ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ: ‌ସେପ୍ଟେମ୍ବର ୧ରୁ ବିଧାନସଭା ଅଧିବେଶନ

ସୁରୁଖୁରରେ ଅଧିବେଶନ ଚଳାଇବାକୁ ବାଚସ୍ପତି ସହଯୋଗ ଲୋଡ଼ିଲେ

ଭୁବନେଶ୍ବର: ଆସନ୍ତା‌ ସେପ୍ଟେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ବିଧାନସଭାରେ ମୌସୁମୀକାଳୀନ ଅଧିବେଶନ ବସିବ। ଏହି ସ୍ବଳ୍ପକାଳୀନ ଅଧିବେଶନ ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବଳ୍ପକାଳୀନ ଅଧିବେଶନ ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସବୁ ଦଳର ନେତାଙ୍କ ସହଯୋଗ କାମନା କରିଥିଲେ।

ଏହି ବୈଠକରେ ନିଷ୍ପତ୍ତି ହୋଇଛି ‌େଯ, ଆସନ୍ତା ଅଧିବେଶନରେ ପ୍ରଥମାର୍ଦ୍ଧ ଅଧିବେଶନ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଏବଂ ଦ୍ବିତୀୟାର୍ଦ୍ଧ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ। ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ‌ ଗୃହରେ ଆଲୋଚନା କରାଯିବ। ଏଥିପାଇଁ ୯୦ମିନିଟ ସମୟ ସୀମା ଧାର୍ଯ୍ୟ ହୋଇଛି। ବିଜେପି ବିଧାୟକମାନେ ସପ୍ତାହର ୪ଦିନ ଏବଂ କଂଗ୍ରେସର ବିଧାୟକମାନେ ମଙ୍ଗଳବାର ଓ ଶନିବାର ଦିନ ମୁଲତବୀ ପ୍ରସ୍ତାବ ଆଗତ କରିପାରିବେ। ଯଦି ନିର୍ଦ୍ଧାରିତ ଦିବସରେ କୌଣସି କାରଣ ଯୋଗୁଁ ତାହା ଆଗତ ହୋଇନପାରିଲା ତେବେ ସଂପୃକ୍ତ ଦଳ ସେ ସୁଯୋଗ ହରାଇବେ।

କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କ ସୁରକ୍ଷା ପାଇଁ ସେମାନଙ୍କର ଆସନ ବ୍ୟବସ୍ଥା କରାଯାଇଛି। ନିରାପଦ ଦୂରତ୍ବ ରକ୍ଷା କରି ବିଧାନସଭା ଭବନ, ଗ୍ୟାଲେରି, ବାଚସ୍ପତିଙ୍କ ଗ୍ୟାଲେରିରେ ସ୍ବତନ୍ତ୍ର ଆସନ ବ୍ୟବସ୍ଥା କରାଯାଇଛି। ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଚାହିଁଲେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଧାନସଭା ଆଲୋଚନାରେ ଅଂଶଗ୍ରହଣ କରିପାରିବେ। ଅତ୍ୟନ୍ତ ଆବଶ୍ୟକ ବ୍ୟତୀତ ଅନ୍ୟ ବିଧାୟକମାନଙ୍କୁ ଗୃହରେ ରିପୋର୍ଟ, ବିବରଣୀ ପ୍ରଦାନ କରାଯିବ ନାହିଁ। ବିଧେୟକ ସଂଶୋଧନ ବିଲ୍‌ ମନ୍ତ୍ରୀମାନଙ୍କ ଉତ୍ତର ବିଧାୟକମାନଙ୍କ ଅବଗତି ପାଇଁ ସେମାନଙ୍କ ବାସଭବନରେ ଯୋଗାଇ ଦିଆଯିବ। ପ୍ରତ୍ୟେକ ଦିନ ବିଏମ୍‌ସି ପକ୍ଷରୁ ବିଧାନସଭାକୁ ବିଶୋଧନ କରାଯିବ ଏବଂ ସମସ୍ତ ବିଧାନସଭା ସଭ୍ୟ, ଅଧିକାରୀ ଏବଂ ବିଧାନସଭା ସଚିବାଳୟ କର୍ମଚାରୀ ଏବଂ ବିଧାନସଭାକୁ ଆଗନ୍ତୁକମାନଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା କରାଯିବା ସହ ସେମାନଙ୍କୁ କରୋନା କିଟ୍‌ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ‌େହାଇଛି।

ସେହିପରି ସବୁ ବିଧାୟକ ଓ ମନ୍ତ୍ରୀଙ୍କର ଏଥର ଆଣ୍ଟିବଡି ଟେଷ୍ଟ ହେବ। ଯେଉଁ ଦିନ କରୋନା ଟେଷ୍ଟ ହେବ, ସେହିଦିନ ଆଣ୍ଟିବଡି ଟେଷ୍ଟ ହେବ ବୋଲି ବାଚସ୍ପତି କହିଛନ୍ତି। ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର