ସମ୍ବଲପୁର : ସମ୍ବଲପୁର ଟାଉନ ଥାନା ଅଂଚଳରେ ନାବାଳିକା ଝିଅକୁ ୩୦ ହଜାର ଟଙ୍କାରେ ଝାନ୍ସୀର ଜଣେ ଯୁବକଙ୍କ ହାତରେ ଟେକି ଦେବାକୁ ଉଦ୍ୟମ ହୋଇଛି। ତେବେ, ଏହା ପ୍ରଥମ ଘଟଣା ନୁହେଁ। ୩ ମାସ ମଧ୍ୟରେ ଟଙ୍କା ନେଇ ବିବାହ ଦେବା ପାଇଁ ଏଭଳି ଦୁଇଥର ଉଦ୍ୟମ ହୋଇଥିବାବେଳେ ଟାଉନ୍ ଥାନାରେ ସଂପୃକ୍ତ ନାବାଳିକାଙ୍କ ମା ଓ ମାମୁଙ୍କ ନାମରେ ଏତଲା ଦିଆଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ଟାଉନ ଥାନା ଅଂଚଳରେ ଜଣେ ମହିଳାଙ୍କ ଏକ ୧୫ ବର୍ଷର ଝିଅ ଓ ୫/୬ ବର୍ଷର ଏକ ପୁତ୍ର ସନ୍ତାନ ଅଛନ୍ତି। ଗତ ଏପ୍ରିଲ ମାସରେ ମହିଳା ଜଣକ ରାୟଗଡ଼ର ଜଣେ ଯୁବକଙ୍କଠାରୁ ଟଙ୍କା ନେଇ ବାହା କରାଇବା ପାଇଁ ତାଙ୍କ ମାଓ ମାମୁ ଉଦ୍ୟମ କରିଥିଲେ। ଏହାକୁ ନେଇ ସେତେବେଳେ ମହିଳା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ, କୌଣସି ସୂତ୍ରରୁ ଖବର ପାଇ ଚାଇଲାଡ୍ ଲାଇନ୍ ଓ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା। ରାୟଗଡ଼ରୁ ଆସୁଥିବା ସଂପୃକ୍ତ ଯୁବକ ଓ ତାଙ୍କ ସାଥୀମାନେ ସେଠାରେ ଫେରାର ହୋଇଯାଇଥିଲେ। ସଂପୃକ୍ତ ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରି ଶିଶୁ ଯତ୍ନଗୃହକୁ ପଠାଇ ଦେଇଥିଲା। ତେବେ, ନାବାଳିକଙ୍କ ମା ଆଉ ଏଭଳି କରିବେ ନାହିଁ ବୋଲି ଅଣ୍ଡରଟେକିଂ ଲେଖି ଘରକୁ ଆଣିଥିଲେ। ମାତ୍ର ଏହାର କିଛିଦିନ ପରେ ପୁଣି ସଂପୃକ୍ତ ନାବାଳିକାଙ୍କୁ ଝାନ୍ସୀର ଜଣେ ଯୁବକଙ୍କୁ ୩୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ।
ରବିବାର ସକାଳୁ ସେମାନେ ଝାରସୁଗୁଡ଼ା ଯାଇ ସେଠାରୁ ପୁଣି ଝାନ୍ସୀ ଅଭିମୁଖେ ବାହାରିବାର ଯୋଜନା ରହିଥିଲା। ମାତ୍ର କୌଣସି ସୂତ୍ରରୁ ଖବର ପାଇ ଚାଇଲାଡ୍ ଲାଇନ୍ର ଏକ ଟିମ୍ ଟାଉନ୍ ପୁଲିସ ସହାୟତାରେ ଶନିବାର ରାତି ସାଢ଼େ ୧୧ଟାରେ ଚଢ଼ଉ କରି ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଝାନ୍ସୀ ଯିବା ପରେ ସେମାନଙ୍କୁ ଟଙ୍କା ମିଳିଥାନ୍ତା। ନାବାଳିକାଙ୍କ ବୟାନ ଆଧାରରେ ଚାଇଲ୍ଡ ଲାଇନ ପକ୍ଷରୁ ଟାଉନ୍ ଥାନାରେ ଏତଲା ଦିଆଯାଇଛି। ବାଲ୍ୟ ବିବାହ କରାଇବା ଏବଂ ୩୦ ହଜାର ଟଙ୍କାରେ ନାବାଳିକାଙ୍କୁ ଝାନ୍ସୀରେ ବିକିବା ପାଇଁ ଉଦ୍ୟମ କରିବା ନେଇ ଟାଉନ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି।