ଭୁବନେଶ୍ବର: ହରେକୃଷ୍ଣ ମହତାବ ବନାମ ବିଜୁ ପଟ୍ଟନାୟକ। ବିଜେଡି ସରକାର ସମୟରେ ବିଜୁ ପଟ୍ଟନାୟକଙ୍କ ମହାନତା ଓ ଓଡ଼ିଶା ପ୍ରତି ଅବଦାନକୁ ବ୍ୟାପକ ପ୍ରଚାର କରାଯାଇଥିଲା। ଏବେ ବିଜେପି ସରକାର ସମୟରେ ମହତାବଙ୍କ ଠାରୁ ଆରମ୍ଭ ହୋଇଛି ପୂଜ୍ୟପୂଜାର ଧାରା। ମହତାବଙ୍କ ବ୍ୟକ୍ତିତ୍ବ ଓ ନୂଆ ଓଡ଼ିଶା ଗଠନରେ ତାଙ୍କର ବଳିଷ୍ଠ ଅବଦାନକୁ ବ୍ୟାପକ ପ୍ରଚାର କରାଯିବ। ଏମିତି ପରିବେଶ ସୃଷ୍ଟି କରାଯିବ, ଯେମିତି ବିଜୁମୟ ଓଡ଼ିଶାରୁ ଲୋକ ମୁକୁଳିବେ। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଜନତା ଦଳ ଗଠନ ହୋଇଥିଲା। ବିଜେଡି ଶାସନକୁ ଆସିଲା ପରେ ବିଜୁ ପଟ୍ଟନାୟକଙ୍କ ସ୍ମୃତି ରକ୍ଷା ପାଇଁ ସର୍ବାଧିକ ତତ୍ପରତା ପ୍ରକାଶ ପାଇଥିଲା। ବିଜେଡି ସରକାର ସମୟରେ ଅନ୍ୟ ମହାପୁରୁଷଙ୍କ ନାମରେ ଯେ କିଛି ହୋଇ ନଥିଲା, ତାହା ନୁହେଁ। କିନ୍ତୁ ଏ ଦିଗରେ ସର୍ବାଗ୍ରେ ଥିଲେ ବିଜୁ ପଟ୍ଟନାୟକ। ଗତ ୨୪ ବର୍ଷରେ ସର୍ବାଧିକ ଯୋଜନା ବିଜୁଙ୍କ ନାମରେ ହୋଇଥିଲା। ଏମିତି କେଉଁ ଜିଲ୍ଲା ନାହିଁ, ଯେଉଁଠି ବିଜୁଙ୍କ ନାମରେ କିଛି ପ୍ରକଳ୍ପ ନାହିଁ। ଏପରିକି ବିଭିନ୍ନ ପାର୍କ, କଲ୍ୟାଣ ମଣ୍ଡପ ବିଜୁଙ୍କ ନାମରେ କରିବାକୁ ବିଧାୟକଙ୍କ ଭିତରେ ଅଘୋଷିତ ପ୍ରତିଯୋଗିତା ଚାଲିଥିଲା। ବିଜେଡି ସରକାର ସମୟରେ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପ୍ରତିମୂର୍ତ୍ତି ଭିତରେ ସର୍ବାଧିକ ଥିଲା ବିଜୁ ପଟ୍ଟନାୟକଙ୍କର। ଏହା ବାଦ୍ ବହୁ ଲୋକ ବ୍ୟକ୍ତିଗତ ଉଦ୍ୟମରେ ବି ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ।
ମହତାବଙ୍କ ଜୟନ୍ତୀ ପ୍ରଭାବୀ ଢଙ୍ଗରେ ଆୟୋଜନ କରିବେ କେନ୍ଦ୍ର ସରକାର
ବିଜୁମୟ ଓଡ଼ିଶାରୁ ନଜର ହଟିବ
ମହତାବଙ୍କ ନାମରେ ନାମିତ ହେବ ଏକାଧିକ ଯୋଜନା, ପ୍ରକଳ୍ପ
ବିଜୁ ପଟ୍ଟନାୟକଙ୍କ ନାମ ଏତେ ମାତ୍ରାରେ ଛାଇ ଯାଇଛି ଯେ ନୂଆ ସରକାର ସିଧାସଳଖ ସେଥିରେ ହାତ ମାରିବାକୁ ଚାହୁନାହାନ୍ତି। କିନ୍ତୁ ବିଜୁଙ୍କ ପ୍ରଭାବରୁ ଲୋକଙ୍କ ନଜର ହଟାଇବାକୁ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀକୁ ମାଧ୍ୟମ କରି ମହତାବଙ୍କ ବ୍ୟକ୍ତିତ୍ବ ଓ ରାଜ୍ୟ ପ୍ରତି ତାଙ୍କ ଅବଦାନକୁ ବ୍ୟାପକ ମାତ୍ରାରେ ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏହି ବଡ଼ ଯୋଜନା କାର୍ଯ୍ୟକାରୀ କରାଯାଉଛି। ପ୍ରଥମେ ରାଜ୍ୟ ସରକାର ମହତାବଙ୍କ ଜୟନ୍ତୀ ବର୍ଷ ବ୍ୟାପୀ ପାଳନ କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ଏହାକୁ ଜାତୀୟ ସ୍ତରରେ ପାଳନ କରିବା ପାଇଁ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ବିଜେପି ନେତୃମଣ୍ଡଳୀ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ତତ୍କ୍ଷଣାତ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିଲା। ନିଜେ ଅମିତ ଶାହ ଏହି ଜୟନ୍ତୀ ପାଳନ କମିଟିର ଅଧ୍ୟକ୍ଷ ରହିଛନ୍ତି। ଶାହ ଅଧ୍ୟକ୍ଷ ରହିବା ଦ୍ବାରା କମିଟିର ଗୁରୁତ୍ବ ବଢ଼ିଯାଇଛି ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇ ଆୟୋଜନ କରାଯାଉଛି। କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମର ବ୍ଲୁ ପ୍ରିଣ୍ଟ୍ ଧର୍ମେନ୍ଦ୍ରଙ୍କ ଦ୍ବାରା ପ୍ରସ୍ତୁତ କରାଯାଉଛି। ଏହା ସହ ବିଭିନ୍ନ ବର୍ଗର ଲୋକଙ୍କୁ ଏହି କମିଟିରେ ସଦସ୍ୟ କରାଯାଇଛି। ଏହି ସଦସ୍ୟମାନଙ୍କ ମତାମତକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ର ସରକାର କାର୍ଯ୍ୟକ୍ରମ ହାତକୁ ନେବେ। ଆଜି ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ବେଶ୍ ସଫଳତାର ସହ କରାଯାଇଛି। ନିଜେ ରାଷ୍ଟ୍ରପତି ଏହାକୁ ଉଦ୍ଘାଟନ କରି ଜୟନ୍ତୀ ପାଳନର ଗୁରୁତ୍ବ ବଢ଼ାଇଛନ୍ତି। ମହତାବଙ୍କ ସ୍ମୃତି ରକ୍ଷା ପାଇଁ କେନ୍ଦ୍ର ସରକାର ହାତଖୋଲା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି।
ଏପଟେ ରାଜ୍ୟ ସରକାରଙ୍କୁ ମଧ୍ୟ ମହତାବଙ୍କ କାର୍ଯ୍ୟକ୍ରମରେ କୌଣସି ପ୍ରକାର ଉଣା ନକରିବାକୁ କୁହାଯାଇଛି। ଆଜି ଠାରୁ ଭୁବନେଶ୍ବରରେ ତିନି ଦିନିଆ ଜନ୍ମବାର୍ଷିକୀ ଉତ୍ସବ ଆରମ୍ଭ ହୋଇଛି। ଏଥି ପାଇଁ ଲୋକସେବା ଭବନ, ବିଧାନସୌଧ ସମେତ ବିଭିନ୍ନ ସରକାରୀ କୋଠାକୁ ଆଲୋକମାଳାରେ ସଜାଯାଇଛି। ବର୍ଷ ବ୍ୟାପୀ ଆହୁରି କାର୍ଯ୍ୟକ୍ରମ ହାତକୁ ନିଆଯିବ। ବିଭିନ୍ନ ସ୍ଥାନରେ ମହତାବଙ୍କ ପ୍ରତିମୂର୍ତ୍ତି ନିର୍ମାଣ ସହ ତାଙ୍କ ନାମରେ କିଛି ବଡ଼ ଯୋଜନା ଓ ପ୍ରକଳ୍ପର ନାମକରଣ କରିବାକୁ ନିଷ୍ପତ୍ତି ହୋଇଛି। ପର୍ଯ୍ୟାୟକ୍ରମେ ତାହା ଘୋଷଣା କରାଯିବ। କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ରାଜ୍ୟର ବରପୁତ୍ରମାନଙ୍କୁ କେତେ ଗୁରୁତ୍ବ ଦିଅନ୍ତି, ସେହି ବାର୍ତ୍ତା ମହତାବଙ୍କ ଜୟନ୍ତୀ ମାଧ୍ୟମରେ ଦିଆଯିବ। ତେବେ ମହତାବଙ୍କ ଗୁଣଗାନ ବେଳେ କୌଣସି ପରିସ୍ଥିତିରେ କେହି ବିଜେପି ନେତା ଯେପରି ବିଜୁ ବାବୁଙ୍କ ବ୍ୟକ୍ତିତ୍ବ ଓ ଅବଦାନ ସମ୍ପର୍କରେ ନକରାତ୍ମକ ଟିପ୍ପଣୀ ନଦିଅନ୍ତି, ସେଥି ପାଇଁ ମଧ୍ୟ ସତର୍କ କରାଇ ଦିଆଯାଇଛି।