ସହର ପରିଧିରେ ସାମିଲ ହୋଇ ପାରୁନି ବର୍ଦ୍ଧିତ ଅଂଚଳ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ ସହର ଜୟପୁରକୁ  ସହର (ୟୁନିୟନ ବୋର୍ଡ)ଭାବେ ୭୫ବର୍ଷ ତଳେ ଏବଂ ପୌରପାଳିକା ଭାବେ ୭୦ବର୍ଷ ତଳେ ମାନ୍ୟତା ମିଳିଥିଲା।   ଏହି ୭୫ବର୍ଷ ମଧ୍ୟରେ ସହରର ଜନସଂଖ୍ୟା ବୃଦ୍ଧି ପାଇ ଦେଢ଼ଲକ୍ଷରେ ପହଚିଂ ସାରିଲାଣି। ସେଭଳି ଘର ସଂଖ୍ୟା ୫କିଲୋମିଟର ପରିଧି ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇଗଲାଣି। ଏହା ବାଦେ ବି ସେଭଳି ଏହି ସହର ପୌରପାଳିକାରେ ହିଁ ରହିଛି ହୋଇ ପାରିନି ନିଗମ।   ସହରକୁ ଲାଗି ରହିଥିବା ଜମି ଗୁଡିକ ଧିରେ ଧିରେ ନୂଆ ନୂଆ କଲୋନୀ ହେବା ସହ ସହରର ଚାରି ପାର୍ଶ୍ବରେ ଥିବା ପଂଚାୟତ ପର୍ଯ୍ୟନ୍ତ ବଢ଼ିଯାଇଛି।

ସହରରେ ୨୮ଟି ୱାର୍ଡ ରହିଛି। ହୋଟେଲ ହାଲୋଜୟପୁର ଠାରୁ ଏଲଆଇସି କାର୍ଯ୍ୟାଳୟ, ମୁଖ୍ୟଟ୍ରାଫିକ ଛକରୁ ସତୀନଦୀକୂଳ ପର୍ଯ୍ୟନ୍ତ ବ୍ୟାପ୍ତ। ଏହାର ଚାରିପାର୍ଶ୍ବରେ ଥିବା ବାରିଣୀପୁଟ, ଟାଙ୍କୁଆ, ବାଲିଆ,ଉମୁରୀ, ଏକମ୍ବା ପଂଚାୟତ ପର୍ଯ୍ୟନ୍ତ ଲୋକେ ଘର ନିର୍ମାଣ କରି ରହିବା ଆରମ୍ଭ କରିଦେଲେଣି। ତେବେ ଏସବୁ ପଂଚାୟତରେ ଥିବା ଗାଁ ଗୁଡିକ ସହରରେ ସାମିଲ ହୋଇ ପାରିନଥିବାରୁ ପୌରାଂଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଓ ସହରୀଯୋଜନା ଗୁଡିକ ଠାରୁ  ସାତକୋଷ ଦୁରରେ ରହିଯାଇଛି। ଏୟାରପୋର୍ଟ ଟି ପୌରାଂଚଳ ଅଂଚଳରେ ରହିଥିବା ଦର୍ଶାଯିବାରୁ ସ୍ଥାପନ ହୋଇଛି। ତେବେ ଏହା ବ୍ଲକ ମଧ୍ୟରେ ରହିଛି। ସେଭଳି ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଏନଏଚର ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆରଏମସି ବି ପଂଚାୟତ ଅଂଚଳରେ ରହିଯାଇଛି।

୨୦୧୭-୧୮ମସିହାରେ ପୌରପାଳିକାରେ ପାରିଷଦ ମାନେ ସହରର ବର୍ଦ୍ଧିତ ଅଂଚଳ ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପୌରପାଳିକା ପରିଧି ମଧ୍ୟକୁ ଆଣିବା ପାଇଁ ରେଜୁଲେସନ୍ କରି ଏହି ପ୍ରସ୍ତ‌ାବ ରାଜ୍ୟସରକାରଙ୍କ ଗୃହ ଓ ସହରାଂଚଳ ଉନ୍ନୟନ ବିଭାଗ ନିକଟକୁ ପଠାଇଥିଲେ। ଏହି ରେଜୁଲେସନରେ ରେଲୱେଷ୍ଟେସନ୍ ଛକ, ବାରିଣୀପୁଟ, ମୁଣ୍ଡିଗୁଡା, ସୁକିଆଗୁଡା, ଏକଟାଗୁଡା, ପାଂଜିଂଆଗୁଡା , ଟାଙ୍କୁଆ ପଂଚାୟତ ଅଂଚଳକୁ  ପୌରପାଳିକାରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଜନସଂଖ୍ୟା ଦେଢ଼ ଲକ୍ଷରେ ପହଚୁଂଥିବାରୁ ସୀମା ବୃଦ୍ଧି କରି ପୌରପାଳିକାରୁ କରପରେସନ୍ ଭାବେ ଘୋଷଣା କରିବାକୁ ଅନୁରୋଧ କରାଯାଇଥିଲା। ସେହି ପ୍ରସ୍ତାବ  ସଂପ୍ରତି ଶୀତଳଭଣ୍ଡାରକୁ ଚାଳି ଯାଇଛି।

ଜନସଂଖ୍ୟା ଦେଢ଼ ଲକ୍ଷ ଓ ସହରକୁ ୭୫ବର୍ଷ ହେବା ପରେ ବି ହୋଇ ପାରିନି ନିଗମ

୬ବର୍ଷ ତଳେ ଯାଇଥିବା ସୀମା ବୃଦ୍ଧି ପ୍ରସ୍ତାବ ଶୀତଳଭଣ୍ଡାରରେ

୬ବର୍ଷ ତଳେ ଏଭଳି ପ୍ରସ୍ତାବ ପାରିଷଦ ବୈଠକରେ ପାରିତ କରି ରାଜ୍ୟସରକାରଙ୍କ ନିକଟକୁ ପଠାଯାଇଥିଲା। ଏହା ଲଟକି କି ରହିଯାଇଛି, ନୂଆ ଅଧ୍ୟକ୍ଷଙ୍କ ନେତୃତ୍ବରେ ପାରିଷଦ ମାନେ ପୁଣିଥରେ ଏହି ପ୍ରସ୍ତାବକୁ ପୁନଃପଠାନ୍ତୁ ବୋଲି କହିଛନ୍ତି ପୂର୍ବତନ ଉପାଧ୍ୟକ୍ଷ ମୁନ୍ନା ରଥ। ସହର ସୀମାରେ ଥିବା ପଂଚାୟତବାସୀ ସହରରେ ଉପଲବ୍ଧ ହେଉଥିବା ବିଭ‌ିନ୍ନ ସେବା ଓ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି।  ପ୍ରଥମେ ପଂଚାୟତ ଅଂଚଳର ଗାଁ ଗୁଡିକୁ ସାମିଲ କରି ଏହାକୁ ନିଗମ ଭାବେ ଘୋଷଣା କଲେ ଅଧିକା ଯୋଜନା ଓ ଅନୁଦାନ ଆସିବା ସହ ସହରର ରୁପରେଖ ସଂପୁର୍ଣ୍ଣ ଭାବେ ବଦଳି ଯିବା ସହ ଏହି ସୀମାନ୍ତ ଗାଁ ଗୁଡିକର ବି ସର୍ବାଙ୍ଗୀନ ବିକାଶ ହେବ ବୋଲି କହିଛନ୍ତି  ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଓ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ରଥ। ୨୦ରୁ ୩୦ବର୍ଷର ସହରର ସାମଗ୍ରୀକ ବିକାଶ, ସ୍ବେରେଜ୍ ବ୍ୟବସ୍ଥା ଆଦିକୁ ଦୃଷ୍ଟିରେ ରଖି ସୀମାନ୍ତ ଗାଁ ଗୁଡିକୁ ପୌରପାଳିକାରେ ମିଶାଇ ଦେଇ ନିଗମ ଭାବେ ଘୋଷଣା କରିବା  ଆବଶ୍ୟକ ବୋଲି କହିଛନ୍ତି ଆଇନଜୀବୀ ଓ ବୁଦ୍ଧିଜୀବୀ।

 

ସମ୍ବନ୍ଧିତ ଖବର