କାଶୀପୁରରେ ମହାମାରୀ! ରାତିକରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ

ସପ୍ତାହରେ ଗଲାଣି ୫ ଜୀବନ, ୨୦ରୁ ଊର୍ଦ୍ଧ୍ବ ହସ୍ପିଟାଲରେ ଭର୍ତ୍ତି

ରାୟଗଡ଼ା/କାଶୀପୁର: କାଶୀପୁରରେ ମହାମାରୀ! କିଛିଦିନ ଧରି ଝାଡ଼ାବାନ୍ତି ଓ ଜ୍ବରକୁ ହାଲୁକା ଭାବେ ଗ୍ରହଣ କରୁଥିବା ଏଠାକାର ଲୋକମାନେ ଏବେ ବହୁସଂଖ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ରାତିରେ ବି ତିନିଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ପଞ୍ଚାୟତ ଝୋଡ଼ିଆ ସାହିରେ ୩ ଜଣଙ୍କ ମୃତ୍ୟୁ ଘଟଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରି ଦେଇଛି।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଝୋଡ଼ିଆ ସାହିର ସରୋଜିନୀ ଝୋଡ଼ିଆ (୨୫), ରଜନୀ ଝୋଡ଼ିଆ (୧୨) ଏବଂ ଅଞ୍ଜନ ଝୋଡ଼ିଆ (୨୨)ଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ସେହିପରି ବୁଧବାର ରାତିରେ ଟିକିରି କରାକୁପଲି ସାହିର ଧୋବା ମାଝି (୨୫) ଏବଂ ଏହା ପୂର୍ବରୁ ଦୁଡୁକାବାହାଲ ଗ୍ରାମର ସବିତା ନାଏକଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିଲା। ସପ୍ତାହକରେ ୫ ଜଣଙ୍କ ମୃତ୍ୟୁ ସହ ଗାଁଗାଁରେ ଝାଡ଼ାବାନ୍ତି ବ୍ୟାପି ମହାମାରୀ ପରିସ୍ଥିତି ସୃଷ୍ଟି ହେବାପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଚେତା ପଶିଛି। ଯୁଦ୍ଧକାଳୀନ ଭିତ୍ତିରେ ଆଜି ସ୍ବାସ୍ଥ୍ୟ ବିଭାଗର ଦୁଇଟି ଡାକ୍ତରୀ ଦଳ, ଉତ୍କଳ ଆଲୁମିନାର ଗୋଟିଏ ଡାକ୍ତରୀ ଟିମ୍ ଟିକିରି ଝୋଡ଼ିଆ ସାହି ଓ ଦୁଡୁକାବାହାଲରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ଘରେଘରେ ପଡ଼ି ରହିଥିବା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହିତ ୨୦ ଗୁରୁତରଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ପ୍ରତିବର୍ଷ କାଶୀପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା କାରଣରୁ ଅକାଳରେ ବହୁ ଲୋକଙ୍କ ଜୀବନ ଯାଉଛି। ୨୦୦୭ରେ କାଶୀପୁରରେ ବ୍ୟାପିଥିବା ମହାମାରୀରେ ସରକାରୀ ଭାବେ ୭୦ ଏବଂ ୨୦୧୦ରେ ୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର