ରାଇଘର: ଘର ଓଡ଼ିଶାରେ, କିନ୍ତୁ ପାଠ ପଢ଼ୁଛନ୍ତି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ। ଜଣେ କି ଦୁଇଜଣ ନୁହେଁ, ପନ୍ଦରରୁ ଅଧିକ ପିଲା ଛତିଶଗଡ଼ ବିଦ୍ୟାଳୟକୁ ଯାଉଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ସୀମାନ୍ତ ଗାଁଗୁଡିକରେ ଓଡ଼ିଆ ଭାଷା ଅସ୍ତିତ୍ବ ହରାଇବାର ଏମିତି ଚିନ୍ତାଜନକ ଦୃଶ୍ୟ ଦେଖିବାକୁ ମଳିଛି। ସୂଚନା ଅନୁସାରେ, ରାଇଘର ବ୍ଲକ୍‌ର ସୀମା ଛତିଶଗଡ଼କୁ ଲାଗି ରହିଛି। ତେଣୁ କୁନ୍ଦେଇ ଓ ହାଟଭରଣ୍ଡି ପଞ୍ଚାୟତ ଅନ୍ତର୍ଗତ କାନାଡ଼ିହି, ସୋନାରପାରା, ଖିଲୋଲି ଓ କୁନ୍ଦେଇ ଗାଁର ପ୍ରାୟ ୧୫ଜଣ ଛାତ୍ରଛାତ୍ରୀ ଓଡ଼ିଶାରେ ପାଠ ନ ପଢ଼ି ଛତିଶଗଡ଼ ମୁହାଁ ହୋଇଛନ୍ତି। ସେଠିକାର ବିଦ୍ୟାଳୟରେ ନାମ ଲେଖାଇ ନିୟମିତ ଯାଉଛନ୍ତି। ଅଷ୍ଟମରୁ ଆରମ୍ଭ କରି ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଏହି ପିଲାମାନେ ଘୁଟକେଲ୍ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ଓଡ଼ିଶାର ସୀମାନ୍ତ ବିଦ୍ୟାଳୟଗୁଡିକରେ ପାଠପଢ଼ା ଖର୍ଚ୍ଚ ଅଧିକ, ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଏବଂ ସରକାରୀ ନିଯୁକ୍ତି ଉପରେ ଭରସା ‌ପାଉ ନଥିବାରୁ ଛତିଶଗଡ଼ ଉପରେ ନର୍ଭର କରିବାକୁ ପଡ଼ୁଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଚିନ୍ତାର ବିଷୟ ଓଡ଼ିଶାରେ ବାସବାସ କରୁଥିଲେ ସୁଦ୍ଧା ଲେଖିବା ଓ ପଢ଼ିବା ତ ଦୂରର କଥା ପିଲା ଓଡ଼ିଆ କହିବା ମଧ୍ୟ ଭୁଲିଗଲେଣି।

Advertisment

ବର୍ତ୍ତମାନଠାରୁ ଏ ଦିଗରେ ସଚେତନ ନହେଲେ ଆଗାମୀ ଦିନରେ ସୀମାନ୍ତ ଗାଁଗୁଡ଼ିକରେ ଓଡ଼ିଆ ଭାଷା ସଂପୂର୍ଣ୍ଣ ଲୋପ ପାଇଯିବ ବୋଲି ଭାଷାବିତ୍‌ ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ଶିକ୍ଷାର ମାନ ବୃଦ୍ଧି ସହ କୋମଳମତି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରିବାକୁ ସରକାର ନାନା ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତ‌େବେ ତାହା ସୀମାନ୍ତ ତଥା ଉପାନ୍ତ ଅଞ୍ଚଳରେ କୌଣସି ପ୍ରଭାବ ପକାଉ ନଥିବା ଦେଖିବାକୁ ମିଳିଛି। ରାଜ୍ୟର ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଆଗାମୀ ପିଢ଼ି ଛତିଶଗଡ଼ ମୁହାଁ ହେବା ନିଶ୍ଚିତ ରୂପେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏବଂ ଶିକ୍ଷାର ମାନକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ରାଜ୍ୟ ସରକାର ଏ ଦିଗରେ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।