କନେଷ୍ଟବଳରୁ ଏଏସ୍ଆଇ ପଦୋନ୍ନତି ପ୍ରସଂଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ୧୫୦୦ କନେଷ୍ଟବଳ ହେବେ ଏଏସ୍ଆଇ
୨୦୨୦ ଡିସେମ୍ବରରେ ପ୍ରକାଶିତ ମେଧା ତାଲିକା କାଏମ ରଖିବାକୁ ନିର୍ଦ୍ଦେଶ
କଟକ : ପୁଲିସ ଏଏସ୍ଆଇ ପଦବିକୁ ପଦୋନ୍ନତି ପାଇଁ ୨୦୨୦ରେ ଅନୁଷ୍ଠିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କନେଷ୍ଟବଳଙ୍କ ପାଇଁ ଖୁସି ଖବର। ୨୦୨୦, ଡିସେମ୍ବର ୬ରେ ଅନୁଷ୍ଠିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ ସ୍ଥାନ ପାଇଥିବା କନେଷ୍ଟବଳଙ୍କୁ ଏଏସ୍ଆଇ ପଦବିକୁ ପଦୋନ୍ନତି ସପକ୍ଷରେ ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।
ଲିଖିତ ପରୀକ୍ଷା ପରେ ପ୍ରକାଶିତ ଫଳ ଆଧାରରେ ୨୦୨୦, ଡିସେମ୍ବର ୧୪ରେ ପ୍ରଥମେ ମେଧା ତାଲିକା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ୨୦୨୦, ଡିସେମ୍ବର ୨୨ରେ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଥିଲା। ତାଲିକାରେ ଅସଂରକ୍ଷିତ ବର୍ଗରେ ୨ ହଜାର ୪୯୧ ଜଣ ଓ ସଂରକ୍ଷିତ ବର୍ଗରେ ୨୯୧ ଜଣ କନେଷ୍ଟବଳଙ୍କ ନାଁ ସ୍ଥାନ ପାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦୨୦, ଡିସେମ୍ବର ୨୬ରେ ପ୍ରାୟ ୯୨୫ ଜଣ କନେଷ୍ଟବଳଙ୍କୁ ଏଏସଆଇ ପଦୋନ୍ନତି ସଂପର୍କିତ ତାଲିମ ପାଇଁ ପଠାଯାଇଥିଲା। କିନ୍ତୁ ଏହି ମେଧା ତାଲିକା ୨୦୨୦, ଡିସେମ୍ବର ୩୧ ପର୍ଯ୍ୟନ୍ତ ବୈଧ ବୋଲି ପରବର୍ତ୍ତୀ ସମୟରେ ଘୋଷଣା କରାଯାଇଥିଲା।

ଓଡ଼ିଶା ପୁଲିସ ସର୍ଭିସ୍ (ମେଥଡ୍ ଅଫ୍ ରିକ୍ରୁଟ୍ମେଣ୍ଟ୍ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ୍ ଅଫ୍ ଏଏସ୍ଆଇ) ଅର୍ଡର, ୨୦୨୦ ଅନୁସାରେ ଏହି ମେଧା ତାଲିକା ୨୦୨୦, ଡିସେମ୍ବର ୩୧ ପର୍ଯ୍ୟନ୍ତ ବୈଧ ରହିବ ବୋଲି କୁହାଯାଇଥିଲା। ଫଳରେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ ସ୍ଥାନ ପାଇଥିଲେ ମଧ୍ୟ ଦେଢ଼ ହଜାରରୁ ଅଧିକ କନଷ୍ଟେବଳ ଏଏସଆଇ ପଦବିକୁ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥିଲେ। ଏହି ପ୍ରସଂଗ ନେଇ ଏକାଧିକ ରିଟ୍ ପିଟିସନ୍ ମେଧା ତାଲିକାରେ ସ୍ଥାନ ପାଇଥିବା କନଷ୍ଟେବଳମାନେ ଦାୟର କରିଥିଲେ। ଏଥିରେ ଦର୍ଶାଯାଇଥିଲା ଯେ ବହୁ ବର୍ଷ ଧରି ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା କନଷ୍ଟେବଳଙ୍କୁ ସବୁ ଯୋଗ୍ୟତା ସତ୍ତ୍ବେ ପଦୋନ୍ନତି ପ୍ରଦାନ କରାଯାଉ ନଥିଲା। ପୁଲିସ ମୁଖ୍ୟାଳୟ ପକ୍ଷରୁ ୨୦୨୦, ଅକ୍ଟୋବର ୧୫ ଓ ୨୩ରେ ରେଡିଓ ମେସେଜ ଓ ଚିଠି ମାଧ୍ୟମରେ ସବୁ ପୁଲିସ ଜିଲ୍ଲାରେ ଖାଲି ପଡ଼ିଥିବା ଏଏସ୍ଆଇ ପଦବି ସଂକ୍ରାନ୍ତରେ ତଥ୍ୟ ତଲବ କରାଯାଇଥିଲା। ଯେଉଁ କନଷ୍ଟେବଳମାନେ ଏ ସଂପର୍କିତ ଲିଖିତ ପରୀକ୍ଷା ଦେବେ ସେମାନଙ୍କ ନାଁ ପଠାଇବାକୁ ସମସ୍ତ ପୁଲିସ ସବ୍ ଅର୍ଡିନେଟ୍ କାର୍ଯ୍ୟାଳୟ ଗୁଡିକୁ ୨୦୨୦, ଅକ୍ଟୋବର ୨୭, ନଭେମ୍ବର ୫, ୬ ଓ ୨୫ ତାରିଖରେ ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଥିଲା। ସେତେବେଳେ ଲିଖିତ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇ ନଥିଲା। ମୁଖ୍ୟାଳୟର ୨୦୨୦, ନଭେମ୍ବର ୨୫ ଓ ୨୮ ଚିଠିରେ ୨୦୨୦, ଡିସେମ୍ବର ୬ରେ ପରୀକ୍ଷା ହେବା ନେଇ ସୂଚନା ଦିଆଯାଇଥିଲା। ଓଡ଼ିଶା ପୁଲିସ ମାନୁଆଲ ରୁଲ୍ସ (ପିଏମ୍ଆର୍)ର ରୁଲ ୬୬୦ ଅନୁସାରେ ୨୦୨୦, ଡିସେମ୍ବର ୬ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଡିସେମ୍ବର ୧୪ରେ ଫଳ ପ୍ରକାଶ ପାଇଥିଲା। ୨୦୨୦, ଡିସେମ୍ବର ୧୪ରେ ପ୍ରଥମେ ପ୍ରକାଶିତ ତାଲିକାରେ ସଂଶୋଧନ କରାଯାଇ ଡିସେମ୍ବର ୨୨ରେ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇଥିଲା। କିନ୍ତୁ ୨୦୨୦ ଅର୍ଡର ଅନୁସାରେ ଏହି ମେଧା ତାଲିକା ୨୦୨୦, ଡିସେମ୍ବର ୩୧ ପର୍ଯ୍ୟନ୍ତ ବୈଧ ବୋଲି ପରବର୍ତ୍ତୀ ସମୟରେ ଘୋଷଣା କରାଯାଇଥିଲା। ପିଏମ୍ଆର୍ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହୋଇ ମେଧା ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ସ୍ଥାନ ପାଇଥିବା କନଷ୍ଟେବଳଙ୍କୁ ଏଏସ୍ଆଇ ପଦବିକୁ ପଦୋନ୍ନତି ପାଇଁ ତାଲିମ ପାଇଁ ପଠାଯିବା କଥା ବୋଲି ଆବେଦନକାରୀ ଦର୍ଶାଇଥିଲେ।
ହାଇକୋର୍ଟ ମାମଲାର ଶୁଣାଣି କରି ୨୦୨୦, ଡିସେମ୍ବର ୧୪ ଓ ୨୨ରେ ପ୍ରକାଶିତ ମେଧା ତାଲିକା ଏକ ବର୍ଷ ବା ସଂପୂର୍ଣ୍ଣ ଭାବେ ଶେଷ ହେବା ପର୍ଯ୍ୟନ୍ତ ବୈଧ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧, ଜୁଲାଇ ୨୭ରେ କାର୍ଯ୍ୟକାରୀ ହୋଇଥିବା ୨୦୨୦ ଅର୍ଡର ଅନୁସାରେ ନୁହେଁ, ପିଏମଆର୍ ରୁଲ୍ସ ୬୬୦ ଅନୁସାରେ ଆବେଦନକାରୀଙ୍କୁ ଏଏସ୍ଆଇ ତାଲିମ ପାଇଁ ଅନୁମତି ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର୍. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗଣେଶ କୁମାର ରାଉଳ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋରଂଜନ ମହାନ୍ତି ଓ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଥିଲେ।