ପଶ୍ଚିମବଙ୍ଗ ଫେରନ୍ତା ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ରାଜନଗର: ପଶ୍ଚିମବଙ୍ଗରୁ ଫେରି ୧୫ ଦିନ ଧରି ଜଣେ କ୍ବାକଙ୍କ ନିକଟରେ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ଜଣେ ୬୫ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଗ୍ରାମବାସୀ ଓ ସାହିଭାଇ ସହଯୋଗ ନ କରିବାରୁ ପରିବାର ଲୋକେ ତରବରିଆ ଭାବରେ ମୃତଦେହକୁ ପୋଡ଼ି ଦେଇଛନ୍ତି। ତେବେ, ବୃଦ୍ଧାଙ୍କ ମୃତ୍ୟୁର ୨ ଦିନ ପରେ ତାଙ୍କ ସ୍ବାମୀଙ୍କ ସ୍ବାବ ସଂଗ୍ରହ କରାଯାଇଛି। ଏଯାଏ ତାଙ୍କର ରିପୋର୍ଟ ଆସିନାହିଁ।

ରାଜନଗର ବ୍ଲକ ଖମାରସାହି ପଞ୍ଚାୟତ ରାଜେନ୍ଦ୍ରନାରାୟଣପୁର ଗାଁର ଆଶାଲତା ପାତ୍ର ଓ ତାଙ୍କ ସ୍ବାମୀ ପରେଶ ଚନ୍ଦ୍ର ପାତ୍ର ପଶ୍ଚିମବଙ୍ଗର କଂଟାଇରେ ରୁହନ୍ତି। ତାଙ୍କର ୩ ପୁଅ ଖମାରସାହି ପଞ୍ଚାୟତରେ ରହୁଥିବାବେଳେ ଆଉ ଦୁଇପୁଅ ପଶ୍ଚିମବଙ୍ଗରେ ରହୁଛନ୍ତି। ତାଙ୍କ ପୁଅ ଏକ ଗାଡ଼ି ଭଡ଼ା କରି ତାଙ୍କ ବାପାମା’ଙ୍କୁ ରାଜେନ୍ଦ୍ରନାରାୟଣପୁର ଗାଁରେ ଛାଡ଼ି ଦେଇ ଯାଇଥିଲେ। ସେଠାରୁ ଫେରିବାବେଳେ ସେମାନେ ସାଥିରେ ଅକ୍ସିଜେନ ସିଲିଣ୍ତର ଆଣିଥିଲେ। ଏଠାରେ ପହଞ୍ଚିବା ପରେ ଆଶାଲତା ଥଣ୍ତା ଓ କାଶରେ ପୀଡ଼ିତ ହୋଇ ନକଲି ଡାକ୍ତର (କ୍ବାକ) ମନୁ ମାଇତିଙ୍କ ନିକଟରେ ଚିକିତ୍ସିତ ହୋଇଥିଲେ। ତାଙ୍କ ପାଖରେ ଦୀର୍ଘ ୧୫ଦିନ ଧରି ଚିକିତ୍ସାଧୀନ ଥିଲେ। ଗତ ୧୭ ତାରିଖ ଶୁକ୍ରବାର ଦିନ ଆଶାଲତାଙ୍କ ମୃତ୍ୟୁ ଘଟିଥିଲା। ଆଶାଲତା ପଶ୍ଚିମବଙ୍ଗରୁ ଫେରିଥିବାରୁ ଓ ତାଙ୍କର ଥଣ୍ତା କାଶ ହେବା ଅବସ୍ଥାରେ ମୃତ୍ୟୁ ଘଟିଥିବାରୁ ଗାଁ ଲୋକେ ଓ ସାହିଭାଇ ତାଙ୍କ ଶବ ସତ୍କାରରେ ସାମିଲ ହୋଇ ନଥିଲେ। ଏ ସମ୍ପର୍କରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡା. ରଶ୍ମିରଂଜନ ମହାନ୍ତି କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୃଦ୍ଧାଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ସ୍ବାମୀ ସ୍ବାମୀଙ୍କ ସ୍ବାବ୍ ସଂଗ୍ରହ କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ଅନ୍ୟପକ୍ଷରେ କ୍ବାକ୍‌ ଶ୍ରୀ ମାଇତି କହିଛନ୍ତି, ବୃଦ୍ଧାଙ୍କୁ ତାଙ୍କ ପରିବାର ଲୋକେ ମୋ ପାଖକୁ ଚିକିତ୍ସା କରିବାକୁ ଆଣିଥିଲେ। ମୁଁ ତାଙ୍କୁ ସିରପ୍‌ ଓ ଔଷଧ ଦେଇଥିଲି। ତାଙ୍କର ଆଜ୍‌ମା ଥିଲା। ସେମାନେ ପଶ୍ଚିମବଙ୍ଗରୁ ଅକ୍ସିଜେନ୍‌ ସିଲିଣ୍ଡର ସାଙ୍ଗରେ ନେଇ ଆସିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର