ଦେବଗଡ଼: ଦେବଗଡ଼ ଜିଲ୍ଲାର ଅଧିକାଂଶ ଗାଁକୁ ଆଜି ଯାଏ ଭଲ ରାସ୍ତା ନିର୍ମାଣ ହୋଇ ପାରିଲାନି। ଫଳରେ ଗ୍ରାମବାସୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ବର୍ଷା ଋତୁରେ ସମସ୍ୟା ବହୁ ଗୁଣରେ ବଢ଼ିଯାଉଛି। ଏପରିକି ରାସ୍ତା ପାଇଁ ଗାଁ’କୁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ବାଧ୍ୟ ହୋଇ ଗୁରୁତର ରୋଗୀଙ୍କୁ ଖଟିଆରେ ବୁହା ହେବା ଭଳି ଘଟଣା ଜିଲ୍ଲାରେ ନିତିଦିନିଆ ହେଲାଣି। ବୁଧବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତିଲେଇବଣି ବ୍ଲକ୍ ରାମଚନ୍ଦ୍ରପୁର ଗାଁ’ରେ।
ସୂଚନାନୁଯାୟୀ, ଗାଁ’ର ଜାଉନି ତିଗାଙ୍କୁ କିଛି ଦିନ ହେଲା ଜ୍ବର ହେଉଥିଲା। ଆଜି ସକାଳେ ସେ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ଫଳରେ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିଲା, ହେଲେ ରାସ୍ତା ଠିକ୍ ନ ଥିବାରୁ ଗାଁ’ ପର୍ଯ୍ୟନ୍ତ ଯାଇପାରିଲାନି। ଫଳରେ ପରିବାର ଲୋକଙ୍କ ସହ ଆମ୍ବେଦକର ସାମାଜିକ ପରିବର୍ତ୍ତନ ମଞ୍ଚର ସଦସ୍ୟ ଓ ଗ୍ରାମବାସୀ ମିଶି ଜାଉନିଙ୍କୁ ଖଟିଆରେ ପ୍ରାୟ ୧ କିମି ଦୂର ପର୍ଯ୍ୟନ୍ତ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ ନିଆଯାଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଜିଲ୍ଲାର ୨୭ଟି ଗାଁକୁ ରାସ୍ତା ନଥିବାରୁ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଦମକଳ ସେବା ପହଞ୍ଚି ପାରୁନାହିଁ। ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।