ଭୁବନେଶ୍ବର: ରାଜ୍ୟ ଖେଳ ଦୁନିଆର କେନ୍ଦ୍ରବିନ୍ଦୁ ପାଲଟିଥିବା କଳିଙ୍ଗ ଷ୍ଟାଡିୟମ୍‌ ଶୁକ୍ରବାର ନୂଆ ଅଧ୍ୟାୟ ‌ଯୋଡ଼ିଛି। ଏକ ଅପୂର୍ବ ସଂଯୋଗ ଦେଖିବାକୁ ମିଳିଛି ଏହି ଶ୍ରେଷ୍ଠ ପଡ଼ିଆରେ। ବିଶ୍ବର ଦୁଇ ଅନ୍ୟତମ ଅଗ୍ରଣୀ ଖେଳ ହକି ଓ ଫୁଟ୍‌ବଲ୍‌ର ଦୁଇଟି ପ୍ରମୁଖ ମ୍ୟାଚ୍‌ ଗୋଟିଏ ଦିନ ଓ ‌ଏକା ସମୟରେ ଖେଳାଯାଇଛି। ଷ୍ଟାଡିୟମ୍‌ର ଦୁଇଟି ଅଲଗା ପଡ଼ିଆରେ ଭାରତୀୟ ମହିଳା ହକି ଦଳ ଏବଂ ଓଡ଼ିଶା ଏଫ୍‌ସି ଫୁଟ୍‌ବଲ୍‌ ଦଳ ନିଜର ଖେଳ ଦେଖାଇଛନ୍ତି। ଯାହା ଭବିଷ୍ୟତରେ କଳିଙ୍ଗରେ ଏକ ବିବିଧ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କ୍ଷମତାର ଝଲକ ଦେଖାଇଛି। ହକି କମ୍ପ୍ଲେକ୍ସରେ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଭାରତ ଓ ଆମେରିକା ମହିଳା ମ୍ୟାଚ୍‌ ସଂଧ୍ୟା ୭.୩୦ରେ ଆରମ୍ଭ ହୋଇଥିଲା ବେଳେ ସମାନ ସମୟରେ କଳିଙ୍ଗ ମୁଖ୍ୟ ପଡ଼ିଆରେ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ମୁହାଁମୁହିଁ ହୋଇଥିଲେ ଓଡ଼ିଶା ଏଫ୍‌ସି ଓ ଏଫ୍‌ସି ଗୋଆ। ଉଭୟ ଖେଳର ସମର୍ଥକ ଏହାର ଭରପୂର ମଜା ନେଇଥିଲେ। ପୂର୍ବରୁ କଳିଙ୍ଗରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ଦୁଇଟି ପ୍ରତିଯୋଗିତା ସମାନ୍ତରାଳ ଭାବେ ହୋଇଥିଲେ ମଧ୍ୟ ଭିନ୍ନ ସମୟରେ ଖେଳାଯାଇଥିଲା। ଗତ ବର୍ଷ ଜୁନ୍‌ରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଏବଂ ଜାତୀୟ ଅନ୍ତରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଗୋଟିଏ ଦିନରେ ଆୟୋଜିତ ହୋଇଥିଲା। ଦୌଡ଼କୁଦ ପୂର୍ବାହ୍ନରେ ଏବଂ ଫୁଟ୍‌ବଲ୍‌ ଅପରାହ୍ଣରେ ଖେଳାଯାଇଥିଲା। କିନ୍ତୁ ଗୋଟିଏ ସମୟରେ ହୋଇ ନଥିଲା।