ତେଲକୋଇ: ଡୋଲିରେ ଧାନ ସହ ୧୦ ହଜାର ଟଙ୍କା ରଖିଥିଲେ ଚାଷୀ। ବିଳମ୍ବିତ ରାତିରେ ହାତୀପଲ ଘର ଭାଙ୍ଗି ଡୋଲିରେ ଥିବା ଧାନ ସହ ନୋଟ୍ଗୁଡ଼ିକୁ ମଧ୍ୟ ଖାଇ ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଖୁଣ୍ଟାପଡ଼ା ପଞ୍ଚାୟତ ବେଣା ଗାଁରେ ଘଟିଛି ଏହି ଘଟଣା।
କେନ୍ଦୁଝର ବନଖଣ୍ଡ ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଗତକାଲି ବିଳମ୍ବିତ ରାତିରେ ୫ଟି ହାତୀ ବେଣା ଗାଁର ମୁଣ୍ଡାସାହିରେ ଖାଦ୍ୟ ଅନ୍ୱେଷଣରେ ପଶିଥିଲେ। ପ୍ରଥମେ ରବୀନ୍ଦ୍ର ପାତ୍ରଙ୍କ ବାଇଗଣ ବାଡ଼ିରେ ପଶି ଫସଲ ନଷ୍ଟ କରିଥିଲେ। ଘର ଭାଙ୍ଗି ଡୋଲିରେ ଥିବା ଧାନ ଖାଇଥିଲେ। ରବୀନ୍ଦ୍ର ଉକ୍ତ ଡୋଲିରେ ଧାନ ସହ ୧୦ ହଜାର ଟଙ୍କା ରଖିଥିବାବେଳେ ତାକୁ ମଧ୍ୟ ହାତୀପଲ ଖାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି।
ସେହିପରି ବାବୁରାମ ମୁଣ୍ଡାଙ୍କ ଘର ଭାଙ୍ଗି ଆସବାବପତ୍ର ନଷ୍ଟ କରିଛନ୍ତି ହାତୀପଲ। ସୁକୁମତି ମୁଣ୍ଡା, ମୁନି ମୁଣ୍ଡା ଓ ଲାକରା ମୁଣ୍ଡାଙ୍କ ବିଲରେ ଧାନଫସଲ ଦଳଚକଟି ଦେଇଛନ୍ତି। ଅନ୍ୟପକ୍ଷରେ ବିମଳା ଫରେଷ୍ଟ ସେକ୍ସନ୍ ଅନ୍ତର୍ଗତ ଆକୁଳ ନୀଳାପଶି ମୁଣ୍ଡାସାହିରେ ଏକ ଦନ୍ତାହାତୀ ପଶି ଜଳଧର ମୁଣ୍ଡାଙ୍କ ଘର ଭାଙ୍ଗି ଚାଉଳ ଖାଇଥିବା ଜଣାପଡ଼ିଛି। ବନ ବିଭାଗ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପୂର୍ବତନ ସରପଞ୍ଚ ବନବିହାରୀ ନାଏକ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/rAUNnjARPD1AbTr0VFMG.jpg)