ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଅପରାଧର ସୀମା ଲଙ୍ଘିଛି। ବିଦ୍ୟୁତ୍‌ ଦେଇ, ଫାଶ ପକାଇ ହାତୀ, ବାଘଙ୍କୁ ହତ୍ୟା କରିବାର ପୁରୁଣା ନଜିର୍‌ ଥିଲା। ଏବେ କିନ୍ତୁ ଅଭୟାରଣ୍ୟର କୋର୍‌ ଏରିଆ ଭିତରେ ଗୁଳିକରି ଏକ ବୟସ୍କ ଦନ୍ତାହାତୀକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଜିଲିଣ୍ଡା ରେଞ୍ଜ କଟରଙ୍ଗ ସେକ୍ସନ୍‌-ଏ ଫରେଷ୍ଟ କ୍ୟାମ୍ପ୍‌ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଘଟିଥିବା ଏ ଘଟଣା ପରିବେଶବିତ୍‌ଙ୍କୁ କେବଳ ହତଚକିତ କରିନାହିଁ, ବରଂ ଭୟଶୂନ୍ୟ କରିଡର୍‌ କୁହାଯାଉଥିବା ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ସାତକୋଶିଆ କର୍ତୃପକ୍ଷ କେତେ ଅପାରଗ ଏ ଘଟଣା ତାହାର ପ୍ରମାଣ ଦେଉଛି।

Advertisment

ସୂଚନା ମୁତାବକ, ମଜଭୁତ୍‌ ଦାନ୍ତ ଥିବା ଏହି ଦନ୍ତା ହାତୀଟି ଫରେଷ୍ଟ ବିଟ୍ ହାଉସ୍‌ଠାରୁ ମାତ୍ର ଦୁଇ ମିଟର ଦୂରରେ ପଡ଼ିଥିବା ଆଜି ଖବର ମିଳିଥିଲା, ଯାହାର ବୟସ ପ୍ରାୟ ୩୫/୪୦ବର୍ଷ ହେବ। ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ତଥା ଅନୁଗୁଳ ଆର୍‌ସିସିଏଫ୍‌, ସାତକୋଶିଆ ଡିଏଫ୍‌ଓ ଡ. ସରୋଜ କୁମାର ପଣ୍ଡା ସଦଳେବଳେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରି ଦେଖିଲା ବେଳକୁ ହାତୀଟି ଆଜି ନୁହେଁ, ପ୍ରାୟ ସପ୍ତାହେ ତଳୁ ମରି ପଡ଼ିଥିବା ଜଣାପଡ଼ିଥିଲା। ତାର ମୃତଦେହ ପଚି ଯାଇଥିବା ବେଳେ ଦେହଯାକ ପୋକ ସାଲୁବାଲୁ ହୋଇ ସାରିଥିଲା। ଖବରପାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ବିଭାଗର ଡେପୁଟି ଡାଇରେକ୍ଟର୍‌ ଡାକ୍ତର କେଶବ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ। ହାତୀର ଦେହ ଯାଞ୍ଚ କଲାବେଳକୁ ତା’ ଦେହରେ ପ୍ରାୟ ୪/୫ଟି ଜାଗାରେ ଗୁଳି ବାଜିଥିବା ଦେଖିବାକୁ ମିଳିଥିଲା। ମେଟାଲ୍ ଡିଟେକ୍ଟର ଜରିଆରେ ତଲାସି କରିବା ସମୟରେ ହାତୀର କାନମୂଳରୁ ଏକ ଦେଶୀ ବନ୍ଧୁକ ଗୁଳି ବାହାରିଛି ବୋଲି ଡେପୁଟି ଡାଇରେକ୍ଟର୍‌ ଡାକ୍ତର ପ୍ରଧାନ ପ୍ରକାଶ କରିଛନ୍ତି।

ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି, ବିଟ୍‌ ହାଉସ୍‌ ନିକଟରେ ସାତଦିନ ତଳୁ ହାତୀ ମରିଥିଲେ ସୁଦ୍ଧା ବନବିଭାଗ ଜାଣିପାରିନାହିଁ। ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାରେ ବନ ବିଭାଗ କର୍ମଚାରୀଙ୍କର ସମ୍ପୃକ୍ତି ଥିବା ଆଶଙ୍କା କରାଯାଉଛି।