ସମ୍ବଲପୁର: ଧନକଉଡ଼ା କନ୍ୟାଶ୍ରମରେ ୩ ବର୍ଷ ବୟସରୁ ରହି ଅାସୁଥିବା ପିତାମାତା ଛେଉଣ୍ଡ ଅନ୍ତେବାସିନୀ କସ୍ତୁରୀ ମୁଣ୍ଡା (୨୧)ଙ୍କର ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି। କସ୍ତୁରୀ ଆଶ୍ରମରେ ରହି ପାଠ ପଢ଼ିବା ସହ ଆଇଟିଆଇ କରିଥିଲେ। ମଙ୍ଗଳବାର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସମ୍ମିଳିତ ପ୍ରଚେଷ୍ଟାରେ ଚିପିଲିମା ପାଖ ବନ୍ଧପାଲିର ଶିବା ବିଭାର (୨୨)ଙ୍କ ସହ ଦୁର୍ଗାପାଲି ଗୁଡ଼େଶ୍ବର ମନ୍ଦିରରେ ତାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଶିବା କିଛି ଦିନ ତଳେ ନିଜ ପିତାମାତାଙ୍କ ସହ ଆଶ୍ରମକୁ ଆସି କସ୍ତୁରୀଙ୍କୁ ଦେଖିଥିଲେ।

Advertisment

ଉଭୟ ପରସ୍ପରଙ୍କୁ ପସନ୍ଦ କରିବା ପରେ ସଂପୂର୍ଣ୍ଣ ବୈଦିକ ରୀତିରେ ଏହି ବିବାହ ସଂପନ୍ନ ହୋଇଥିଲା। କ୍ଷେତରାଜପୁରର ଶମ୍ଭୁ ବରେଲିଆ ଏବଂ ସରିତା ବରେଲିଆ ପିତାମାତାଭାବେ କସ୍ତୁରୀଙ୍କ କନ୍ୟାଦାନ କରିଥିଲେ। କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢ଼ୀ, ସଦସ୍ୟ ଶିବ ନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ, ଶିଶିର ବହିଦାର, ସଂଜୟ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।