ଅସଲି ଜମିରେ ନକଲି ଚାଷୀଙ୍କ କାରନାମାର ତଦନ୍ତ ଆରମ୍ଭ; ଧରାପଡ଼ିଲା ଜାଲିଆତି, ନକଲି ଚାଷୀ ଅଟକ

ଲରମ୍ଭା : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ସୁନାମୁଦି ପଞ୍ଚାୟତ ନକ୍ଟାସର ଗାଁରେ ଅସଲି ଜମିର କାଗଜପତ୍ରରେ ଚଞ୍ଚକତା କରି ନକଲି ଚାଷୀ ବୀମା କରାଇବା ସହ ଋଣ ଉଠାଇ ନେଇଥିବା ମାମଲାର ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ଥାନାଧିକାରୀ ଅନନ୍ତ ପଧାନ ଭଇଁଷାସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରେ ପହଞ୍ଚି ତନାଘନା କରିଛନ୍ତି। ଜାଲିଆତି ଘଟଣା ଜଣା ପଡ଼ିବା ପରେ ନକଲି ଚାଷୀ ନକ୍ଟାସର ଗାଁର ଅରବିନ୍ଦ ପଟେଲଙ୍କୁ ପୁଲିସ ଅଟକ ରଖିଛି।

ସୂଚନାଯୋଗ୍ୟ ଯେ ନକ୍ଟାସର ଗାଁର ଚାଷୀ କପିଳ ପଟେଲ ଓ ତାଙ୍କ ଭାଇ ହର ପଟେଲଙ୍କ ଖାତା ନଂ ୧୧ ଓ ପ୍ଲଟ ନଂ ୧୬୭, ୧୬୮ରେ ଥିବା ଜମିକୁ ଦର୍ଶାଇ ସେହି ଗାଁର ଅରବିନ୍ଦ ପଟେଲ କୃଷିବୀମା କରାଇ ନେଇଥିଲେ। ଏହା ସହିତ ଉଭୟଙ୍କ ଦସ୍ତଖତ ଜାଲିଆତି କରି ଭଇଁଷା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରୁ ୯୯ ହଜାର ଟଙ୍କା ଋଣ ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ଶୁକ୍ରବାର ଦିନ ୧୨ଟାରେ ଥାନାଧିକାରୀ ଶ୍ରୀ ପଧାନ ଉକ୍ତ ବ୍ୟାଙ୍କ ଶାଖାରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ସମୟରେ ହର ପଟେଲଙ୍କ ପୁଅ ପ୍ରହଲ୍ଲାଦ ପଟେଲ ଓ ନକଲି ଚାଷୀ ଅରବିନ୍ଦ ପଟେଲ ମଧ୍ୟ ବ୍ୟାଙ୍କରେ ଉପସ୍ଥିତ ଥିଲେ। କାଗଜପତ୍ର ଯାଞ୍ଚ‌ ସମୟରେ କପିଳ ଓ ହରଙ୍କ ଜମିର କାଗଜପତ୍ର ବ୍ୟାଙ୍କରେ ଦେଇ ଋଣ ଉଠାଇଥିବା ଜଣାପଡ଼ିଥିଲା। ଏପରିକି ଦୁଇ ଭାଇଙ୍କ ଦସ୍ତଖତକୁ ନକଲି ଚାଷୀ ଅରବିନ୍ଦ ଜାଲିଆତି କରିଥିବା ଧରାପଡ଼ିଥିଲା।

ଏହାପରେ ଥାନାଧିକାରୀ ଶ୍ରୀ ପଧାନ ଅରବିନ୍ଦଙ୍କୁ ବ୍ୟାଙ୍କରୁ ଥାନାକୁ ଉଠାଇ ଆଣିଥିଲେ। ଥାନାରେ ପଚରାଉଚରା ସମୟରେ ୨୦୧୯ ମସିହାରେ ମଧ୍ୟ ଅରବିନ୍ଦ ଦୁଇଭାଇଙ୍କ ନାମରେ ଥିବା ଡିଆଡୁମେର ଓ ନକ୍ଟାସର ଗାଁର ଜମିର କାଗଜପତ୍ରରେ ଚ‌ଞ୍ଚକତା କରି ଚାଷୀକାର୍ଡ କରାଇ ଧାନ ବିକ୍ରି କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଚାଷୀଙ୍କ ଅନୁପସ୍ଥିତିରେ ବ୍ୟାଙ୍କରୁ କିପରି ଋଣ ମଞ୍ଜୁର ହେଲା ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ତେଣୁ ଏହା ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର