କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବିଭିନ୍ନ ପୌରାଞ୍ଚଳରେ ହୋଇଥିବା ଆଲୋକୀକରଣ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି। କେନ୍ଦୁଝରଗଡ଼, ଆନନ୍ଦପୁର ଏବଂ ଯୋଡ଼ା ସହରରେ ଏହି କାର୍ଯ୍ୟରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ‘ସମ୍ବାଦ’ ଲୋକଲୋଚନକୁ ଆଣିବା ପରେ ତଦନ୍ତ ଆରମ୍ଭ କରିଛି ଏନ୍ର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ୍ (ଇଇଏସ୍ଏଲ୍)। ଆଜି ଇଇଏସ୍ଏଲ୍ର ଏକ ଟିମ୍ କେନ୍ଦୁଝର ଗସ୍ତରେ ଆସି ତଦନ୍ତ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ସମାନ୍ତରଳ ଭାବେ ତଦନ୍ତ ଚାଲିଥିବା ସୂଚନା ମିଳିଛି।
ଇଇଏସ୍ଏଲ୍ର ଓଡ଼ିଶା ମୁଖ୍ୟ ଅନିଲ ସାହୁଙ୍କ ନେତୃତ୍ବରେ ଏକ ଟିମ୍ କେନ୍ଦୁଝର ଆସି ଡେରା ପକାଇବା ସହ ଛାନ୍ଭିନ୍ ଆରମ୍ଭ କରିଛନ୍ତି। ଏ ସଂପର୍କରେ ଶ୍ରୀ ସାହୁଙ୍କୁ ପଚାରିବାରୁ, ନିୟମିତ ଭାବେ କମ୍ପାନି ପକ୍ଷରୁ ଯାଞ୍ଚ କରାଯାଉଥିଲା। ମାତ୍ର ବେଳେବେଳେ ତଳସ୍ତରର କଥା ଉପର ପର୍ଯ୍ୟନ୍ତ ଯାଇପାରି ନଥାଏ। ଆପଣ ଏ ସଂପର୍କରେ ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି। ସବୁ କିଛି ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ଯଦି ନିୟମିତ ଯାଞ୍ଚ ହେଉଥିଲା, ତେବେ କେମିତି ଏତେ ବଡ଼ ଦୁର୍ନୀତି ସମ୍ଭବ ହେଲା ବୋଲି ପଚାରିବାରୁ ଶ୍ରୀ ସାହୁ କୌଣସି ଉତ୍ତର ଦେଇ ନଥିଲେ। ସେହିପରି ଗୋଟିଏ କି ଦୁଇଟି ଖୁଣ୍ଟ ନୁହେଁ ଶହଶହ ଖୁଣ୍ଟରେ ଆର୍ଥିଂ ନାହିଁ। ତେଣୁ କି ପ୍ରକାର ତଦନ୍ତ ହେଉଥିବା ବୋଲି ପଚରାଯିବାରୁ ବର୍ତ୍ତମାନ ତଦନ୍ତ ଚାଲିଛି; ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।।
କେବଳ କେନ୍ଦୁଝର ନୁହେଁ ରାଜ୍ୟର ଅଧିକାଂଶ ପୌରପାଳିକାରେ ଆଲୋକୀକରଣ କାର୍ଯ୍ୟରେ ଏଭଳି ସମାନ ଢଙ୍ଗରେ ଦୁର୍ନୀତି ହୋଇଛି। ସରକାରଙ୍କୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ଲାଇଟ୍ ଲଗାଯାଇନି କି ଆର୍ଥିଂ ହୋଇନାହିଁ। ଖୁଣ୍ଟ ପୋତାଯାଇ ନାହିଁ କି କେବୁଲ ବିଛା ହୋଇନାହିଁ। ଆଲୋକୀକରଣ କାମରେ ଏତେ ବଡ଼ ଦୁର୍ନୀତି ହୋଇଥିଲେ ମଧ୍ୟ କାହିଁକି ଓ କେଉଁ ପରିସ୍ଥିତିରେ ଇଇଏସ୍ଏଲ୍ ସଠିକ୍ ଭାବେ ଯାଞ୍ଚ କରୁ ନଥିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/b1-1.jpg)