ରାୟଗଡା: ଓଡ଼ିଶା-ଆନ୍ଧ୍ର ସୀମାରେ ଆଜି ସକାଳେ ଛାତିଥରା ଘଟଣା ଘଟିଛି। ବାଟବଣା ହାତୀ ରାସ୍ତା ଅବରୋଧ କରି ଆତଙ୍କ ସୃଷ୍ଟି କରିଛି। ଖାଦ୍ୟ ସନ୍ଧାନରେ ଏଣେତେଣେ ବୁଲୁଥିବା ସମୟରେ ସାମ୍ନାକୁ ଗୋଟିଏ ଯାତ୍ରୀବାହୀ ବସ୍ ଚାଲି ଆସିବାରୁ ଉଗ୍ର ହୋଇଯାଇଥିଲା। ଏହାପରେ ବସ୍କୁ ଅଟକାଇବା ସହ ପଛକୁ ଠେଲିବା ପାଇଁ ପ୍ରୟାସ କରିଥିଲା।
ଆନ୍ଧ୍ରର ପାର୍ବତୀପୁର ଜିଲ୍ଲାରେ ପ୍ରଚୁର ପରିମାଣରେ ପନିପରିବା ସହ କଦଳୀ ଚାଷ ହେଉଛି। ତେଣୁ ପ୍ରତିବର୍ଷ ପରିବା ତୋଳିବା ସମୟରେ ଖାଦ୍ୟ ସନ୍ଧାନରେ ହାତୀପଲ ଆସି କ୍ଷୟକ୍ଷତି କରନ୍ତି। ଆଜି ସକାଳେ ମଧ୍ୟ ଗୋଠଛଡ଼ା ହୋଇଯାଇଥିବା ଗୋଟିଏ ହାତୀ ଖାଦ୍ୟ ସନ୍ଧାନରେ ଜନବସତିର ଅତି ନିକଟକୁ ଚାଲି ଆସିଥିଲା। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ପାର୍ବତୀପୁରମ ଠାରୁ ୫କିଲୋମିଟର ପୂର୍ବରୁ ଆର୍ଥମ ଗାଁ ନିକଟରେ ତଥା କାଲିକୁଟା ଛକରେ ରାସ୍ତାକୁ ନିର୍ଭୟରେ ଅତିକ୍ରମ କରୁଥିଲା। ଏହି ସମୟରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରୁ ପାର୍ବତୀପୁରମ ଅଭିମୁଖେ ଯାଉଥିବା ଶ୍ରୀ ବିଜୟଦୁର୍ଗା ଘରୋଇ ବସ୍ ହାତୀ ସମ୍ନାକୁ ଚାଲି ଆସିଥିଲା। ବିପଦ ଆଶଙ୍କା କରି ହାତୀ ହଠାତ୍ ବସ୍ ନିକଟକୁ ଚାଲିଆସି ପଛକୁ ଫେରିଯିବା ପାଇଁ ସଂକେତ ଦେଇଥିଲା।
ଶେଷରେ ଉଗ୍ର ହୋଇ ବସ୍କୁ ପଛକୁ ଠେଲିବାରୁ ସମ୍ମୁଖ କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଯାହା ବସ୍ରେ ବସିଥିବା ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା। ତେଣୁ କିଛି ଯାତ୍ରୀ ବସ୍ରୁ ଓହ୍ଲାଇ ଆସିଥିଲେ ଏବଂ ଆଖପାଖରେ ଥିବା ଲୋକ ମଧ୍ୟ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କୁ ମଧ୍ୟ କିଛି ଦୂର ପର୍ଯ୍ୟନ୍ତ ହାତୀ ଗୋଡ଼ାଇଥିଲା। ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନାହିଁ। ହାତୀ ଆତଙ୍କ ସୃଷ୍ଟି କରିଥିବା ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଘଉଡ଼ାଇଥିଲେ। ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଥିବାରୁ ହାତୀ ଓଡ଼ିଶାରେ ପଶିବାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/654sf654fh56fhfhfh.jpg)