ମୋବିଲ୍‌ ଭର୍ତ୍ତି ପରିତ୍ୟକ୍ତ ଗାତରେ ଲାଗିଗଲା ନିଆଁ

ବାଲିଅନ୍ତା: ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ରାଜଧାନୀ ଉପକଣ୍ଠ ପାହାଳ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଆବର୍ଜନାପୂର୍ଣ୍ଣ ପରିତ୍ୟକ୍ତ ଗାତରେ ନିଆଁ ଲାଗିଯିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଗାତରେ ପୂର୍ବରୁ ମୋବିଲ୍‌ ଭର୍ତ୍ତି ହୋଇଥିବାରୁ ନିଆଁ ଭୟଙ୍କର ରୂପ ନେଇଥିଲା ଓ ଘନ କଳାଧୂଆଁ ସମଗ୍ର ଅଞ୍ଚଳକୁ ବ୍ୟାପିଯାଇଥିଲା। ବେଶି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ଜାତୀୟ ରାଜପଥରେ। ନିଆଁକୁ ଦେଖି ଭୟରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ପ୍ରାୟ ଏକ ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିବା ପରେ ଲୋକେ ଆଶ୍ବସ୍ତ ହୋଇଥିଲେ।

ସୂଚନାନୁସାରେ ପାହାଳ ଅଗ୍ରୱାଲ୍‌ ଷ୍ଟକ୍‌ୟାର୍ଡ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଗତ ୧୪ ତାରିଖ ଦିନ ସେଠାରେ ଏକ ମୋବିଲ୍‌ ବୋଝେଇ ଟ୍ୟାଙ୍କର ଅଟକିଥିଲା। ଟ୍ୟାଙ୍କରରେ ଲିକ୍‌ ହୋଇଥିବାରୁ ପ୍ରଚୁର ମୋବିଲ୍‌ ବହିଯାଇଥିଲା। ଫଳରେ ରାସ୍ତାରେ ବିପଜ୍ଜନକ ସ୍ଥିତି ଉପୁଜିଥିଲା। ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଏଣେ ତୁରନ୍ତ ୱେଲ୍‌ଡିଂ କରି ଉକ୍ତ ଲିକ୍‌କୁ ବନ୍ଦ କରିବା ସମ୍ଭବ ନହେବାରୁ ଚାଳକ ଗାଡ଼ିକୁ ଜାତୀୟ ରାଜପଥକୁ କଡ଼କୁ ନେଇ ଏକ ଗାତ ଭିତରକୁ ମୋବିଲ୍‌ ତକ(ପ୍ରାୟ ଏକ ହଜାରରୁ ଲିଟରରୁ ଅଧିକ) ଡ୍ରେନ୍‌ କରାଇଥିଲେ। ସେହିଦିନରୁ ଉକ୍ତ ଗାତରେ ମୋବିଲ୍‌ ପଡ଼ି ରହିଥିଲା। ଆଜି କୌଣସି କାରଣରୁ ସେହି ଗାତରେ ନିଆଁ ଲାଗିଯାଇଥିଲା। ନିକଟସ୍ଥ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଆତଙ୍କିତ ହୋଇପଡ଼ିଥିଲେ। ସେହିଭଳି ପାଖାପାଖି ଗାଁରେ ବି ଭୟର ବାତାବରଣ ଖେଳିଯାଇଥିଲା। ବି‌ଶେଷକରି ରାଜପଥରେ ଗାଡ଼ିମଟର ଚଳାଚଳ ବନ୍ଦ ହୋଇଗଲା ଓ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲେ।

ସମ୍ବନ୍ଧିତ ଖବର