ଅନାଥ ପିଲାଙ୍କୁ ମାଗଣା ପଢ଼ାଉଛନ୍ତି ଇଞ୍ଜିନିଅରିଂ ଛାତ୍ର

ପାଠ୍ୟ ଉପକରଣ ବାଣ୍ଟୁଛନ୍ତି, ରାସନ ଯୋଗାଉଛନ୍ତି, ଏନ୍‌ଆଇଟି ‘ବ୍ଲିସ୍‌ ଆଣ୍ଟ୍‌ ବ୍ଲିସ୍‌ କ୍ଲବ’ଙ୍କ ନିଆରା ସମାଜସେବା

ରାଉରକେଲା: ସ‌ମସ୍ତେ ଇଞ୍ଜିଂନିଅରିଂ ଛାତ୍ର। କିଛି ପୂର୍ବତନ ଛାତ୍ରଏବେ ଜାତୀୟ ଅନ୍ତର୍ଜାତୀୟସ୍ତରର ପ୍ରତିଷ୍ଠିତ କମ୍ପାନିରେ ନିଜ ଡ୍ୟୁଟିରେ ତ କିଏ ବର୍ଷସାରା ପାଠପଢ଼ାରେ ବ୍ୟସ୍ତ ଅଛନ୍ତି; ତଥାପି ସମାଜସେବାରେ ବ୍ରତୀ ରହିଛନ୍ତି। ନିରୀହ ନିସ୍ପେସିତ ଅନାଥ ପିଲାଙ୍କୁ ମାଗଣା ପାଢ଼ ପଢ଼ାଉଛନ୍ତି। ମାସେ କି’ ଦି’ ମାସ ନୁହେଁ, ବରଂ ଗତ ୪ ବର୍ଷ ହେଲା ମଗାଣା ଶିକ୍ଷାଦାନ କରୁଛନ୍ତି ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ଛାତ୍ରଛାତ୍ରୀ। କେବଳ ମାଗଣା ଶିକ୍ଷା ଦେଉନାହାନ୍ତି, ବରଂ ଶିକ୍ଷା ଉପକରଣ, ଆତ୍ମରକ୍ଷା ପ୍ରଶିକ୍ଷଣ, ଋତୁସ୍ରାବ ନେଇ ସଚେତନତା, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଆଦି ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏସବୁ ନିଜ ପକେଟ୍‌ ମନି ଓ ପୁରାତନ ଛାତ୍ରଙ୍କ ଅନୁଦାନରୁ କରୁଛନ୍ତି।

୨୦୧୮ ମସିହା। ଏନ୍‌ଆଇଟିର ୬ ଜଣ ପୂର୍ବତନ ଛାତ୍ର, ସୌମ୍ୟ ରଞ୍ଜନ ମହାନ୍ତି, ସୁମିତ ମହାପାତ୍ର, କପିଳ ଶର୍ମା, ଆଶୁତୋଷ ଚୌଧୁରୀ, ଆସ୍‌ ଭୋରା ଜୈନ ଓ ଆକ୍ରମ ଅନସାରୀ ସମାଜସେବାକୁ ସଦିଚ୍ଛା ପ୍ରକାଶ କରିଥିଲେ। ପ୍ରଥମେ ବାସନ୍ତୀ କଲୋନି ସ୍ଥିତ ଏକ ସ୍କୁଲ ଓ ଏନ୍‌ଆଇଟି ପଛପଟରେ ଥିବା ବୀର୍ସା ମୁଣ୍ଡା ସ୍କୁଲରେ ମାଗଣା ଶିକ୍ଷା ଦାନ କରିଥିଲେ। ସପ୍ତାହକୁ ତିନିଦନ, ଅର୍ଥାତ୍‌ ସୋମବାର, ବୁଧବାର ଓ ଶୁକ୍ରବାର ଅପରାହ୍ନ ୩ଟା ହେଲେ ଏମାନେ ପହଞ୍ଚି ଯାଆନ୍ତି ସ୍କୁଲ ପରିସରରେ।

ପରେ ସନ୍ଧ୍ୟା ୬ଟା ଯାଏଁ, ପ୍ରାୟ ୨/୩ ଘଣ୍ଟା ମାଗଣା ଶିକ୍ଷାଦାନ କରନ୍ତି। ମାତ୍ର ୬ ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ମହତ୍‌କାର୍ଯ୍ୟ ପରବର୍ତ୍ତୀ ସମୟରେ ଅନେକ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଥିଲା। ପରେ ଅନୁଷ୍ଠାନରେ ‘ବ୍ଲିସ୍‌ ଆଣ୍ଡ୍‌ ବ୍ଲିସ୍‌ କ୍ଲବ’ ସ୍ଥାପନ କରାଗଲା। ସଂପ୍ରତି ଏହି କ୍ଲବରେ ପ୍ରାୟ ୭୫ ଜଣ ସଦସ୍ୟ, ସଦସ୍ୟା ଅଛନ୍ତି। ଗମନାଗମନରେ ବ୍ୟାଘାତ ହେବାରୁ ପୂର୍ବ ଦୁଇ ସ୍କୁଲରେ ମାଗଣା ଶିକ୍ଷାଦାନକୁ ବନ୍ଦ କରି ଜଗଦାସ୍ଥ ‘ସର୍ଭିସ୍‌ ଟୁ ହ୍ୟୁମାନିଟି’ ଫାଉଣ୍ଡେସନ ପରିଚାଳିତ ଅନାଥାଶ୍ରମରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ଏଠାରେ ୪୦ ଜଣ ଅନ୍ତେବାସୀ, ଅନ୍ତେବାସିନୀ ଅଛନ୍ତି। ସଦସ୍ୟମାନେ ୮/୧୦ ଜଣଙ୍କୁ ନେଇ ଗୋଟିଏ ଦଳରେ ବିଭକ୍ତ କରି ଶିକ୍ଷାଦାନ ଜାରି ରଖିଛନ୍ତି। ଏମାନେ ମୁଖ୍ୟତଃ ଗଣିତ, ଇଂରାଜୀ, ବିଜ୍ଞାନ, ସାହିତ୍ୟ ଆଦି ବିଷୟରେ ଶିକ୍ଷା ଦେଉଛନ୍ତି।

କୋଭିଡ୍‌ ମହାମାରୀର ଆବିର୍ଭାବ ପର୍ଯ୍ୟନ୍ତ ସବୁକିଛି ଠିକ୍‌ ଚାଲିଥିଲା। ତେବେ କୋଭିଡ୍‌ ଯୋଗୁଁ ଅଫ୍‌ଲାଇନ୍‌ ଶିକ୍ଷାଦାନକୁ ସରକାର ବନ୍ଦ କରିଦେବାରୁ ଏଠାରେ ମଧ୍ୟ ଶିକ୍ଷାଦାନ ସାମୟିକକଭାବେ ବନ୍ଦ ହୋଇଯାଇଥିଲା। ତେବେ ମାତ୍ର ହାତଗଣତି ୮/୧୦ ଦିନରେ ଏମାନେ ଅନଲାଇନ୍‌ ଶିକ୍ଷା ଦେବା ଆରମ୍ଭ କରିଦେଇଥିଲେ। ଉକ୍ତ ଅନାଥାଶ୍ରମରେ ଅନଲାଇନ୍‌ ଶିକ୍ଷା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିଲା। ଏଣୁ ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି, ପୂର୍ବତନ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ଅନାଥାଶ୍ରମକୁ ଏକ ସ୍ମାର୍ଟ ଟିଭି, ମୋବାଇଲ, ଇ‌ଣ୍ଟରନେଟ୍‌ ସଂଯୋଗ ଆଦି ସେବା ପ୍ରଦାନ କରାଯାଇଥିଲା।

ଏତଦ୍‌ବ୍ୟତୀତ ଅନ୍ତେବାସୀଙ୍କ ଖାଦ୍ୟପେୟ ପାଇଁ ମାସିକ ୪ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। କେବଳ ଏତିକିରେ ସୀମିତ ରହିନି ଇଞ୍ଜିନିଅରିଂ ଛାତ୍ରଙ୍କ ସମାଜସେବା, ସେମାନେ ଛାତ୍ରୀମାନଙ୍କୁ ଋତୁସ୍ରାବ ନେଇ ସଚେତନ କରାଇବା ସହ ସାନିଟାରୀ ନାପକିନ୍‌ ବଣ୍ଟନ, ପ୍ରତିଷ୍ଠିତ ଟ୍ରେନର୍‌ଙ୍କ ମାଧ୍ୟମରେ ଆତ୍ମରକ୍ଷା ପ୍ରଶିକ୍ଷଣ, ବ୍ଲଡ୍‌ କ୍ୟାନ୍ସର ନେଇ ସଚେତନତା କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟ ଶିବିର ଆୟୋଜନ କରୁଛନ୍ତି। ଏନେଇ ବ୍ଲିସ୍‌ ଆଣ୍ଡ୍‌ ବ୍ଲିସ୍‌ କ୍ଳବର ସଭାପତି କୋନି ବିଦ୍ୟାସାଗର କୁହନ୍ତି, ମାତ୍ର ୬ ଜଣ ପୂର୍ବତନ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କ୍ଲବ ଏବେ ସର୍ବଜନାଦୃତ ହୋଇପାରିଛି। ଛାତ୍ରଛାତ୍ରୀ ନିଜର ବହୁମୂଲ୍ୟ ସମୟ କାଢ଼ି ମାଗଣା ଶିକ୍ଷା ଦେବାକୁ ସ୍ବେଚ୍ଛାକୃତଭାବେ ଆଗେଇ ଆସୁଛନ୍ତି। କିଛି ପୂର୍ବତନ ଛାତ୍ର, କ୍ଲବର ସଦସ୍ୟମାନେ ନିଜ ଖର୍ଚ୍ଚ କାଟ୍‌ କରି ଅନାଥ ପିଲାଙ୍କ ସେବା କରୁଛନ୍ତି। ଏହି ଧାରା ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏସବୁ କାର୍ଯ୍ୟ ପାଇଁ ଅନୁଷ୍ଠାନର ଷ୍ଟୁଡେଣ୍ଟ୍‌ ଆକ୍ଟିଭିଟି ସେଣ୍ଟର୍‌(ଏସ୍‌ଏସି), ଫ୍ୟାକ୍‌ଲଟି ଆଡଭାଇଜର ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ନିରନ୍ତର ସମର୍ଥନ ଜାରି ରହିଥିବା କହିଛନ୍ତି।

ସମ୍ବନ୍ଧିତ ଖବର