ଚାଷୀ ପଂଜୀକରଣରେ ଅନିୟମିତତା ଅଭିଯୋଗର ତଦନ୍ତ ଆରମ୍ଭ

ସଇନ୍ତଳା : ସଇନ୍ତଳା ବ୍ଲକ୍‌ରେ ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ଚାଲିଥିବା ଚାଷୀ ପଂଜୀକରଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ ଏହି ବ୍ଲକ୍‌ରେ ଚଳିତ ବର୍ଷ ଧାନ କ୍ରୟ ପାଇଁ ୧୨ଗୋଟି ପ୍ୟାକ୍ସ ଓ ୭ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ବ ମିଳିଛି। ଧାନ ବିକ୍ରି କରିବାକୁ ଚାଷୀମାନେ ବର୍ତମାନ ପଂଜୀକରଣ କରୁଛନ୍ତି। ଆସନ୍ତା ୨୩ତାରିଖରେ ପଂଜୀକରଣର ଶେଷ ତାରିଖ ରହିଛି। ଏହି ପଂଜୀକରଣରେ ଭେଜିପଦର ଗ୍ରାମର ବୀଣାପାଣୀ, ସଇନ୍ତଲାର ପୂର୍ଣ୍ଣିମା, ଘଂଟମାଲର ଲକ୍ଷ୍ମୀ, ଘୁନସରର କମଳିନୀ, ଶିସକେଲାର ପଲ୍ଲିଶ୍ରୀ ଓ ଧରବଗଡ଼ର ଦୁଇଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ଟିଟିଲାଗଡ଼ ଏସ୍‌ଆର୍‌ସି ପ୍ରଭାକର ନାଏକ ସମସ୍ତ ଏସ୍‌ଏଚ୍‌ଜିର ପଂଜୀକରଣ କାଗଜପତ୍ର ତନଖି ଆରମ୍ଭ କରିଛନ୍ତି।

ଅଭିଯୋଗ ଅନୁସାରେ, ମହିଳା ଗୋଷ୍ଠୀଗୁଡ଼ିକରେ ମଣ୍ତି ପାଇଁ ନିର୍ଦ୍ଧାରିତ ଅଂଚଳରୁ ଅନ୍ୟ କିଛି ପାଖ ପଂଚାୟତର ଚାଷୀ ଧାନ ବିକ୍ରି କରିବା ପାଇଁ ପଂଜୀକରଣ କରିଛନ୍ତି। ଏ ସମ୍ପର୍କରେ କିଛି ଚାଷୀଙ୍କୁ ପଚାରିବାରୁ ସେମାନେ ନିଜ ଇଚ୍ଛା ମୁତାବକ ମଣ୍ତିରେ ଧାନ ବିକ୍ରି କରିବାକୁ ପଂଜୀକରଣ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ରାଜସ୍ବ ବିଭାଗ, କୃଷି ବିଭାଗ ଓ ସମବାୟ ବିଭାଗ ଦ୍ବାରା ଗଠିତ କମିଟି ଚାଷୀଙ୍କ ଜମିକୁ ଯାଇ ପ୍ରକୃତରେ ଚାଷ କରାଯାଇଛି କି ନାହିଁ ତାର ତଦନ୍ତ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ପୂର୍ଣ୍ଣିମା ମହିଳା ଗୋଷ୍ଠୀର ନେତ୍ରୀ ଲିଲି ସାହୁଙ୍କୁ ପଚାରିବାରୁ କିଛି ଲୋକ ଈର୍ଷାନ୍ବିତ ହୋଇ ଏଭଳି ଅଭିଯୋଗ କରିଛନ୍ତି ଏବଂ ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି। ସଇନ୍ତଳା ଯୋଗାଣ ନିରୀକ୍ଷକ ନଳିନୀକାନ୍ତ ପାଲଙ୍କୁ ପଚାରିବାରୁ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର