ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଶିଙ୍କୁଲିପଦର ପଞ୍ଚାୟତ ଭାଲିଆଗଣି ଗ୍ରାମରେ ପତ୍ନୀକୁ ପଥର‌ ଛେଚି ନିଶାସକ୍ତ ସ୍ବାମୀ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଲେ, ସୁକାନ୍ତି ନାୟକ। ପୁଲିସ ଅଭିଯୁକ୍ତ ସ୍ବାମୀ ଭଗବାନ ନାୟକକୁ ଅଟକ ରଖି ପଚରାଉଚରା କରୁଛି। ସବୁଦିନ ଭଳି ଗତକାଲି ମଧ୍ୟ ଭଗବାନ ମଦ ପିଇ ଘରକୁ ଆସିଥିଲା। ଆଉ କୌଣସି କାରଣରୁ ସୁକାନ୍ତିଙ୍କ ସହ ଝଗଡ଼ା କରିଥିଲା।

Advertisment

ଏଥିରେ ଉତ୍‌କ୍ଷିପ୍ତ ହୋଇ ଭଗବାନ ତାଙ୍କୁ ଘରୁ ବାହାରକୁ ଟାଣି ଆଣି ଏକ ପଥର ଛେଚି ହତ୍ୟା କରିଥିଲା। ସୂଚନା ପାଇ ପୁଲିସ ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଛାନଭିନ୍ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏକ ହତ୍ୟା ମାମଲା ରୁଜୁ ସହ ଅଭିଯୁକ୍ତ ଭଗବାନକୁ ଅଟକ ରଖି ପଚରାଉଚରା କରାଯାଉଥିବା ଥାନାଧିକାରୀ ସୁଜିତ୍‌ କୁମାର ନାୟକ ସୂଚନା ଦେଇଛନ୍ତି। ସୁକାନ୍ତିଙ୍କ ମୃତ୍ୟୁ ପରେ ତାଙ୍କର ୪ ସନ୍ତାନ ଅସହାୟ  ପାଲଟିଛନ୍ତି।