ଭୁବନେଶ୍ବର : ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଆସୁଥିବା ବିଦ୍ୟୁତ୍‌ ଇଞ୍ଜିନିୟର ଓ ଅଫିସରଙ୍କ ଆନ୍ଦୋଳନ ଏବେ ତୀବ୍ର ରୂପ ନେଇଛି। ଦୁଇ ସପ୍ତାହ ଧରି ରାଜ୍ୟର ସମସ୍ତ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର, ଗ୍ରିଡ୍‌ ସବ-ଷ୍ଟେସନ୍‌, ରାଜ୍ୟ ବିଦ୍ୟୁତ କେନ୍ଦ୍ର ଓ ସମସ୍ତ ଅଫିସ ସମ୍ମୁଖରେ ସନ୍ଧ୍ୟାରେ ପ୍ରତିବାଦ କରୁଥିବା ଓପିଟିସିଏଲ, ଓପିଜିସି, ଓଏଚ୍‌ପିସି ଓ ୪ଟି ବିଦ୍ୟୁତ୍‌ ବଣ୍ଟନ ନିଗମର ଇଞ୍ଜିନିୟର ଓ ଅଫିସରମାନେ ଆଜି ମହମବତୀ ଧରି ରାଜ୍ୟବ୍ୟାପୀ ଶୋଭାଯାତ୍ରା କରିଛନ୍ତି। ଏହାସହ ଆସନ୍ତା ୧୫ରୁ ଗ୍ରିଡ୍‌କୋ ଓ ଓପିଟିସିଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ରିଲେ ସତ୍ୟାଗ୍ରହରେ ସାମିଲ ହେବେ ବୋଲି ସୂଚନା ମିଳିଛି।

Advertisment

ଜରୁରୀକାଳୀନ ଓ ବିପଦସଙ୍କୁଳ କାର୍ଯ୍ୟ ପାଇଁ ଦେଶର ଅନ୍ୟ ରାଜ୍ୟରେ ମିଳୁଥିବା ଉଚ୍ଚ ବେତନ, ସମୟଭିତ୍ତିକ ପଦୋନ୍ନତିରୁ ସେମାନଙ୍କୁ ବଞ୍ଚିତ କରାଯାଇଛି। ଅନ୍ୟର ରାଜ୍ୟ ଓ କେନ୍ଦ୍ରୀୟ ନିଗମର ଦ୍ୱାହି ଦେଇ ନିର୍ଦେଶକମାନେ ଉଚ୍ଚ ବେତନ ନେଉଛନ୍ତି। କିନ୍ତୁ ଇଞ୍ଜିନିୟର ଓ ଅଫିସରମାନଙ୍କୁ ଏହି ସୁବିଧା ମିଳୁନାହିଁ। ରାଜ୍ୟ ସରକାର ୨୦୧୩ ମସିହାରେ ଇଞ୍ଜିନିୟର ଓ ଅଫିସରମାନଙ୍କ ମୂଳ ପଦବି ଦ୍ୱିତୀୟ ଶ୍ରେଣୀରୁ ପ୍ରଥମ ଶ୍ରେଣୀକୁ ଉନ୍ନୀତ କରିଥିଲେ। ମାତ୍ର ବିଦ୍ୟୁତ୍‌ ନିଗମଗୁଡିକରେ ଏ ଯାଏ ଲାଗୁ ହୋଇନାହିଁ। ରାଜ୍ୟ ସରକାର ଦ୍ରୁତ ପଦୋନ୍ନତି ପାଇଁ ୨୦୨୧ରୁ କ୍ୟାଡର ପୁନର୍ଗଠନ କରିସାରିଥିଲେ ମଧ୍ୟ ବିଦ୍ୟୁତ୍‌ ନିଗମଗୁଡିକରେ ତାହା କରାଯାଉନାହିଁ। ଚାକିରିରେ ଥାଇ ପ୍ରାଣ ହରାଇଲେ ଚାକିରି ପରିବର୍ତ୍ତେ ୧୦ଲକ୍ଷ ଟଙ୍କା ଧରାଇ ଦେଇ ନିଗମ କର୍ତ୍ତୃପକ୍ଷ ଚୁପ ବସୁଛନ୍ତି। ଏପରିକି ଇଞ୍ଜିନିୟରଙ୍କୁ ମ୍ୟାନେଜର ପରିବର୍ତ୍ତେ ଇଞ୍ଜିନିୟର ନାମକରଣ କରାଯିବା ଦାବିକୁ ମଧ୍ୟ ଉପେକ୍ଷା କରାଯାଉଛି।

ଘରୋଇ ପରିଚାଳନାରୁ ମୁକ୍ତ ହେବାର କିଛିବର୍ଷ ଭିତରେ ଲାଭରେ ଚାଲିଥିବା ଓପିଜିସିକୁ ପୁଣିଥରେ ଘରୋଇକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜାତୀୟସ୍ତରରେ କ୍ରମାଗତଭାବେ ଉତ୍କର୍ଷତା ପୁରସ୍କାର ପାଉଥିବା ଓପିଟିସିଏଲକୁ ଟିବିସିବିଓ ଆସେଟ୍ ମନିଟାଇଜେସନ ଆଳରେ ଘରୋଇ ମାଲିକାନାକୁ ଟେକି ଦେବାର ମସୁଧା ଚାଲିଛି। ଦେଶର କୌଣସି ରାଜ୍ୟରେ ବିଦ୍ୟୁତ୍‌ କ୍ଷେତ୍ରକୁ ଘରୋଇକରଣ ହୋଇ ନ ଥିବା ବେଳେ ଓଡ଼ିଶା ବିଦ୍ୟୁତ୍‌ କ୍ଷେତ୍ରରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଚାଲୁ ରହିଛି। ଟାଟା ବିଦ୍ୟୁତ୍‌ ବଣ୍ଟନ କ୍ଷେତ୍ରକୁ ଅଧିଗ୍ରହଣ କରିବା ପରେ ଇଞ୍ଜିନିୟର ଓ ଅଫିସରଙ୍କ ଦୁର୍ଦ୍ଦଶା ବଢ଼ିଛି। ସମସ୍ତ ପଦବି କ୍ୟାଡର ବାହାରେ ସୃଷ୍ଟି କରି ମୂଳ ଇଞ୍ଜିନିୟର ଓ ଅଫିସରଙ୍କୁ ପଦୋନ୍ନତିରୁ ବଞ୍ଚିତ ରଖାଯାଉଛି। ମୂଳ କ୍ୟାଡର ଏବେ ଅସ୍ତିତ୍ବ ହରାଇବାକୁ ବସିଲାଣି। କ୍ରମାଗତଭାବେ ନିଗମ କର୍ତ୍ତୃପକ୍ଷ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପ୍ରତିବାଦ ଜାରି ରହିଛି।