ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍‌ ଅନ୍ତର୍ଗତ ପୋର୍ଟିପଡ଼ା ଗାଁରେ ଶୁକ୍ରବାର ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମର ଖାମ ସିଂ ମାଝି (୬୫) ନାମକ ଜଣେ ବୃଦ୍ଧଙ୍କ ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ଶନିବାର ସିନାପାଲି ଥାନା ପୁଲିସ ସେହି ଗାଁର ଗିରିଧାରୀ ମାଝି (୨୨), ହୁକୁମ ମାଝି (୪୯), ଭୁବନେଶ୍ୱର ମାଝି (୨୫), ଡୁମଲ ମାଝି (୨୭), ଲଳିତ ମାଝି (୫୫), ଗିରିଧାରୀ ମାଝି (୨୧), କ୍ଷୀରସିନ୍ଧୁ ମାଝି (୨୧), ଗୁନେଶ୍ୱର ମାଝି (୨୦), ଡକେନ୍ଦ୍ର ମାଝି (୧୯), ତେଜମନ ମାଝି (୨୬), ରଇବାରୁ ମାଝୀ (୨୭), ତ୍ରିନାଥ ମାଝି (୧୯), ପୁସ୍ତମ ମାଝି (୧୯)ପ୍ରମୁଖ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। 

Advertisment

ସୂଚନା ଅନୁସାରେ, ଖାମସିଂ ମାଝି ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଗ୍ରାମରେ ଏକ ବୈଠକ ଡକାଯାଇଥିଲା। ସେଠାରେ ଗ୍ରାମବାସୀଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା। ସମସ୍ତେ ନିଜ ନିଜ ଘରକୁ ଫେରିଥିଲେ। ହେଲେ କିଛି ବ୍ୟକ୍ତି ଖାମସିଂ ମାଝିଙ୍କୁ ଅନ୍ୟତ୍ର ଡାକି ନେଇଥିଲେ। ଗ୍ରାମର ଏକ ସ୍ଥାନରେ ତାଙ୍କ ଦେହରେ ନଡ଼ା ଗୁଡ଼ାଇ ପେଟ୍ରୋଲ ଢାଳିବା ସହ ନିଆଁ ଲଗାଇ ଦେଇଥିଲେ। ଜୀବନ ବିକଳରେ ଖାମସିଂ ନିକଟରେ ଥିବା ପୋଖରୀକୁ ଡେଇଁ ଜୀବନ ବଞ୍ଚାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିବାବେଳେ ଖାମସିଂଙ୍କ ପୁଅ ହେମଲାଲ ମାଝି ଘଟଣା ସଂପର୍କ‌ରେ ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ସିନାପାଲି ଥାନା କେସ୍‌ ନଂ ୩୪୬/୨୪, ବିଏନ୍‌ଏସ୍‌ ଦଫା ୧୨୬(୨), ୧୦୯, ୧୧୮(୨), ୧୯୧, ୧୯୦ରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।