ମାଲକାନଗିରି: ସମୁଦ୍ର ପତ୍ତନଠାରୁ ପ୍ରାୟ ୫ହଜାର ଫୁଟ ଉଚ୍ଚରେ ରହିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟି। ଆଦିମ ଜନଜାତି ବଣ୍ଡାଙ୍କ ବାସସ୍ଥାନ। ପ୍ରକୃତି ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଏହି ଜନଜାତି ଶହ ଶହ ବର୍ଷ ଧରି ପ୍ରକୃତିକୁ ସୁରକ୍ଷା ଦେଇ ଆସୁଥିଲେ। କିନ୍ତୁ ପ୍ରାଚୁର୍ଯ୍ୟଭରା ବଣ୍ଡାଘାଟି ମଣିଷକୃତ କ୍ଷତି ଯୋଗୁଁ ସବୁଜ ବନାନୀ ହରାଇ ସାରିଲାଣି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ବରୂପ ପରିବେଶର ସୁରକ୍ଷା କବଚ ସଲପ ଗଛ ବିଲୁପ୍ତ ଅବସ୍ଥାକୁ ଚାଲିଆସିଛି।
ବଣ୍ଡାଙ୍କ ସମୃଦ୍ଧିର ପ୍ରତୀକ ଏହି ଗଛ
ଜଳବାୟୁ ପରିବର୍ତ୍ତନ ସହ ପୋଡୁଚାଷର ପ୍ରଭାବ
ବିଗୁଡୁଛି ବଣ୍ଡାଙ୍କ ଆର୍ଥିକ ସ୍ଥିତି
ଜିଲ୍ଲାର ଅଧିକ ଦାଦନ ବଣ୍ଡାଘାଟିରୁ
ବଣ୍ଡା ଜନଜାତିଙ୍କୁ ଜଙ୍ଗଲ ହିଁ ସବୁବେଳେ ବଞ୍ଚିବାର ରାହା ଦେଖାଇ ଆସିଛି। ସେମାନଙ୍କ ପାଇଁ ସମୃଦ୍ଧିର ପ୍ରତୀକ ହୋଇଥିବାରୁ ଖୋଲା ସ୍ଥାନ ପାଇଲେ ପ୍ରଚୁର ପରିମାଣରେ ସଲପ ଗଛ ଲଗାଉଥିଲେ। ଯାହା କାଳକ୍ରମେ ସଲପ ବଣରେ ପରିଣତ ହୋଇଥିଲା। ସଲପ ରସ ନିଜେ ପିଇବା ସହ ଏହାକୁ ବିକ୍ରି କରି ଗୁଜରାଣ ମଧ୍ୟ ମେଣ୍ଟାଉଥିଲେ। ପ୍ରତ୍ୟେକ ପରିସ୍ଥିତିରେ ଏହି ଗଛ ସହଯୋଗ କରିଆସୁଥିଲା। ସମୟକ୍ରମେ ବଣ୍ଡା ଜନଜାତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ଯାହାର ପରିଣାମ ସ୍ବରୂପ ଦୈନନ୍ଦିନ ଜୀବନ ଲାଗି ଟଙ୍କା ଆବଶ୍ୟକ ପଡ଼ୁଛି। ଏଥିପାଇଁ ନିଜେ ଲଗାଇଥିବା ଗଛକୁ ଏବେ ବିକ୍ରି କରୁଛନ୍ତି। କୌଣସି ଶୁଭ କିମ୍ବା ଅଶୁଭ କାମ ନିମନ୍ତେ ଟଙ୍କା ଯୋଗାଡ଼ କରିବାକୁ ହେଲେ ସଲପ ଗଛ ହିଁ ବିନିମୟର ମାଧ୍ୟମ ପାଲଟୁଛି। ବର୍ତ୍ତମାନ କିଛି ବର୍ଷ ଲାଗି ସଲପ ଗଛ ଲିଜ୍ ଦେବା ବି ଆରମ୍ଭ କରିଛନ୍ତି। ତେଣୁ ପୂର୍ବଭଳି ଆଉ ଗଛର ଯତ୍ନ ନେଉନାହାନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାଙ୍ଗକୁ ପୋଡ଼ୁଚାଷ ଓ ଜଙ୍ଗଲ କ୍ଷୟ ଯୋଗୁଁ ସଲପ ଗଛ ବଳି ପଡ଼ୁଛି। ମାଗଣା ଚାଉଳ ଏବଂ ଅନ୍ୟ ସରକାରୀ ଯୋଜନା ମଧ୍ୟ ସଲପ ଗଛ ପ୍ରତି ବଣ୍ଡା ସଂପ୍ରଦାୟ ଧ୍ୟାନ ନ ଦେବା ଅନ୍ୟତମ କାରଣ।
ଜଙ୍ଗଲ ତଥା ଜମିରେ ପୂର୍ବରୁ ସୁଆଁ, ମାଣ୍ଡିଆ ବୁଣିବା ସହ ସଲପ ମଞ୍ଚି ମଧ୍ୟ ବଣ୍ଡା ଫିଙ୍ଗି ଦେଉଥିଲେ। ଯାହାର ଯେତିକି ସଲପ ଗଛ, ସିଏ ସେତିକି ଧନୀ ବୋଲି ଗଣାଯାଉଥିଲା। ତେଣୁ ଗଛ ଲଗାଇବାକୁ ପ୍ରତିଯୋଗିତା ହେଉଥିଲା। ଏବେ ଆଉ ସେହି ସମୟ ନାହିଁ। ଘାଟିରେ କାଁ ଭାଁ ସ୍ଥାନରେ ଏବେ ଗଛ ଦେଖିବାକୁ ମିଳୁଛି। ସେହିପରି ନୂଆ ଗଛ ଲଗାଇବା ଦିଗରେ ବି ଧ୍ୟାନ ଦିଆଯାଉନି। ଏହି କାରଣରୁ କେବଳ ପରିବେଶ କ୍ଷତି ସହୁନାହିଁ, ବଣ୍ଡା ଜନଜାତିଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଯାହାର ଉଦାହରଣ ହେଲା ଜିଲ୍ଲାର ସର୍ବାଧିକ ଦାଦନ ବଣ୍ଡଘାଟିରୁ ଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/gdgdgjgj.jpg)