ଲୋକଙ୍କ ସେବା ପ୍ରମୁଖ ଲକ୍ଷ୍ୟ ହେଉ: ମୁଖ୍ୟ ବିଚାରପତି

ପୁରୀ, ଖୋର୍ଦ୍ଧା ଜିଲ୍ଲା କୋର୍ଟରେ ଇ-ଫାଇଲିଂ ଷ୍ଟେସନ୍‌ ଉଦ୍‌ଘାଟିତ

ପୁରୀ: ବିଚାରପତି ହୁଅନ୍ତୁ କି ଆଇନଜୀବୀ, ଜନସାଧାରଣଙ୍କ ପାଖରେ ସମସ୍ତେ ଉତ୍ତରଦାୟୀ। ଯଦି କୌଣସି ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଆଇନଜୀବୀ କି ବିଚାରପତି କିଛି ଆଇନଗତ ସହାୟତା ଦେଇପାରିବେନି, ତେବେ ଲୋକଙ୍କ ବିଶ୍ବାସ ଆମ ଉପରୁ ତୁଟିଯିବ। ଆମ ଆଇନ ବ୍ୟବସ୍ଥା ମୂଲ୍ୟହୀନ ହୋଇପଡ଼ିବ। ଲୋକଙ୍କୁ ସେବା ପ୍ରଦାନ ଆମର ପ୍ରମୁଖ ଲକ୍ଷ୍ୟ ହେଉ।

ଆଜି ପୁରୀ ଜିଲ୍ଲା କୋର୍ଟ ପରିସରରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା କୋର୍ଟର ଆଇନଜୀବୀଙ୍କ ପାଇଁ ଇ-ଫାଇଲିଂ ଷ୍ଟେସନ୍‌ର ଶୁଭାରମ୍ଭ କରି ଏହା କହିଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡ. ଏସ୍‌. ମୁରଲୀଧର। ଏହି ଅବସରରେ ଇ-ଫାଇଲିଂ ସମ୍ପର୍କରେ ଆଇନଜୀବୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି।

ଆଜି ପୁରୀ ଜିଲ୍ଲା କୋର୍ଟ ପରିସରରେ ଆୟୋଜିତ ଇ-ଫାଇଲିଂ ଷ୍ଟେସନ୍‌ ଶୁଭାରମ୍ଭ ପର୍ବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଜଷ୍ଟିସ୍‌ ମୁରଲୀଧର। ପୁରୀ ଜିଲ୍ଲା କୋର୍ଟ ପରିସରରେ ମାଗଣା ଇ-ଫାଇଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏଥିସହ ଭର୍ଚୁଆଲ୍‌ ମୋଡ୍‌ରେ ଖୋର୍ଦ୍ଧା ଜିଲ୍ଲା କୋର୍ଟର ଇ-ଫାଇଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏଥିପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ଓ ସ୍ବତନ୍ତ୍ର ୱେବସାଇଟ୍‌ର ବି ଶୁଭାରମ୍ଭ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଓ ଦୌରାଜଜ୍‌ ଧନେଶ୍ବର ମଲ୍ଲିକଙ୍କ ସହ ଅନ୍ୟ ବିଚାରପତିମାନେ ଯୋଗଦେଇଥିଲେ। ଭର୍ଚୁଆଲ୍‌ ମୋଡ୍‌ରେ ହାଇକୋର୍ଟ ରେଜିଷ୍ଟ୍ରାର ଚିତ୍ତରଂଜନ ଦାସ, ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ ରାମଶଙ୍କର ହୋତାଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଯୋଗ ଦେଇଥିଲେ। ପୁରୀ ଓକିଲ ସଂଘ ସଭାପତି ଭଗବାନ ମିଶ୍ର ସ୍ବାଗତ ଭାଷଣ ଓ ଉପସଭାପତି ରବିନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର