ଭୁବନେଶ୍ବର : ରାଜ୍ୟରେ ଦେଖାଦେଇଥିବା କରୋନା ମହାମାରୀର ପ୍ରକୋପକୁ ନେଇ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ବିଧାନସଭା ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ। ମହାମାରୀ ନିୟନ୍ତ୍ରଣ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଅବଗତ କରାଇବେ।
ତେବେ ସର୍ବଦଳୀୟ ବୈଠକକୁ ନେଇ ବିରୋଧୀ ଭିନ୍ନ ମତ ପୋଷଣ କରିଛନ୍ତି। ବୈଠକରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯିବ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି। କୋଭିଡ ଦ୍ବିତୀୟ ଲହରରେ ସରକାରଙ୍କ ପରିଚାଳନଗତ ତ୍ରୁଟି ରହିଛି। ହସ୍ପିଟାଲରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଅଭାବ। ଠିକ୍ ଭାବେ ଟିକା ଜିଲ୍ଲାଗୁଡ଼ିକୁ ପଠାଯାଉନାହିଁ। ଜିଲ୍ଲାରେ ଏ ପର୍ଯ୍ୟନ୍ତ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ହୋଇପାରିନାହିଁ। କେବଳ ଭୁବନେଶ୍ବରରେ ଭିଆଇପି ଚିକିତ୍ସା ଚାଲିଛି। ଜିଲ୍ଲା ସ୍ଥିତି ଶୋଚନୀୟ। ରୋଗୀଙ୍କ ଶରୀରରେ ଅକ୍ସିଜେନ୍ ମାପିବା ପାଇଁ ସରକାର ପ୍ରତି ପଞ୍ଚାୟତରେ ପର୍ଯ୍ୟାପ୍ତ ଅକ୍ସିମିଟର ଯୋଗାଇ ଦେବାକୁ ଦାବି କରାଯିବା।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ଦାବି ହୋଇଥିଲା। କିନ୍ତୁ ବାଚସ୍ପତି ବିଧାୟକମାନଙ୍କ ବୈଠକ ଡାକିଲେ। ଏଥିରୁ ଅନୁମାନ କରାଯାଉଛି ସରକାର ଖସିଯିବା ପାଇଁ ବାଟ ବାହାର କରିଛନ୍ତି। ମହାମାରୀରେ ଜୀବନ ଓ ଜୀବିକା ଉଭୟ ପ୍ରଭାବିତ ହୋଇଛି। ଗରିବଙ୍କ ପାଇଁ ସରକାର ୧୦ କିଲୋ ଚାଉଳ, ଡାଲି ମାଗଣା ଦେଇ ବହୁତ ବଡ଼ ଉପକାର କରିଦେଇଛନ୍ତି ବୋଲି ଯଦି ଭାବୁଥାନ୍ତି, ତାହେଲେ ଏହା ସରକାରଙ୍କ ଭୁଲ ଧାରଣା। ଚିହ୍ନଟ ହୋଇଥିବା ପ୍ରକୃତ ଗରିବଙ୍କୁ ମାସିକ ନଗଦ ଆକାରରେ ୬ ହଜାର ଟଙ୍କା ଦେବା ପାଇଁ କଂଗ୍ରେସ ଦଳ ବହୁ ଦିନରୁ ଦାବି କରିଆସୁଛି। ଯଦି ରାଜ୍ୟ ସରକାରଙ୍କ ପାଖରେ ଅର୍ଥର ଅଭାବ ରହିଛି, ତାହେଲେ ଅତି କମ୍ରେ ମାସିକ ୨ ହଜାର ଟଙ୍କା ଦିଅନ୍ତୁ। ଏ ଯାଏ କାହିଁକି ଘରକୁ ଘର ବୁଲି ଲୋକଙ୍କର କୋଭିଡ ପରୀକ୍ଷା କରାଯାଉନି। ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଟିକା ଦେବା ପାଇଁ ସରକାର ଘୋଷଣା କରିଛନ୍ତି। ଏହା କେବଳ ଭୁବନେଶ୍ବର ଓ କଟକ ସହରରେ ସୀମିତ ରହିଛି।
ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେଇ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି। ଏବେ ଲୋକମାନଙ୍କୁ ସଚେତନ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଜନପ୍ରତିନିଧି ଭାବେ ଆମମାନଙ୍କର ଦାୟିତ୍ବ, କୋଭିଡ ଗାଇଡଲାଇନକୁ ଲୋକମାନେ ଯେପରି ଠିକ୍ ଭାବେ ପାଳନ କରିବେ ସେମାନଙ୍କୁ ବୁଝାଇବାକୁ ପଡ଼ିବ। ବିରୋଧୀଙ୍କ ଅଧିକାର ରହିଛି, ସେମାନେ ସରକାରଙ୍କ ଆଗରେ ପ୍ରସ୍ତାବ ରଖିପାରିବେ। କେବଳ ଓଡ଼ିଶା ନୁହେଁ, ସାରା ପୃଥିବୀରେ କୋଭିଡ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Odisha-Assembly.jpg)