ରେ ୧୬୮୨.୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଅତିରିକ୍ତ ବଜେଟ୍‌ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ସର୍ବାଧିକ ୩,୬୨୪ କୋଟି ଟଙ୍କା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୨୩୧୦ କୋଟି, ଶକ୍ତି ବିଭାଗକୁ ୨୧୪୩ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୧୬୦୫ କୋଟି ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ୧୧୪୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୪୯୮. ୫୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା ବେଳେ ଜାତୀୟ ସ୍ବାସ୍ଥ୍ୟ ମିସନ୍ ଅଧୀନରେ ରାଜ୍ୟ ଅଂଶଧନ ବାବଦକୁ ୯୦୭.୮୩ କୋଟି ଟଙ୍କା ଏବଂ ନୂତନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ‘ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା’ ଅଧୀନରେ ରାଜ୍ୟ ଅଂଶ ବାବଦକୁ ୨୨୯.୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଜୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ‘ଆଶୀର୍ବାଦ’ ଅଧୀନରେ କୋଭିଡ୍‌-୧୯ ଯୋଗୁ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ନିମନ୍ତେ ୩୫ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ବିଜୁ ପକ୍କା ଘର ଯୋଜନା ଦ୍ବୟର ସଂଯୋଜନ ମାଧ୍ୟମରେ ଗ୍ରାମ୍ୟ ଗୃହ ନିର୍ମାଣ ପାଇଁ ୨,୫୬୪ କୋଟି ଟଙ୍କା, ବିଜୁ ସେତୁ ଯୋଜନା‌ ଅଧୀନରେ ଗ୍ରାମୀଣ ସଂଯୋଗୀକରଣ ପାଇଁ ୩୦୦ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ବୀମା ପ୍ରିମିୟମ୍‌ ଦେୟ ବାବଦକୁ ୧୦୦ କୋଟି ଟଙ୍କା, ମୋ ସ୍କୁଲ୍‌ ଅଭିଯାନ ପାଇଁ ୮୮୭ କୋଟି ଟଙ୍କା ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୬୪.୫୯ ‌କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଇ-ଯାନ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟ୍‌ରେ ସବ୍‌ସିଡି ବାବଦକୁ ୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏରୋଡ୍ରମ୍‌ ନିର୍ମାଣ ପାଇଁ ୪୦ କୋଟି, ହାତୀ କରିଡର୍‌ର ବିକାଶ ପାଇଁ ୫୦ କୋଟି, ପ୍ଲା‌ନେଟାରିୟମ୍‌ ଓ ସଂଗ୍ରହାଳୟର ବିକାଶ ପାଇଁ ୩୨.୫୮ କୋଟି, କଳାମଣ୍ଡଳ ପ୍ରତିଷ୍ଠା ନିମନ୍ତେ ୪୨.୯୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସମ୍ବନ୍ଧିତ ଖବର