ରାୟଗଡ଼ା : କାଶୀପୁରରେ ମହାମାରୀ ରୋକିବାକୁ ଜରୁରି ଟାସ୍କଫୋର୍ସ ଗଠନ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିଛନ୍ତି। ଡିଏମ୍ଏଫ୍ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ କାଶୀପୁର ବ୍ଲକ୍ର ପରିମଳ ବ୍ୟବସ୍ଥା ସୁଧୁରି ପାରୁନି। ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ ଗାଁରେ ଥିବା ପୁରୁଣା ଜଳ ଉତ୍ସ ଗୁଡ଼ିକର ମରାମତି ହେଉନି କିମ୍ବା ନୂତନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଉନି ବୋଲି ସାଂସଦ ଅଭିଯୋଗ ଆଣିଛନ୍ତି।
ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି କାଶୀପୁର ଘଟଣାରେ ଚିନ୍ତା ପ୍ରକଟ କରିବା ସହ ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ସରକାରଙ୍କ ଜନକଲ୍ୟାଣ ଯୋଜନା, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପରେ ମଧ୍ୟ କାହିଁକି କାଶୀପୁରରେ ଝାଡ଼ାବାନ୍ତି ଥମୁନି ବୋଲି ମକରନ୍ଦ ପ୍ରଶ୍ନ କରିଛନ୍ତି। ଲଗାଣ ବର୍ଷା, ସୁଷମ ଖାଦ୍ୟର ଅଭାବ, ଦୂଷିତ ପାନୀୟ ଜଳ, ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ କାଶୀପୁର, ଟିକିରି, ଶଙ୍କରଡ଼ା, ମାଇକଞ୍ଚ, ଦୁଡୁକାବାହଲରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଲାଣି। କିନ୍ତୁ ଚିକିତ୍ସା ସୁବିଧା ଯୋଗାଇବାକୁ ଟିକିରି ଡାକ୍ତରଖାନାରେ ଡାକ୍ତର ନାହାନ୍ତି। କୁଚେଇପଦର ସ୍ଥିତ ପିଏଚ୍ସିରେ ବି ସମାନ ଅବସ୍ଥା। ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଖଣ୍ଡିଏ ଆମ୍ବୁଲାନ୍ସ ମଧ୍ୟ ନଥିବା ବିଧାୟକ କହିଛନ୍ତି। ବାରମ୍ବାର ଦାବି ପରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ହୋଇପାରୁନଥିବା ବେଳେ ଆଜି ସିଡିଏମଓଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କୁ ପଠାଯାଇଛି ବୋଲି ବିଧାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ସପ୍ତାହକ ମଧ୍ୟରେ ଝାଡ଼ାବାନ୍ତିରେ ୭ଜଣଙ୍କ ଜୀବନ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Saptagiri_Sankar_Ulaka_.jpg)