ବାଲିକୁଦା: ବଡ଼ଚଣା ବ୍ଲକ ବରପଦା ପଞ୍ଚାୟତର ନିଆଳିଠାରେ ନିର୍ମାଣାଧୀନ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାମକୁ ବିରୋଧ କରିବା ଅଭିଯୋଗରେ ୭୦ ବର୍ଷର ଜଣେ ବୃଦ୍ଧଙ୍କୁ ପୁଲିସ ଗିରଫ କରିଛି। ଗିରଫ ବୃଦ୍ଧ ହେଲେ ଶିଶିର କୁମାର ସାମଲ। ପ୍ଲଟ ନଂ ୨୫୩୩/୨୮୯୧ ରେ ୬ ଡେସିମିଲ ଘରବାଡ଼ି ଜମି ତାଙ୍କ ବାପା ସ୍ବର୍ଗତ ଯୋଗେନ୍ଦ୍ର ସାମଲଙ୍କ ନାମରେ ରହିଛି। ଏହି ଘରବାଡ଼ି ପ୍ଲଟକୁ ଖୋଳି ସେଥିରେ ପାଇପ୍ ବିଛାଇବାକୁ ନିର୍ମାଣକାରୀ ସଂସ୍ଥା ଉଦ୍ୟମ କରିଥିଲା। ଶିଶିର ଏହାକୁ ବିରୋଧ କରୁଥିଲେ। ସେହି ଜମିରେ ପାଇପ୍ ବିଛାଇଲେ ଭବିଷ୍ୟତରେ ସେଠାରେ ଘର କରିବାରେ ଅସୁବିଧା ହେବ ବୋଲି ସେ କହିଥିଲେ। ଅନ୍ୟପଟେ ପ୍ରକଳ୍ପର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଶଶାଙ୍କ ଶେଖରଙ୍କ କହିବାନୁସାରେ ଆମେ ବିଭିନ୍ନ ସମୟରେ ଶିଶିର ସାମଲଙ୍କ ସହ ଆଲୋଚନା କରିଛୁ। ସମାଧାନ ନହେବାରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲୁ।
ଗତକାଲି ଏଡିଏମ୍ଙ୍କ ନିର୍ଦେଶକ୍ରମେ ଦର୍ପଣ ତହସିଲଦାର, ବାଲିଚନ୍ଦ୍ରପୁର ପୁଲିସ ଓ ପ୍ରକଳ୍ପର କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଜମି ନିକଟରେ ପହଞ୍ଚି କାମ ଆରମ୍ଭ କରିଥିଲେ। ଏହା ଦେଖି ଜମି ମାଲିକ ଶିଶିର ପହଞ୍ଚି କାମ ବନ୍ଦ କରିବାକୁ କହିଥିଲେ। ମାଜିଷ୍ଟ୍ରେଟଙ୍କ ନିର୍ଦେଶକ୍ରମେ ତାଙ୍କୁ ପୁଲିସ ଥାନାକୁ ଉଠାଇ ନେଇଥିଲା। ଶଶାଙ୍କ ଶେଖରଙ୍କ ଅଭିଯୋଗକ୍ରମେ ତାଙ୍କ ବିରୋଧରେ ୨୫୩/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଥାନାଧିକାରୀ ରମାକାନ୍ତ ମୁଦୁଲି କହିଛନ୍ତି। ନିଜ ଘରବାଡ଼ି ଜମିରେ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଜଣେ ୭୦ ବର୍ଷୀୟ ବୃଦ୍ଧ ଗିରଫ ହେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ ୨୦୧୬ ରେ ତାଳୁଆ-ବାଲିକୁଦା ନାମରେ ନାମିତ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ନିର୍ମାଣ ପାଇଁ ନିଆଳିଠାରେ ଶିଳାନ୍ୟାସ ହୋଇଥିଲା।୨୦୧୮ ମାର୍ଚ୍ଚ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବା କଥା। ପରେ ଅବଧିକୁ ୨୦୧୯ କୁ ବୃଦ୍ଧି କରାଯାଇଥିଲା। ଦୁଃଖର କଥା ୨୦୨୨ ରେ ମଧ୍ୟ ନିର୍ମାଣ କାର୍ଯ୍ୟ ସରିପାରିନାହିଁ। ଦାୟିତ୍ଵ ନେଇଥିବା ଅଗ୍ରଣୀ ଠିକାସଂସ୍ଥା ଏଲ୍ ଆଣ୍ଡ ଟି କାମ ସାରିବାକୁ ପ୍ରୟାସ ଜାରି ରଖିଥିଲେ ବି ପ୍ରଶାସନିକ ଅପାରଗତାରୁ ବ୍ୟକ୍ତିଗତ ଜମି ସବୁ ଏଥିରେ ପ୍ରତିବନ୍ଧ ସାଜିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/5-6.jpg)