ବ୍ରହ୍ମପୁର : ଜାତୀୟସ୍ତରୀୟ ପ୍ରତିଯୋଗିତାରେ ବ୍ରହ୍ମପୁର ମଣ୍ଡଳ କାରାଗାରର ଅନ୍ତେବାସୀଙ୍କ କମାଲ୍‌ ଦେଖିବାକୁ ମିଳିଛି। ନୃତ୍ୟ ପ୍ରତିଯୋଗିତାରେ ମଣ୍ଡଳ କାରାଗାରର ଟିମ୍‌ ଅଂଶଗ୍ରହଣ କରି ପ୍ରଥମ ପୁରସ୍କାର ହାସଲ କରିଛନ୍ତି।

Advertisment

ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ‘କଳାନ୍ତର’ ଅନୁଷ୍ଠାନ ଦ୍ବାରା ଏକ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବିଭିନ୍ନ ଅନୁଷ୍ଠାନର କଳାକାରମାନେ ଅଂଶଗ୍ରହଣ କରିଥିଲେ। ଅନ୍‌ଲାଇନ୍‌ ମୋଡ୍‌ରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଗତ ମାର୍ଚ୍ଚ ୬ତାରିଖରେ ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଚିଠି ଆସିଥିଲା। ଚିଠି ପାଇବା ମାତ୍ରକେ ମଣ୍ଡଳ କାରାଗାର ଅଧୀକ୍ଷକ ଡି.ଏନ୍‌ ବାରିକ ଓ ଜେଲର୍‌ ସତ୍ୟନାରାୟଣ ବେହେରାଙ୍କ ଉଦ୍ୟମ କ୍ରମେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମାତ୍ର, ୩ଦିନରେ ଜେଲ୍‌ର ଅନ୍ତେବାସୀଙ୍କୁ ନେଇ ଏକ ଚିତ୍ତାକର୍ଷକ ନୃତ୍ୟ ପ୍ରସ୍ତୁତ କରାଯାଇଥିଲା ଏବଂ ଏହାକୁ ଅନ୍‌ଲାଇନ୍‌ରେ ସମ୍ପୃକ୍ତ ସଂସ୍ଥାକୁ ପଠାଯାଇଥିଲା। ନୃତ୍ୟ ପ୍ରତିଯୋଗିତାରେ ବ୍ରହ୍ମପୁର ମଣ୍ଡଳ କାରାଗାର ଫାଇନାଲ୍‌ ରାଉଣ୍ଡ୍‌କୁ ପ୍ରବେଶ କରିଥିଲା। ଶେଷରେ, ଦଳଗତ ନୃତ୍ୟ ପ୍ରତିଯୋଗିତାରେ ବ୍ରହ୍ମପୁର ମଣ୍ଡଳ କାରାଗାର ପ୍ରଥମସ୍ଥାନ ଅଧିକାର କରିଥିବା ଅଧୀକ୍ଷକ ଶ୍ରୀ ବାରିକ ସୂଚନା ଦେଇଛନ୍ତି।